ମନେ ପଡ଼ନ୍ତି ବାବୁଜୀ..

ସେ ଆଉ ଇହଧାମରେ ନାହାନ୍ତି ସତ। କିନ୍ତୁ ତାଙ୍କର ଉପସ୍ଥିତି ସବୁବେଳେ ବାରି ହୋଇପଡ଼ୁଛି। ଖଟିଖିଆ ମେହନତୀ ମଣିଷର ସେ ଥିଲେ ଦରଦୀ ବନ୍ଧୁ। ସେମାନଙ୍କ ହକ୍ ଲାଗି ବ୍ୟବସ୍ଥା ସହ ଲଢ଼ୁଥିଲେ। ସାଲିସବିହୀନ ସମ୍ରାଟ୍ ଥିଲେ ବାବୁଜୀ। ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଘନଶ୍ୟାମ ଜେନାଙ୍କ ଆଜି ହେଉଛି ୯୫ତମ ଜନ୍ମଜୟନ୍ତୀ। ଶ୍ରମିକ କୂଳ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ। ୯୩ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ। ପତ୍ନୀ ହେମଲତାଙ୍କ ବିୟୋଗର ୨୪ ଘଣ୍ଟା ଭିତରେ ଡକାଡକି ହୋଇ ତାଙ୍କ ସହ ଆରପାରିକୁ ଚାଲିଯାଇଥିଲେ ଘନଶ୍ୟାମ। ତାଙ୍କର କଠିନ ପରିଶ୍ରମ, ଅହରହ ସଂଗ୍ରାମ ତାଙ୍କୁ ସର୍ବଭାରତୀୟସ୍ତରରେ ପ୍ରମୁଖ ଶ୍ରମିକ ନେତା ଭାବେ ପରିଚୟ ଦେଇଥିଲା। ଅଲ୍ ଇଣ୍ଡିଆ ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆ ଓ୍ୱାର୍କର୍ସ ୟୁନିଅନ, ପାରାଦୀପ ଡକ୍ ମଜଦୁର ୟୁନିଅନ, ଅଲ ଇଣ୍ଡିଆ ଫୁଡ ଆଣ୍ଡ ଆଲାଏଡ୍ ଓ୍ୱାର୍କର୍ସ ୟୁନିଅନ, ଅଲଇଣ୍ଡିଆ ପେଟ୍ରୋଲିୟମ ପ୍ରଡକ୍ଟସ ହ୍ୟାଣ୍ଡଲିଂ ଓ କ୍ୟାରିଅର ଏମ୍ପ୍ଲୋଇଜ୍ ୟୁନିଅନର ସେ ପ୍ରତିଷ୍ଠାତା ଥିଲେ। ଶ୍ରମିକର ସ୍ୱାର୍ଥ ପାଇଁ ସମର୍ପିତ ଥିଲା ତାଙ୍କ ଜୀବନ। ଭାରତର ଆର୍ଥିକ ମେରୁଦଣ୍ଡର ମୂଳ ଆଧାର ହେଉଛନ୍ତି ଶ୍ରମିକ। ସେମାନେ ଲହୁ ନିଗାଡ଼ୁଛନ୍ତି। କିନ୍ତୁ ମହୁ ଖାଉଛନ୍ତି ଅନେକ। ତା ହେଲେ ଶ୍ରମିକଙ୍କୁ ତାଙ୍କର ହକ୍ ମିଳିବନି କାହିଁକି। ଏହି ଗୋଟିଏ ମନ୍ତ୍ରକୁ ପାଥେୟ କରି ଜୀବନତମାମ ଶ୍ରମିକଙ୍କ ସ୍ୱାର୍ଥର ସାରଥୀ ସାଜିଥିଲେ ଘନଶ୍ୟାମ। ଆଉ ସେଥିଲାଗି ତ ଶ୍ରମିକର ପେଟପାଟଣାକୁ ଆଗ ଦେଖୁଥିବା ଘନଶ୍ୟାମ ଧୀରେ ଧୀରେ ପାଲଟିଗଲେ ସେମାନଙ୍କର ଆଦରର ବାବୁଜୀ। ପିତା ସମାନ ସମ୍ମାନ ଓ ପିତାଙ୍କ ଭଳି ଆଦର ପାଉଥିଲେ ଲକ୍ଷ ଲକ୍ଷ ଶ୍ରମିକ ପରିବାର। ବାବୁଜୀଙ୍କ ଶୂନ୍ୟସ୍ଥାନ ଆଉ କେହି ପୂରଣ କରିପାରିବେନି। କିନ୍ତୁ ସେ ଦେଖାଇଯାଇଥିବା ରାସ୍ତାରେ ଆଗକୁ ଯିବାକୁ ପଡ଼ିବ। ଏ ବ୍ରତରେ ବ୍ରତୀ ହୋଇଛନ୍ତି ତାଙ୍କ ହାତରେ ତିଆରି ହୋଇଥିବା ପ୍ରମୁଖ ଶ୍ରମିକ ସଂଗଠନ। ବାବୁଜୀଙ୍କ ଜନ୍ମଦିନରେ ସମସ୍ତେ ତାଙ୍କୁ କେବଳ ମନେପକାଉନାହାନ୍ତି।  ସେ କରିଥିବା ତ୍ୟାଗ, ସମର୍ପଣରୁ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇ ହକ୍ ପାଇଁ ମାଲିକଙ୍କ ସହ ଏକାଠି ବସି ଚର୍ଚ୍ଚାରୁ ନେଇ ଲଢ଼େଇ କରିବା ଯାଏ ସାହାସ ପାଇଥିବା ଲକ୍ଷ ଲକ୍ଷ ଶ୍ରମିକ ପରିବାର ତାଙ୍କୁ ଝୁରୁଛନ୍ତି। ଟ୍ରେଡ୍ ୟୁନିଅନ ମୁଭମେଣ୍ଟର ଜଣେ ଆଗ ଧାଡ଼ିର ନେତା ଥିଲେ ସ୍ୱର୍ଗତ ଜେନା। ଆଉ ତାଙ୍କର ଅଭିଯାନକୁ ତାଙ୍କର ଅବର୍ତ୍ତମାନରେ ଆଗକୁ ନେଇପାରିଲେ, ସେ ଯେଉଁଠି ଥାଆନ୍ତୁ ନା କାହିଁକି। ତାଙ୍କ ଜନ୍ମଦିନରେ ଏହା ହିଁ ସର୍ବଶ୍ରେଷ୍ଠ ଭେଟି ହେବ ବୋଲି ସେ ଏକଦା କହିଥିଲେ। ତାଙ୍କର ଜନ୍ମମାଟି ହେଉଛି ଭଦ୍ରକ ଜିଲ୍ଲାର ସୋହୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁଲାରପୁର ଗାଁ। ଭଦ୍ରକର ଲଢୁଆ ସଂଗ୍ରାମୀ ସ୍ୱର୍ଗତ ଘନଶ୍ୟାମ ଜେନା ପୁରା ଭାରତରେ ନିଜର ଆଦର୍ଶ ଓ ନୈତିକ ମୂଲ୍ୟବୋଧ ପାଇଁ ମାଇଲଖୁଣ୍ଟ ଛିଡ଼ା କରିଯାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *