ରାଜ୍ୟର ୯୫ ପ୍ରତିଶତ ଲୋକ ସରକାରୀ ଯୋଜନା ବାବଦରେ ଜାଣିନାହାନ୍ତି। ମାତ୍ର ୫ ପ୍ରତିଶତ ଲୋକେ ଅବଗତ ଅଛନ୍ତି। ଲୋକଙ୍କ କଥା ଛାଡ଼। ଅଫିସର ବି ସ୍କିମ୍ ଜାଣୁନାହାନ୍ତି। ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଶବ୍ଦରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଓ ଅଟଳ ପେନସନ ସ୍କିମର ନଜିର ଦେଇ କ୍ଷୋଭ ଝାଡ଼ିଥିଲେ ରାଜ୍ୟପାଳ। ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ ଦେବାକୁ କିଏ ବା ରାଜି ନ ହେବେ। ହେଲେ ଏ ଯୋଜନା ବାବଦରେ ଜାଣିଥିଲେ ତ। ଅଫିସର ଜଣାଇଥିଲେ ତ ହୁଅନ୍ତା। ରାଜଭବନରେ ସାମାଜିକ ସୁରକ୍ଷା, ସାଇବର ସୁରକ୍ଷା, ନିଶାଦ୍ରବ୍ୟ ବିଷୟବସ୍ତୁକୁ ନେଇ ସଚେତନା କାର୍ଯ୍ୟକ୍ରମକୁ ଉଦଘାଟନ ବେଳେ ଏ କଥା କହିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି। ରାଜ୍ୟପାଳଙ୍କ ଏଭଳି ତୀର୍ଯକ ତୀରକୁ ନେଇ ପିସିସି ସଭାପତି କହିଛନ୍ତି, ରାଜ୍ୟପାଳ ଯାହା ଦେଖିଛନ୍ତି, ତାହା କହିଛନ୍ତି। ରାଜ୍ୟପାଳଙ୍କ ଟିପ୍ପଣୀରୁ ଅନ୍ତତଃ ସରକାର କିଛି ଶିଖନ୍ତୁ। ବିଜେଡି କହିଛି, ମାଳ ମାଳ ଯୋଜନାର ଡେଙ୍ଗୁରା ପିଟୁଛନ୍ତି ମୋହନ ସରକାର। ବର୍ଷକ ଭିତରେ କେତେ କାର୍ଯ୍ୟକାରୀ ହେଲା ତାହା ତ ଦୂରର କଥା। ଖୋଦ୍ ସରକାରଙ୍କ ସ୍କିମ୍ ବାବଦରେ ଅଫିସର ହିଁ ଅଜ୍ଞ। ଆଉ ଲୋକେ କେମିତି ସୁବିଧା ପାଉଥିବେ ଅନୁମେୟ। ଶାସକ ଦଳ କହିଛି, ଲୋକଙ୍କ ସରକାର ଭାବେ ଲୋକଙ୍କ ପାଖକୁ ଯୋଜନା ନେଇ ପହଞ୍ଚିବାକୁ ଅଫିସରଙ୍କୁ ନିର୍ଦେଶ ଦିଆଯାଇଛି। ଏସି ରୁମରେ ନୁହେଁ, ଲୋକଙ୍କ ଦୁଆରକୁ କେମିତି ପ୍ରଶାସନ ଯିବ, ସେ ନେଇ ନିରନ୍ତର ଚେଷ୍ଟା ଚାଲିଛି। ସରକାରଙ୍କ ସ୍କିମ୍ ସରକାରୀ ଅଫିସରଙ୍କୁ ମାଲୁମ ନାହିଁ। ତାହେଲେ ସରକାରୀ ସ୍କିମ କାର୍ଯ୍ୟକାରୀ କରିବାର ଯେଉଁ ଗୁରୁଭାର ଅଫିସରଙ୍କ କାନ୍ଧ ଉପରେ ପଡ଼ୁଛି। ସେମାନେ ତାହେଲେ ଏହାକୁ କେମିତି ଠିକଣା ଢଙ୍ଗରେ ତୁଲାଉଥିବେ, ରାଜ୍ୟପାଳଙ୍କ ମନ୍ତବ୍ୟକୁ ନିରିଖେଇ ଦେଖିଲେ ଏହା କେତେ ଗମ୍ଭୀର ପ୍ରସଙ୍ଗ ଜଣାପଡ଼େ।
Naxatra News is now on Whatsapp
Join and get latest news update delivered to you via whatsapp
Join Now