ଅପରାଧ

ଚଳନ୍ତି ଟ୍ରେନରେ ଫୁଟିଲା ଗୁଳି, ଚାରି ମୃତ

ମୁମ୍ବାଇ : ମୁମ୍ବାଇର ବିରାର ଷ୍ଟେସନ ନିକଟରେ ଜୟପୁର ରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନରେ ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଅଭିଯୁକ୍ତ ଆରପିଏଫ କନଷ୍ଟେବଳ ଚେତନ କୁମାରଙ୍କୁ ଦହିସରରେ ଗିରଫ କରାଯାଇଥିଲା। ବୋରିୱଲୀ ରେଳ ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁମିତ ଠାକୁର ଗଣମାଧ୍ୟମକୁ କହିଛନ୍ତି ଯେ, ଜୟପୁର-ମୁମ୍ବାଇ ଏକ୍ସପ୍ରେସର ବି – ୫  ବଗିରେ ସୋମବାର ସକାଳ ୫:୨୩ ରେ ଏହି ଗୁଳି ବିନିମୟ ହୋଇଛି । ଆରପିଏଫ ପୋଲିସ କନଷ୍ଟେବଳ ଚେତନ କୁମାର ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ଟିକ ରାମଙ୍କୁ ଗୁଳି କରିଥିଲେ । ଏଥିରେ ହସ୍ତକ୍ଷେପ କରିଥିବା ତିନି ଜଣ ଯାତ୍ରୀ ମଧ୍ୟ ଗୁଳିରେ ଆହତ ହୋଇଥିଲେ । ଏହି ଘଟଣା ପରେ ଅଭିଯୁକ୍ତ କନଷ୍ଟେବଳ ଦହିସର ଷ୍ଟେସନରେ ଟ୍ରେନର ଚେନ୍ ଟାଣି ଟ୍ରେନକୁ ଅଟକାଇ ଖସିଯିବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ ସେ ବିଫଳ ହୋଇ ପୋଲିସ ହାତରେ ଧରା ପଡିଥିଲେ । ବୋରିୱଲୀ ରେଳ ପୋଲିସ ସମସ୍ତଙ୍କ ମୃତଦେହକୁ ଶତାବ୍ଦି ଡାକ୍ତରଖାନାକୁ ପଠାଇଛି ।

କୁହାଯାଇଛି ଯେ, ଏହି ଟ୍ରେନରେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ଟିକ ରାମଙ୍କ ଟିମ୍ ସୁରଟ ଷ୍ଟେସନରୁ ଡ୍ୟୁଟିରେ ଯୋଗ ଦେଇଥିଲେ । କନଷ୍ଟେବଳ ଚେତନ କୁମାର ଓ ଟିକରାମଙ୍କ ମଧ୍ୟରେ ପାଲଘର ପରେ ଝଗଡା ଆରମ୍ଭ ହୋଇଥିଲା। ବିବାଦର ବିଷୟ କ’ଣ ତାହା ଜଣା ପଡିନାହିଁ । ବିରାର ଷ୍ଟେସନ ପାଖାପାଖି ଚଳନ୍ତି ଟ୍ରେନରେ ଅଭିଯୁକ୍ତ ଚେତନ ଟିକରାମଙ୍କ ଉପରକୁ ତାଙ୍କ ସର୍ଭିସ୍ ରିଭଲଭର ସାହାଯ୍ୟରେ ଗୁଳି ଚଳାଇଥିଲା। ଏହାକୁ ବିରୋଧ କରୁଥିବା ତିନି ଜଣ ଯାତ୍ରୀଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲା ଅଭିଯୁକ୍ତ ଚେତନ । ଗୁଳି କରିବା ପରେ ବଗିରେ ସେ କିଛି ସମୟ ରହି ଯେତେବେଳେ ଟ୍ରେନ୍ ଟି ଦହିସର-ମୀରା ରୋଡ୍ ଷ୍ଟେସନ ମଧ୍ୟରେ ପହଞ୍ଚିଲା ସେତେବେଳେ ଅଭିଯୁକ୍ତ ଶୃଙ୍ଖଳା ଟ୍ରେନ୍ ର ଚେନ ଟାଣି ଖଶି ଯିବାର ଉଦ୍ୟମ କରିଥିଲା, ହେଲେ ରେଳବେଇ ପୋଲିସ ହାତରୁ ବଞ୍ଚି ପାରି ନଥିଲା। ଚେତନ କୁମାରକୁ ଆଜି ହିଁ କୋର୍ଟରେ ହାଜର କରାଯିବ ।

Related Articles

Leave a Reply

Your email address will not be published.

Back to top button