ପୁରୀ: ସରିଛି ଧର୍ମ ମାସ କାର୍ତ୍ତିକ l ଏକ ମାସ ଧାରୀ ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିମାନେ ଆଜି ବାହୁଡ଼ିଛନ୍ତି ନିଜ ନିଜ ଘରକୁ l ଚଳିତ ବର୍ଷ ରାଜ୍ୟସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାରେ ପାଖା ପାଖି ୩ହଜାର ବ୍ରତଧାରୀଙ୍କ ଲାଗି ରହିବା, ମହା ପ୍ରସାଦ ସେବନ ଓ ଜଗନ୍ନାଥ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା l ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବୟସ୍କ ବୃଦ୍ଧାମାନେ ଅତି ଆନନ୍ଦର ସହ ବ୍ରତ ପାଳନ କରୁଥିଲେ। ଆଜି ବ୍ରତ ର ଶେଷ ଦିନ ରେ ସମସ୍ତ ହବିଷ୍ୟାଳି ମାନେ ନିଜ ନିଜ ଘରକୁ ଫେରିଛନ୍ତି l ହବିଷ୍ୟାଳି ମାନେ ଫେରିବା ସମୟରେ ଏକ ଭାବବିହୁଳ ପରିବେଶ ଦେଖିବାକୁ ମିଳିଥିଲା l
ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ଦୀର୍ଘ ଏକ ମାସ ଧରି ଚାଲିଥିବା କାର୍ତ୍ତିକ ବ୍ରତ ଉଦଯାପିତ ହୋଇଛି। ଦୀର୍ଘ ଏକମାସ ଧରି ନିଷ୍ଠା ଓ ଭକ୍ତିର ସହ କାର୍ତ୍ତିକ ବ୍ରତ କରି ମହାଧାର୍ମିକ କାର୍ତ୍ତିକମାସ ପାଳନ କରିଥିବା ହବିଷ୍ୟାଳୀଙ୍କୁ ବିଦାୟ ଦିଆଯାଇଛି। ବୃନ୍ଦାବତୀ ନିବାସରେ ଜିଲ୍ଲାପାଳ ସମର୍ଥ ବର୍ମା,ଏସପି କେ.ବିଶାଲ ସିଂଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ହବିଷ୍ୟାଳୀଙ୍କୁ କଦଳୀ,ଫଳ ଓ ଶୁଖିଲା ଭୋଗ ଦେଇ ବିଦାୟ ଜଣାଇଥିଲେ। ବୃନ୍ଦାବତୀ ନିବାସ ସହ ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ସମଗ୍ର ରାଜ୍ୟରୁ ୩ ହଜାରରୁ ଉର୍ଦ୍ଧ୍ବ ହବିଷ୍ୟାଳୀ ଦୀର୍ଘ ଏକ ମାସ ହେବ ଗୋଟିଏ ପରିବାର ଭଳି ରହି କାର୍ତ୍ତିକ ବ୍ରତ ପାଳନ କରିଥିଲେ। ଏବେ ବିଦାୟ ସମୟ ଆସିଥିବାରୁ ସବୁ ହବିଷ୍ୟାଳୀଙ୍କ ମଧ୍ୟରେ ଦୁଃଖ ଖେଳିଯାଇଛି।
ସେହିପରି ମହାପ୍ରଭୁଙ୍କ କରୁଣା ଓ ଆଶୀର୍ବାଦ ରହିଲେ ବଞ୍ଚିଥିଲେ ପୁଣି ଆର ବର୍ଷ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି କୋହଭରା କଣ୍ଠରେ ହବିଷ୍ୟାଳୀ କହିଛନ୍ତି। ଏକ ମାସ ଧରି ମା ମାନଙ୍କର ରହିବା, ମହାପ୍ରସାଦ ସେବନ କରିବା, ଶ୍ରୀଜିଉଙ୍କୁ ଦର୍ଶନ କରିବା, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ଆଦି ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ଚଳିତ ବର୍ଷର ହବିଷ୍ୟାଳୀ ଯୋଜନା ସରିଛି। ଆସନ୍ତା ବର୍ଷ ଆହୁରି ଭଲ ଭାବେ ଏହା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ପିଣ୍ଟୁ ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now