ଓଡ଼ିଶାକଟକକ୍ରୀଡ଼ା

ସାରା ରାଜ୍ୟରେ ହକି କ୍ରେଜ

() ଆସନ୍ତା କାଲି କଟକରେ ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ।  ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ। ଦିନ ୨ଟା ପରେ କଟକର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଜିଲ୍ଲାପାଳ  ଘୋଷଣା କରିଛନ୍ତି। ହକି ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି।

ରାତି ପାହିଲେ ପୁରୁଷ ହକି ବିଶ୍ବକପର ଉଦଘାଟନୀ ଉତ୍ସବ। ଦୁଲୁକିବ କଟକର  ବାରବାଟୀ ଷ୍ଟାଡିୟମ। ବାଜିବ ହକି ବିଶ୍ବକପ ବିଗୁଲ। ଏଥିପାଇଁ କରାଯାଇଛି ବିଶେଷ କାର୍ଯ୍ୟକ୍ରମର ଆୟୋଜନ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ। ଆଉ ଏଥିରେ ମୁଖ୍ୟ ଆକର୍ଷଣ ପାଲଟିବେ ବଲିଉଡ ଷ୍ଟାର  ଆଇକନ। ଉଦଘାନଟୀ ଉତ୍ସବରେ ଧମାଲ କରିବେ ରଣବୀର ସିଂ ଓ  ଦିଶା ପଟାନୀ। ସେହିଭଳି ପ୍ରୀତମଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଦର୍ଶକ । ଉଦଘାଟନୀ ଉତ୍ସବରେ ୩୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।  ସହରର ୧୬ ଟି ସ୍ଥାନରେ  ଫ୍ୟାନ ପାର୍କ କରାଯାଇଛି ଯେଉଁଠି ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଦେଖିବା ପାଇଁ ସୁଯୋଗ ପାଇ ପାରିବେ ଦର୍ଶକ। ଏହା ଛଡା ପ୍ରତି ୱାର୍ଡ଼ରେ ଏଲିଡି ସ୍କ୍ରିନ୍ ର ବ୍ୟବସ୍ଥା କରାଯାଇଛି। ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ବାଲିଯାତ୍ରା ପଡିଆଠାରେ ୧୦୦ ଫୁଟ ଲମ୍ବାର ଏକ ବିଶାଳ ହକି ଷ୍ଟିକ ନିର୍ମାଣ ହୋଇଛି। ଆଉ ଏଥିରେ ୫୦୦୦ ହକି ବଲ ବ୍ୟବହାର ହୋଇଛି ଯାହାକି ଵିଶ୍ୱରେ ପ୍ରଥମ ଥର ପାଇଁ ହୋଇଥିବା କହିଛନ୍ତି ସୁଦର୍ଶନ। କେଵଳ ସେତିକି ନୁହେଁ ବାରବାଟୀ ଷ୍ଟାଡିୟମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସଜା ଯିବା ସହ ଆଲୋକିକରଣ ବ୍ୟବସ୍ଥା କରାଯାଇଛି।

ଅତ୍ୟାଧୁନିକ ବିଶାଳ ମଂଚ ସହ ବାରବାଟୀ ଷ୍ଟାଡିୟମରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଷ୍ଟାଡିୟମ ଓ ଏହାର ଆଖପାଖ ଅଂଚଳରେ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ। ସୁରକ୍ଷା ଦାୟିତ୍ବ ତଦାରଖ ପାଇଁ ୪୦ ଜଣ ଡିଏସପିସ୍ତରୀୟ ଅଧିକାରୀ, ୫୫ ଜଣ ଇନସପେକ୍ଟର ନିୟୋଜିତ ହେବେ। ସେହିଭଳି ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମକୁ ତ୍ରୀସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବ।ସମ୍ପୂର୍ଣ ବ୍ୟବସ୍ଥାକୁ ତଦାରଖ କରିବା ପାଇଁ କଣ୍ଟ୍ରୋଲ ରୁମ କରାଯାଇଛି। ସେପଟେ ଆସନ୍ତାକାଲି କଟକ ସହରରେ ଥିବା ସମସ୍ତ ସ୍କୁଲ, କଲେଜଗୁଡିକୁ ଦିନ ୨ଟା ରୁ ଛୁଟି କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ହକି ବିଶ୍ବକପ ଉଦଘାଟନକୁ ନେଇ ସବୁଠି ନାହିଁ ନଥିବା ଉସ୍ତାହ। ପୁରପଲ୍ଲୀରୁ  ସହର ବଜାର ସବୁଠି ଏବେ ହକିକୁ ନେଇ ଚର୍ଚ୍ଚା।

ଚିତ୍ତରଂଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button