ବିଦ୍ୟାଳୟରେ ଆରମ୍ଭ ହେଲା ହାଉସ ସିଷ୍ଟମ

Spread the love

ଭୁବନେଶ୍ୱର : ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ‘ହାଉସ ସିଷ୍ଟମ’ ଅନୁସାରେ ଏହି ରଙ୍ଗିନ ପୋଷାକ ବ୍ୟବସ୍ଥା କରାଯାଇଛି । ଲାଲ୍‌, ହଳଦିଆ, ସବୁଜ ଓ ନୀଳ ୟୁନିଫର୍ମରେ ଛାତ୍ରଛାତ୍ରୀମାନେ ନୂଆ ରୂପରେ ସଜେଇ ହୋଇଛନ୍ତି । ପିଲାମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନୂତନ ପ୍ରୟାସ ‘ହାଉସ ସିଷ୍ଟମ’ ଆରମ୍ଭ କରିଛି । ‘ହାଉସ ସିଷ୍ଟମ’ ଅନୁସାରେ, ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦଳଗତ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଉଛି । ଅନ୍ତର୍ନିହିତ ଗୁଣର ବିକାଶ, ସମସ୍ୟାର ସମାଧାନ କରିବା, ପାରସ୍ପରିକ ସମ୍ପର୍କ, ସୃଜନଶୀଳ ଚିନ୍ତାଧାରା, ସହାନୁଭୂତି ମନୋଭାବ, ଦଳଗତ କାର୍ଯ୍ୟ, ସହଯୋଗ ମନୋବୃତି, ନିଷ୍ପତି ନେବାର କ୍ଷମତା, ସମାଲୋଚନାତ୍ମକ ଚିନ୍ତାଧାରା, କର୍ତ୍ତବ୍ୟପରାୟଣତା, ଆତ୍ମସଚେତନତା, ଆତ୍ମବିଶ୍ୱାସ ବୃଦ୍ଧି, ବିଫଳତାରୁ ଶିକ୍ଷାଲାଭ କରିବାର କ୍ଷମତା- ଆଦି ବିଭିନ୍ନ ମୌଳିକ ଗୁଣକୁ ବିକାଶ କରିବାରେ ‘ହାଉସ ସିଷ୍ଟମ’ ସହାୟକ ହେବ ।

‘ହାଉସ ସିଷ୍ଟମ’ ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଲାଗୁ ହୋଇଛି । ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକରେ ୪ଟି ହାଉସ ଗଠନ କରାଯାଉଛି । ପ୍ରତି ଶ୍ରେଣୀର ଛାତ୍ରଛାତ୍ରୀ, ପ୍ରତିଭା ଏବଂ ଲିଙ୍ଗଗତ ସାମସ୍ୟକୁ ଦୃଷ୍ଟିରେ ରଖି ସମାନୁପାତରେ ୪ଟି ଦଳ ଗଠନ କରାଯାଉଛି । ୧୦୦ରୁ କମ୍ ଥିବା ବିଦ୍ୟାଳୟରେ ଦୁଇଟି ହାଉସ ବା ଦଳ ଗଠନ କରାଯାଉଛି । ପ୍ରତି ହାଉସକୁ ବିଦ୍ୟାଳୟ ପକ୍ଷରୁ ନାମକରଣ କରାଯାଉଛି । ପ୍ରାକୃତିକ ସମ୍ପଦ- ନଦୀ, ପର୍ବତ, ଗଛ, ପକ୍ଷୀ, ଫୁଲଗୁଡିକର ନାମକୁ ବ୍ୟବହାର କରାଯାଉଛି ।

ପାଠପଢ଼ା, ନେତୃତ୍ୱ ନେବାର କଳା, ବିଭିନ୍ନ କାର୍ଯ୍ୟକଳାପରେ ଦକ୍ଷ ଥିବା ଜଣେ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ହାଉସର ଅଧିନାୟକ(କ୍ୟାପଟେନ) ଭାବେ ମନୋନୀତ କରୁଛନ୍ତି । ଆଉ ଜଣେ ଉପଅଧିନାୟକ ଓ ଜଣେ ହାଉସ ପ୍ରତିନିଧି ଭାବେ ମଧ୍ୟ ମନୋନୀତ ହେଉଛନ୍ତି । ପ୍ରତି ସପ୍ତାହରେ ଗୋଟିଏ ପିରିୟଡରେ ହାଉସର ବୈଠକ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି । ବୈଠକରେ ବିଭିନ୍ନ କାର୍ଯ୍ୟର ଯୋଜନା, କ୍ରିୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଉଛି । ପ୍ରତି ହାଉସ ପାଇଁ ଜଣେ ଶିକ୍ଷକଙ୍କୁ ହାଉସ ମାଷ୍ଟର ଭାବେ ପ୍ରଧାନ ଶିକ୍ଷକ ନିୟୋଜିତ କରିଛନ୍ତି । ହାଉସ ମାଷ୍ଟରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧିନାୟକ କାର୍ଯ୍ୟକରୁଛନ୍ତି । ପ୍ରତି ବର୍ଷ ଭଲ କାମ କରିଥିବା ହାଉସକୁ ‘ହାଉସ ଅଫ୍ ଦ ଇୟର’ର ଭାବେ ପୁରସ୍କୃତ କରାଯିବ ।

ପ୍ରତି ହାଉସ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ ଦିବସ ପାଳନ କରିବା, ଏହି ଅବସରରେ କୁଇଜ୍‌, ବକ୍ତୃତା, ଚିତ୍ରାଙ୍କନ, ପୋଷ୍ଟର ତିଆରି କରିବା, ବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବୃକ୍ଷରୋପଣ, ପୁଷ୍ପବାଟିକା ଦାୟିତ୍ୱ ନେବା, ବିଦ୍ୟାଳୟର ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବା, ପ୍ରାର୍ଥନା ସଭାରେ ସମାଚାର ଉପସ୍ଥାପନା କରିବା, ପର୍ବପର୍ବାଣିରେ ଲୋକନୃତ୍ୟ, ଲୋକକଳା, ନାଟକ ପରିବେଷଣ କରିବା, ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା, ପ୍ରବନ୍ଧ ରଚନା, ପୁସ୍ତକ ସମୀକ୍ଷା ଆଦି ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷାଦାନ କରିବା ଦିଗରେ ‘ହାଉସ ସିଷ୍ଟମ’ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *