କଂଗ୍ରେସ ବିରୋଧରେ କୌଣସି କାମ କରିନି : ଚିରଞ୍ଜୀବ ବିଶ୍ୱାଳ

Spread the love

ଭୁବନେଶ୍ୱର : କଂଗ୍ରେସରୁ ନିଲମ୍ବନ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚିରଞ୍ଜୀବ ବିଶ୍ୱାଳ । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମୁଁ କଂଗ୍ରେସ ପରିବାରରୁ ଆସିଛି । ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା । କଂଗ୍ରେସରୁ ନିଲମ୍ବନ କରିବା ମୋତେ ଦାରୁଣ ଆଘାତ ଦେଇଛି । ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି । କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ୱରରେ ଏକ ମିଟିଂ କରାଇଥିଲୁ । ମୁଁ ଜଣେ ସ୍ୱାଭିମାନୀ ଲୋକ, ଆକ୍ସନକୁ ଡରୁନାହିଁ । ଦୁର୍ବଳ ଲୋକ ଅଭିଯୋଗ କରେ, ମୁଁ କେଉଁଠି ଅଭିଯୋଗ କରିବିନି । ଯୋଗ୍ୟ ଲୋକଙ୍କୁ ହତାଶ କରାଯାଉଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଜାନକୀ ଓ ବସନ୍ତଙ୍କ ଯୋଡ଼ି କଂଗ୍ରେସକୁ ସରକାର ଗଠନ କରିବାରେ ସାହାଯ୍ୟ କାରିଥିଲା । ପୂର୍ବରୁ କଂଗ୍ରେସକୁ କିଭଳି ସୁଦୃଢ଼ କରାଯାଇ ପାରିବ, ଆଲୋଚନା ହୋଇଥିଲା। କୁହାଗଲା, ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା। ହେଲେ ଧାମନଗର ଓ ପଦ୍ମପୁର ନିର୍ବାଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଚିରଞ୍ଜୀବ ଆହୁରି କହିଛନ୍ତି, ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କଲେ କଂଗ୍ରେସ ସୁଦୃଢ଼ ହୋଇପାରିବନି । ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ । କଂଗ୍ରେସରୁ ନିଲମ୍ବନ କରିବା ମୋତେ ଆଘାତ ଦେଇଛି । ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ ଦୂରେଇବାକୁ ଚେଷ୍ଟିତ ଅଛି । ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ୨୫ ବର୍ଷ ହେଲା ଜିତିନାହାନ୍ତି । ଚକ୍ରାନ୍ତ କାହା ପରାମର୍ଶରେ ହେଉଛି, ସେକଥା ମୁଁ ଜାଣିନି । ହେଲେ କଂଗ୍ରେସ କର୍ମୀମାନେ ଆଗେଇ ଆସନ୍ତୁ, ଏ ଚକ୍ରାନ୍ତ ପଣ୍ଡ କରନ୍ତୁ ବୋଲି ସେ କହିଛନ୍ତି ।

ଯେଉଁଠି କଂଗ୍ରେସ ସ୍ଥିତି ଭଲ, ସେଇଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି । ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟା କରାଯାଉଛି । ଯଦି ମୋତେ ଛାଡ଼ି ୯ରୁ ୯୦ ମିଶନ ସଫଳ କରିବେ, ସେଥିପାଇଁ ସାଧୁବାଦ ଜଣାଉଛି ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା ।  ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଉଭୟଙ୍କୁ ନିଲମ୍ବନ କରିଥିବା ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ୍ ଅନୱାର ଏକ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *