ଓଡ଼ିଶା

ଆଇଏଏସ ଅନ୍ୟାଙ୍କଠୁ ନେଇ ଅନନ୍ୟା ଦାସଙ୍କ ଯାଏ

() ଆଇଏଏସ ଅନ୍ୟାଙ୍କଠୁ ନେଇ ଅନନ୍ୟା ଦାସଙ୍କ ଯାଏ। ବିବାଦ ଯେମିତି ସହଚର ହୋଇଗଲାଣି ଏମାନଙ୍କ ଲାଗି। ସେଥିଲାଗି ତ କଟକରୁ ନବରଙ୍ଗପୁର। ନେତାଙ୍କ ସହ ଅପଡ଼ ଅଧ୍ୟାୟକୁ ନେଇ ଜୋରଦାର ଚର୍ଚ୍ଚା ଘେରରେ। ଜିଲ୍ଲାର ଜିଲ୍ଲାପାଳଙ୍କ କଥାକୁ ବି କୁଆଡ଼େ ଖାତିର କରନ୍ତିନି ବୋଲି ଅପବାଦ ରହିଛି। କାରଣ ସେ ଆଇଏଏସ। ଆଉ ଜିଲ୍ଲାପାଳ ପ୍ରମୋଟି ଆଇଏଏସ। କଟକରୁ ବଦଳି ପରେ ସମ୍ୱଲପୁର ଜିଲ୍ଲାପାଳ ଅନନ୍ୟା ହେଲେ ସତ। କିନ୍ତୁ ନବରଙ୍ଗପୁର ନଗରପାଳଙ୍କୁ ଦୁର୍ବବ୍ୟହାର କରି ଆଇଏଏସ ଅନ୍ୟାଙ୍କୁ ନେଇ ନିଆଁ ଏବେ ବି କୁରୁଳୁଛି।

ଅନନ୍ୟା ଦାସ। ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର। ଆସାମର ଝିଅ। ହେଲେ ଓଡ଼ିଶାରେ ପୋଷ୍ଟିଂ। ପ୍ରଥମ ଚେଷ୍ଟାରେ ସଫଳତା ପାଇଥିଲେ ସିଭିଲ ସର୍ଭିସରେ ଅନନ୍ୟା। ସର୍ବଭାରତୀୟ ରାଙ୍କ ଥିଲା ୧୬। ଆଉ ରାଜ୍ୟ ଟପ୍ପର। ସିଭିଲ ସର୍ଭିସରେ ଅପ୍ସନାଲ ବିଷୟ ରଖିଥିଲେ ରାଜନୀତି ବିଜ୍ଞାନ ଓ ଇଣ୍ଟରନାସନାଲ ରିଲେସନକୁ। ଦକ୍ଷ ଅଫିସର ବୋଲି ବି କୁହାଯାଏ। କିନ୍ତୁ କାହିଁକି କେଜାଣି ନା ରାଜନେତାଙ୍କ ସହ ତାଙ୍କର ପଡ଼ୁଛି ନା ଜନତାଙ୍କ ସହ ସୁ-ସମ୍ପର୍କକୁ ନେଇ ସେତିକି ଚର୍ଚ୍ଚାରେ ରହୁଛନ୍ତି। ନିର୍ବାଚିତ ପ୍ରତିନିଧିଙ୍କ ସହ ଅପଡ଼କୁ ନେଇ ଅପବାଦ ତାଙ୍କ ପିଛା ଛାଡ଼ୁନି। ଓଡ଼ିଶା କ୍ୟାଡ଼ର ଆଇଏଏସ ମହମ୍ମଦ ଅବଦଲ ଅଖତାରଙ୍କୁ ବିବାହ ଗ୍ରାଉଣ୍ଡରେ ସେ ଓଡ଼ିଶା କ୍ୟାଡ଼ରକୁ ବଦଳିଥିଲେ। ସିଏମସି କମିଶନର ପରେ ଏବେ ସମ୍ୱଲପୁର ଜିଲ୍ଲାପାଳ। କିନ୍ତୁ ସିଏମସି କମିଶନର ଥିଲା ବେଳେ ବିଧାୟକଙ୍କ ସହ କଥା କଟାକଟିକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ। ସିଏମସି କମିଶନର ଥିଲାବେଳେ ଛତ୍ରବଜାର ପାଖ ବାଲିସାହି ବସ୍ତିବାସିନ୍ଦାଙ୍କୁ ଉଛେଦ ନିଷ୍ପତ୍ତି ନେଇ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ମେ ୯, ୨୦୨୧ରେ ପ୍ରାୟ ୨ଶହ ପରିବାରକୁ ରାସ୍ତା ପ୍ରଶସ୍ତିକରଣ ଓ ଅନ୍ୟାନ୍ୟ ପ୍ରକଳ୍ପ ନାଁରେ ଉଛେଦ କରିଥିଲା ସିଏମସି। ପ୍ରଭାତଙ୍କ ପୁଅ ଏବେକାର ବିଧାୟକ ସୌଭିକ ବିଶ୍ୱାଳ ଉଭୟ ଏଥିନେଇ ଅନନ୍ୟାଙ୍କୁ ଦାୟୀ କରି ବର୍ଷିଥିଲେ। ଲକଡାଉନ ବିପତ୍ତି ବେଳେ ଏଭଳି ଉଛେଦ ହୋଇଥିଲା। ଆଉ ଉଛେଦ ପରଦିନ ହିଁ କାଳବୈଶାଖୀର ତାଣ୍ଡବ ଗରିବଙ୍କ ଦୁର୍ଦ୍ଦଶାକୁ ବଢ଼ାଇଦେଇଥିଲା। କେମିତି ଖୋଲା ଆକାଶ ତଳେ ଗରିବ ଷଢ଼ୁଛନ୍ତି, ତାହାର ଭିଡ଼ିଓ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀଙ୍କୁ ଦେଖାଇଥିଲେ ବାପ ପୁଅ। ୧୫ ମିନିଟ ପାଇଁ କମିଶନର ଅନନ୍ୟା ଆସନ୍ତୁ ଆଉ ଦେଖନ୍ତୁ ବୋଲି ଦାବି କରିଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ଅସହାୟତାକୁ ବାରି ପାରିଥିଲେ ବିଧାୟକ ସୌଭିକ୍। ବିକଳ୍ପ ବ୍ୟବସ୍ଥା ନ ହେଲା ଯାଏ, ଯଦିଓ ପରେ ପ୍ରଶାସନ ଆନ୍ଦୋଳନରତ ବସ୍ତିବାସିନ୍ଦାଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ବ୍ୟବସ୍ଥା ବୁଝିଥିଲେ। ଆଉ କମିଶନର ଅନନ୍ୟା ଯଦିଓ ସାଙ୍ଗରେ ଆସି ସ୍ଥିତି ପରଖିଥିଲେ, କିନ୍ତୁ ବିଶ୍ୱାଳ ବାପ-ପୁଅଙ୍କ ସହ ନୁହେଁ। ସଦର ବିଧାୟକଙ୍କ ସହ ଆସି ବେଶ୍ ହଟ୍ଟହଟା ହୋଇଥିଲେ। କାରଣ ସିଏମସି ଅଧିକାରୀଙ୍କୁ ବିରୋଧ କରି ମାମଲା ଖାଇଥିଲେ ଦିନ ମଜୁରିଆ। କିନ୍ତୁ ଏଭଳି ଦୁର୍ଦ୍ଦଶାକୁ ଠେଲି ଦେଇଥିବା ଅନନ୍ୟା ମ୍ୟାଡାମ୍ କେମିତି ବର୍ତ୍ତିଗଲେ, ତାକୁ ନେଇ ସବୁଠି ଅସନ୍ତୋଷର ଦାନା ବାନ୍ଧିଥିଲା। ଜଳବନ୍ଦୀ ସମସ୍ୟା, ଜାଇକା ଯନ୍ତ୍ରଣାକୁ ଦୂର କରିବାକୁ ପଣ କରିଥିବା ଓ ନିଜକୁ କଟକର ଝିଅ କହିଥିବା ଅନନ୍ୟା କିନ୍ତୁ ଭଲ ପ୍ରଶାସିକା ସାଜିପାରିଲେନି ଏଭଳି ଗରିବଙ୍କ ଆଖିରେ। ନା ନିର୍ବାଚିତ ପ୍ରତିନିଧିଙ୍କ ଆଖିରେ। ଅନେକ ତ ଅହଙ୍କାରୀ ଅନନ୍ୟା କହିବାକୁ ପଛାଇଲେନି। ଏହା ସହ ବ୍ୟୁରୋକ୍ରାଟଙ୍କ କ୍ଷମତା ଆଗରେ ଜନପ୍ରତିନିଧି ଯେ ଗୌଣ ହୋଇଗଲେ, ଏ ଚର୍ଚ୍ଚା କଟକରୁ ବଦଳି ହେବା ଯାଏ ଥମିନଥିଲା।

ଏ ତ ଗଲା କଟକ ଏପିସୋଡ୍। ସେପଟେ ନବରଙ୍ଗପୁର ଜିଲ୍ଲା ପରିଷଦ ସିଇଓ ଦାୟିତ୍ୱ ନେଇଥିବା ଓଡ଼ିଆ ଝିଅ ଆଇଏଏସ ଅନ୍ୟା ଦାସଙ୍କୁ ନେଇ ବଡ଼ ବିବାଦ। ବାରିପଦା ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରି ନବରଙ୍ଗପୁର ଆସୁ ଆସୁ ନଗରପାଳ କୁନୁ ନାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଅଡ଼ୁଆରେ ଅନ୍ୟା ଦାଶ।  ନୂଆ ବର୍ଷ ଦିନ ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ ବେଳେ ମଞ୍ଚରେ ଉପସ୍ଥିତ ନଗରପାଳଙ୍କୁ ତୁମେ କିଏ ପଚାରି ପ୍ରୋଟୋକଲର ପାଠ ପଢାଇଥିଲେ। ଆଉ ଏହାକୁ ଗଣ୍ଠି କରି ବିଜେପି ଅନ୍ୟାଙ୍କ କ୍ଷମାପ୍ରାର୍ଥନା ଦାବି ସହ  ଜିଲ୍ଲାପରିଷଦ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲା। ଏତିକିରେ ସରିନଥିଲା ପ୍ରତିବାଦ। ୧୨ ଘଣ୍ଟିଆ ନବରଙ୍ଗପୁର ସହର ବନ୍ଦ ହେଲା। ଅବଶ୍ୟ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ବିଜେପି କର୍ମୀଙ୍କୁ ବୁଝାଇଥିଲେ। ଏପରିକି ଜିଲ୍ଲାପାଳ ଅନ୍ୟାଙ୍କୁ ନଗରପାଳଙ୍କ ଉପସ୍ଥିତିରେ ଫୋନ୍ କରି ଧାରଣାସ୍ଥଳକୁ ଆସିବାକୁ କହିଥିଲେ।.. ହେଲେ ଶୁଣିନଥିଲେ ଅନ୍ୟା। ତାଙ୍କୁ କେବଳ ହାରାଶ କରିବାକୁ ଏଭଳି ହେଉଛି କହିଥିଲେ ଅନ୍ୟା। ଆଉ କଟକ ଭଳି ଏଠି ବି ଲୋକପ୍ରିୟ ଜିଲ୍ଲାପାଳଙ୍କ ଅସହାୟତା ବାରି ହୋଇପଡୁଥିଲା। ଆଉ ଜିଲ୍ଲାପାଳଙ୍କ ଅନୁରୋଧ ରଖି ଯଦିଓ ବିଜେପି ଧାରଣାରୁ ଓହରିଛି, କିନ୍ତୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସହ ୧୫ ଦିନ ଭିତରେ ଅନ୍ୟାଙ୍କୁ ବଦଳି ଲାଗି ଅଲଟିମେଟମ ଦେଇଛି। ଆଉ ବିଜେଡି ନବରଙ୍ଗପୁର ବନ୍ଦ ବିରୁଦ୍ଧରେ ପ୍ରେସମିଟ୍ କରିଥିଲା ଯଦିଓ। କିନ୍ତୁ ଆଇଏଏସ ଅନ୍ୟାଙ୍କ ବ୍ୟବହାର ଉଚିତ ଥିଲା କି ନା, ସେ ଉତ୍ତର ଦେବାକୁ ଯାଇ ହରଡ଼ଘଣାରେ ପଡ଼ିଥିଲେ ନବରଙ୍ଗପୁର ବିଧାୟକ।

ଅଫିସର-ନେତା କଳି। ହେଲେ ପ୍ରଶାସିକା ଅନ୍ୟାଙ୍କଠୁ ନେଇ ଅନନ୍ୟାଙ୍କ ଯାଏ, କାହିଁକି ଏତେ କେଁ ନିୟମ ଅନୁପାଳନ କରୁଥିବାରୁ ନା ନିୟମ ଅନୁପାଳନ ଆଳରେ କ୍ଷମତା ବଳରେ ଅନ୍ୟକୁ ନ୍ୟୁନ ଦେଖାନ୍ତି। ଏ ପ୍ରଶ୍ନ ସାଧାରଣରେ ଆନ୍ଦୋଳିତ କରୁଛି।

ପ୍ରଦୀପ ନାୟକ

Leave a Reply

Your email address will not be published.

Back to top button