ଓଡ଼ିଶା

୫ ଜିଲ୍ଲାରେ ଚକଡ଼ା ପୋକ ଉପଦ୍ରବ

ଗଞ୍ଜାମ: ଉପଦ୍ରବ ଆରମ୍ଭ କଲାଣି ଚକଡ଼ା ପୋକ। ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ ଚକଡ଼ା ପୋକର ଆକ୍ରମଣ ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଲାଣି। ଯଦିଓ ଏବେ ସୁଦ୍ଧା ସେମିତି ବଡ଼ ଧରଣର କ୍ଷୟକ୍ଷତି ହୋଇନି। ତେବେ ଆଗୁଆ ସତର୍କ ରହିବା ଓ ପତ୍ରମୋଡ଼ା ରୋଗରୁ ଫସଲକୁ ରକ୍ଷା କରିବାକୁ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ କୃଷି ଅଧିକାରୀ ଅନୁଧ୍ୟାନ କରୁଛନ୍ତି।  ଚାଷୀଙ୍କୁ ଛାନିଆ ନ ହୋଇ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ ଓୟୁଏଟି ବି ପରାମର୍ଶ ଦେଇଛି।

ଗଞ୍ଜାମ, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳରେ ଚକଡ଼ା ପୋକ ଚାଷୀଙ୍କ ଚିନ୍ତା ବଢାଇଲାଣି। ମଧ୍ୟମ ଧରଣର ବର୍ଷା, ଆଦ୍ରତା ରହିବାରୁ ଏହି ପୋକଙ୍କ ଉପଦ୍ରବ ଏବେ ପ୍ରାଥମିକ ପର୍ଯ୍ୟାୟରେ ପହଞ୍ଚିଛି। କୃଷି ବିଭାଗ ସୂଚନା ଅନୁସାରେ ଢେଙ୍କାନାଳର ୫ଟି ବ୍ଲକ, କେନ୍ଦୁଝରର ୪, ଗଞ୍ଜାମର ଗୋଟିଏ ବ୍ଲକ୍, ବରଗଡ଼ର ଚାରୋଟି ବ୍ଲକର କିଛି ଅଂଶରେ ଚକଡ଼ାର ପ୍ରାଦୁର୍ଭାବ ଦେଖାଯାଇଛି। ଯଦିଓ କୀଟନାଶକ ସିଞ୍ଚନ ଲାଗି ପରିସ୍ଥିତି ନିୟନ୍ତ୍ରଣରେ ଅଛି। ତା ସତ୍ତ୍ୱେ ଆଗକୁ ଯେଭଳି ଏହାର ପ୍ରକୋପ ବଢ଼ିବନି ସେଥିଲାଗି ଚାଷୀଙ୍କୁ ଛାନିଆ ନ ହୋଇ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛି କୃଷି ବିଭାଗ। ଝାରସୁଗୁଡ଼ାରେ ପ୍ରାୟ ୪୭ ହଜାର ହେକ୍ଟର ଧାନ ଫସଲରେ ରୋଗ ପୋକ ଲାଗିବାର ଆଶଙ୍କା ରହିଛି।

ସେପଟେ କେନ୍ଦୁଝରର ହରିଚନ୍ଦନପୁର, ଚମ୍ପୁଆ, ସାହାରପଡ଼ା ଓ ପାଟଣା ଆଦି ବ୍ଲକରେ ଅନେକ ହେକ୍ଟର ଜମିରେ ପତ୍ରମୋଡ଼ା ପୋକର ଉପଦ୍ରବ ବି ଦେଖିବାକୁ ମିଳିଛି। ଆଉ ଏହାକୁ ମୁକାବିଲା କରିବାକୁ ବି ଅଣ୍ଟା ଭିଡ଼ିଛି କୃଷି ବିଭାଗ। ତେବେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଚାଷୀଙ୍କୁ ଛାନିଆ ନ ହୋଇ ନିରନ୍ତର କୃଷି ବିଭାଗର ପରାମର୍ଶ ଅନୁସାରେ କାମ କରିବାକୁ କହିଛି ବିଭାଗ। ପତ୍ରମୋଡ଼ା ରୋଗ ଲାଗି ପାଣିପାଗର ଆଦ୍ରତା ଓ ଅଧିକ ହାଇବ୍ରିଡ୍ ଧାନ ଫସଲ ଦାୟୀ ବୋଲି କହିଛନ୍ତି କୃଷି ଅଧିକାରୀ।

ଫସଲ ଉପରେ ପୋକ ଦାଉ ସାଧିବା ଆଗରୁ ଏହାକୁ ନିୟନ୍ତ୍ରଣ ଲାଗି କୃଷି ବିଭାଗ ନିରନ୍ତର ଅନୁଧ୍ୟାନ ଜାରି ରଖିଛି। ନିୟନ୍ତ୍ରଣ କକ୍ଷ ଖୋଲି ଓୟୁଏଟି ବି ପରାମର୍ଶ ଜାରି କରିଛି। ଏହି ପୋକରେ ଆକ୍ରାନ୍ତ ଧାନଗଛର ପତ୍ର ହଳଦିଆ ହୋଇଥାଏ। ମୂଳରୁ ରସ ଶୋଷି ଖାଇଯାଆନ୍ତି ଏହି ପୋକ।

ବୁଗୁଡ଼ାରୁ ଅଭିମନ୍ୟୁ ମିଶ୍ର, କେନ୍ଦୁଝରରୁ ପାର୍ଥ ମିଶ୍ର ଓ ଝାରସୁଗୁଡ଼ାରୁ ସନ୍ତୋଷ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button