ଓଡ଼ିଶାରାଜନୀତି

ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା! ସରଗରମ ରାଜ୍ୟ ରାଜନୀତି

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି । ଆନ୍ଦୋଳନ କି ପ୍ରତିବାଦର ରାସ୍ତାରେ ନାହିଁ ବିଜେପି। ଏ କଥା ସ୍ପଷ୍ଟ କରିସାରିଥିଲା, ଆଉ ଆଜି ବି ଆଉ ଥରେ କରିଛି ଦଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତେଜୁଥିବା ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ଉପଲକ୍ଷେ ପଦଯାତ୍ରା ବାବଦରେ ଏଭଳି ସ୍ପଷ୍ଟ ଆଭିମୁଖ୍ୟକୁ ଦୋହରାଇଛି ପଦ୍ମ ଶିବିର। ହେଲେ ଦଳୀୟ ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଯେଉଁ ରାସ୍ତା ଧରିଲେ, ସେଥିରେ ଦଳର ଲେନଦେନ ନାହିଁ ବୋଲି ଦଳ ହାତ ଛାଡ଼ିଦେଇଥିଲା ବେଳେ ଏହାକୁ ନେଇ ବିରୋଧୀ ଶିବିରକୁ ମଉକା ମିଳିଛି।
ପୁରୀରେ ଅପରାଜିତାଙ୍କ ଏଣ୍ଟ୍ରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜାଇବ ବୋଲି କାହିଁକି ଓ କେଉଁ ଅଜଣା ଭୟ ପ୍ରଶାସନକୁ ଘାରିଛି। ଗଜପତି ମହାରାଜାଙ୍କ କାହିଁକି ଆଶ୍ରୟ ନେବାକୁ ପଡ଼ିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗଠିତ ଗୃହ କମିଟି କୁଆଡ଼େ ଗଲା। ଏଭଳି ଶବ୍ଦରେ ପୁଲିସ, ପ୍ରଶାସନର ସମରସଜ୍ଜା ସହ ସ୍ଥାନୀୟ ସାଂସଦ ଓ ସର୍ବୋପରି ରାଜ୍ୟ ସରକାରଙ୍କୁ କଟାକ୍ଷ କରି ପଦଯାତ୍ରା କରିଥିବା ଅପରାଜିତାଙ୍କୁ କିନ୍ତୁ ସମର୍ଥନ କରୁନି ନିଜ ଦଳ। ଏଭଳି ପଦଯାତ୍ରା କି ଆନ୍ଦୋଳନର ତରିକା ସହ ଦଳ ନାହିଁ କି ସମର୍ଥନ କରୁନି ବୋଲି ବୟାନ ଦେଇଛନ୍ତି ଗଣମାଧ୍ୟମରେ ଜଣକ ପରେ ଜଣେ ନେତା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମନ୍ଦିର ସୁରକ୍ଷାକୁ ନେଇ ସନ୍ଦେହ ଉଠିବା ପରେ ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ ଆଳରେ ଶକ୍ତି ପ୍ରଦର୍ଶନ କରି ପଦଯାତ୍ରା ପତିଆରା ଦେଖାଇଲେ ଅପରାଜିତା। ସେପଟେ ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ନରସିଂହ ମିଶ୍ର। ଗଜପତି ଓ ସରକାରଙ୍କ ପକ୍ଷରୁ ଦେଉଥିବା ବ୍ୟକ୍ତିଙ୍କ ମନ୍ତବ୍ୟକୁ ନେଇ ବି ଚକିତ ଥିବା କହିଛନ୍ତି ନରସିଂହ। ବିଶେଷଜ୍ଞ ଟିମ୍ ର ମତ ନେବା ଦରକାର। ଗୃହ କମିଟିର ଆଭିମୁଖ୍ୟକୁ ନେଇ ସନ୍ଦେହ କରିଛନ୍ତି ନରସିଂହ। କିନ୍ତୁ ବିଜେଡିର କହିବା କଥା, କୌଣସି ବେଆଇନ କାମ ହୋଇନଥିଲା ବେଳେ ପ୍ରକଳ୍ପ କାମରେ ବାଧା ଦେଇ ତୁଛା ରାଜନୀତିରେ ବ୍ୟସ୍ତ ଅପରାଜିତା। ପୁରୀ ବିଧାୟକ ବି ପ୍ରକଳ୍ପ କାମରେ ପ୍ରତିବନ୍ଧକ ନ ହେବାକୁ କହିସାରିଲେଣି। ଏଭଳି ବାଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ଥମୁନି ଆରୋପ ପ୍ରତ୍ୟୋରାପ କି ଥମୁନି ରାଜନୀତି।

Leave a Reply

Your email address will not be published.

Back to top button