ଓଡ଼ିଶାରାଜନୀତି

ଆଇନଶୃଙ୍ଖଳା ଗୃହକୁ କରିଦେବ ଅଚଳ!

ଭୁବନେଶ୍ୱର: ୨୧ରୁ ବିଧାନସଭା। ୨୦ରେ ବସିବ ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବାକୁ ସମସ୍ତଙ୍କ ସହଯୋଗ ଲୋଡ଼ାଯିବ। ହେଲେ ଏବେକାର ସ୍ଥିତିକୁ ଦେଖିଲେ ଗୃହ ଆରମ୍ଭରୁ ଅଚଳ ହେବାର ଆଶଙ୍କା ଜଳଜଳ କରି ଦିଶିଲାଣି। କାରଣ ଆଇନଶୃଙ୍ଖଳା କାଳ ଗୃହକୁ ଅଚଳ କରିଦେବ। ନବ ଦାସ ହତ୍ୟାକାଣ୍ଡରୁ ନେଇ ଜୟନାରାୟଣ ମିଶ୍ରଙ୍କ ଆଚରଣକୁ ଆଧାର କରି ବିଜେପି-ବିଜେଡି ମୁହାଁମୁହିଁ ହେବା ଥୟ। ଆଉ କଂଗ୍ରେସ ପାଖରେ ଯଦିଓ ଉଭୟଙ୍କୁ ଟାର୍ଗେଟ କରିବାକୁ ସୁଯୋଗ ଅଛି, ହେଲେ ମଉକା ମିଳିବ କି ନାଁ ସନ୍ଦେହ।

ଗଲା ବିଧାନସଭା ଶୀତକାଳୀନ ଅଧିବେଶନରେ ପଦ୍ମପୁର ଉପନିର୍ବାଚନ ପାଇଁ ଗୃହରେ ମରୁଡ଼ି ଥିଲା। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବି ପ୍ରଥମ ଦିନ ଆସି ମୁଖ୍ୟମନ୍ତ୍ରୀ ଆଗତ କରିଥିବା ଶୋକପ୍ରସ୍ତାବକୁ ସମର୍ଥନ କରି ଚାଲିଯାଇଥିଲେ। ଆଉ ଅଧିବେଶନ ସରିବା ଯାଏ ସମ୍ଭାଳିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମନ୍ତ୍ରୀ ମରୁଡ଼ି ଓ ଅର୍ଚ୍ଚନା ନାଗ ମାମଲାରେ ଅଧିବେଶନ ସରଗରମ ଥିଲା। ଆଉ ୨୧ରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ୨୦ରେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।

ହେଲେ ଗୃହ ଚାଲିପାରିବ ତ। କାରଣ ଏଥର ବି ମନ୍ତ୍ରୀ ଓ ମହିଳାଙ୍କୁ ନେଇ କମ୍ପିବ ଗୃହ। କାରଣ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳିରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଗୁମର ଏବେ ବି ରହସ୍ୟରେ। କ୍ରାଇମବ୍ରାଞ୍ଚ କିଛି କହୁନି। ଗୃହ ବିଭାଗର ମୁଖିଆ ମୁଖ୍ୟମନ୍ତ୍ରୀଙ୍କୁ ଘେରିବାକୁ ତୟାର ବିରୋଧୀ। କାରଣ ସଡ଼କରୁ ସଂସଦ ଯାଏ ସ୍ୱରକୁ ଶାଣିତ କରିସାରିଲାଣି ମୁଖ୍ୟ ବିରୋଧୀ ବିଜେପି। ଆଉ ବିରୋଧୀ ଦଳ ନେତା ଜୟନାରାୟଣ ବି କହିଲେଣି, କୁଆଡ଼େ ତାଙ୍କୁ ମ୍ୟାନେଜ୍ କରିବାରେ ଫେଲ୍ ମାରିବାରୁ ବିଜେଡି ତାଙ୍କ ବିରୁଦ୍ଧରେ ନିରନ୍ତର ଷଡ଼ଯନ୍ତ୍ର ରଚିଚାଲିଛି। ଯଦି ତାଙ୍କ ବାବଦରେ ଆଲୋଚନା ହୁଏ, ତେବେ ସେ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି କହିଲେଣି ଜୟନାରାୟଣ। ହେଲେ ଜୟନାରାୟଣ ମିଶ୍ର ଧନୁପାଲି ଆଇଆଇସିଙ୍କୁ ମାଡ଼ ମରା ଘଟଣାକୁ ନେଇ ଗଣ୍ଠି କରିଥିବା ବିଜେଡି ବିରୋଧୀ ଦଳ ନେତାଙ୍କୁ ରାଜନୀତିରେ ଶାଳୀନତାର ପାଠ ପଢ଼ାଇଛି। ଆଉ ଏ ଦୁଇ ଦଳ ଭିତରେ କଜିଆ ଓ ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଝଡ଼କୁ ନିରାପଦ ଜୋନରେ ଦେଖୁଥିବା କଂଗ୍ରେସ କହିଛି, ନବ ଦାସ ହତ୍ୟାକାଣ୍ଡରୁ ନେଇ ବିରୋଧୀ ଦଳ ନେତାଙ୍କ ଆଚରଣ ଯାଏ, ସବୁ କଥାର ସ୍ପଷ୍ଟୀକରଣ ମଗାଯିବ ବିଧାନସଭାରେ।

ମନ୍ତ୍ରୀ ମରୁଡ଼ିକୁ ନେଇ ଗଲା ବିଧାନସଭା ହୁଲସ୍ତୁଲ ହୋଇଥିଲା। ଆଉ ଏବେ ଜଣେ ମନ୍ତ୍ରୀ ପୁଲିସ ଗୁଳିରେ ଚାଲିଯିବା ଘଟଣା ମୁଖ୍ୟ ପ୍ରସଙ୍ଗ ସାଜିବ ବିଧାନସଭାରେ। କିନ୍ତୁ ତାକୁ କାଉଣ୍ଟର କରିବାକୁ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିରୋଧୀ କମ୍ପିବାବେଳକୁ ବିରୋଧୀ ଦଳ ନେତାଙ୍କ ଆଚରଣକୁ ଆୟୁଧ କରିବ ଶାସକ ଦଳ। ଏ କଥା ଏବେଠୁ ଜଳଜଳ ଦିଶୁଛି। ଲାଗୁଛି ଯେମିତି, ବିଧାନସଭା ଆରମ୍ଭ ଯାଏ ଏ ବିବାଦ ଥମିବନି। ଆଉ ଆରମ୍ଭରୁ ଯାହା ହେବ, ତାହା ଗୃହର ପରିବେଶରୁ ସ୍ପଷ୍ଟ ହୋଇଯିବ।

ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button