– ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି
ଭୁବନେଶ୍ୱର: ଗତକାଲି ଝାରସୁଗୁଡା ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ୭୯.୨୧ ପ୍ରତିଶତ ମତଦାନ ହୋଇଛି । ଆସନ୍ତା ୧୩ ତାରିଖ ଶନିବାର ଦିନ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ଉପନିର୍ବାଚନ ଭୋଟଗଣତି ସଂପର୍କରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ୮.୩୦ ମିନିଟରେ ଇଭିଏମ୍ ଗଣତି ଆରମ୍ଭ ହେବ । ଭୋଟଗଣତି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଛି । ଭୋଟଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଚତୁଃପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚଳାନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୋଟଗଣତି ଦିନ ଯେପରି କୌଣସି ପ୍ରକାରର ଅସୁବିଧା ନହେବ, ସେଥି ଲାଗି ପ୍ରସ୍ତୁତ ରହିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଭାସୀ ବୈଠକରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍ ନରୱାଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମଥ୍ ପି. ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଓ ଲଙ୍କେଶ୍ୱର ଅମାତ, ଉପଜିଲ୍ଲାପାଳ ରିଟର୍ଣ୍ଣିଂ କିଶୋର ଚନ୍ଦ୍ର ସ୍ୱାଇଁ, ଝାରସୁଗୁଡ଼ା ଡି.ଆଇ.ଓ, ଏନ୍ଆଇସି ଅକ୍ଷୟ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଓଏସ୍ଡି ଭବାନୀ ପ୍ରସାଦ ରାୟ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ, ବିତ ଅଧିକାରୀ ସଂଜୟ କୁମାର ଲୁଗୁନ୍, ଆଇଟି ନୋଡାଲ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now