କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ଓ ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଲୋକାର୍ପଣ

Spread the love

ଭୁବନେଶ୍ୱର : କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରୀତା ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ଓ ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ରାସ୍ତା ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରୀତା ମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଦେଶର ବିକାଶ, ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ। ଗତ ୯ ବର୍ଷ ମଧ୍ୟରେ ଜାତୀୟ ରାଜପଥ ବାବଦରେ ଭାରତ ସରକାର ବିପୁଳ ଅର୍ଥ ବିନିଯୋଗ କରିଛନ୍ତି । ପୂର୍ବାଞ୍ଚଳର ବିକାଶ ହେଲେ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ସେ କହିଛନ୍ତି ଯେ ମୋଦୀ ସରକାର ରାଜ୍ୟ ସରକାରଙ୍କ ସହ ମିଶି ଦେଶର ବିକାଶ କରିଛନ୍ତି। ଓଡ଼ିଶାରେ ନକ୍ସଲ ଗତିବିଧି କମିଛି। ନକ୍ସଲବାଦ ମୁକାବିଲାରେ ଓଡିଶା ସରକାର ସବୁବେଳେ ସହଯୋଗ ଦେଇଛନ୍ତି । ଏଥିଲାଗି ଓଡ଼ିଶା ସରକାରଙ୍କ ଅବଦାନକୁ ମୁଁ ପ୍ରଶଂସା କରୁଛି ବୋଲି ସେ କହିଛନ୍ତି .

ସେ କହିଛନ୍ତି ଯେ. ଓଡ଼ିଶାର ବିକାଶ ଲାଗି ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ଦେଶକୁ ମାର୍ଗଦର୍ଶନ କରିଛି ।

ଉକ୍ତ କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଅମିତ ଶାହ ଉଦବୋଧନ ଦେଇ ପ୍ରାରମ୍ଭରେ କହିଛନ୍ତି, ଓଡିଶାର ଲୋକ ମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଯେତିକି ଭକ୍ତି ଅଛି ସେତିକି ଭକ୍ତି ଗୁଜରାତର ଲୋକ ମାନଙ୍କ ମଧ୍ୟରେ ରହିଛି । ଗୁଜରାତରେ ମଧ୍ୟ ଜଗନ୍ନାଥ ମନ୍ଦିର ଅଛି ଓ ସେଠାରେ ମଧ୍ୟ ପ୍ରତିବର୍ଷ ରଥ ଯାତ୍ରା ଆୟୋଜିତ ହୋଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲେ । ଏହି ଅବସରରେ ସାରା ଦେଶବାସୀ ବିଶେଷକରି ଜମ୍ମୁ-କଶ୍ମୀରବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବଧାଇ ଜଣାଉଛି ବୋଲି ସେ କହିଛନ୍ତି । ଏହି ଭାଷଣରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟ ଉଲ୍ଲେଖ କରିଥିଲେ । ଏହା ଛଡା ସେ କହିଥିଲେ ଯେ, ଭାରତ ରତ୍ନ ଗୋପୀନାଥ ବଡଦୋଳେଇଙ୍କ ପୁଣ୍ୟତିଥି । ତାଙ୍କର କାରଣରୁ ଆସାମ ଓ ଉତ୍ତରପୂର୍ବ ରାଜ୍ୟ ଗୁଡିକ ବିଭାଜନ ବେଳେ ଭାରତରେ ରହିଥିଲା ।

Leave a Reply

Your email address will not be published. Required fields are marked *