ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସଗୃହ ନପାଇବାରୁ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ରବିନାରାୟଣ ଲେଙ୍କା, ଖଜୁରୀପଡ଼ା ଅଞ୍ଚଳର ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆଶାୟୀ ହିତାଧିକାରୀଙ୍କ ଆକ୍ରମଣର ଶୀକାର ହୋଇଛନ୍ତି । ସେ ଗୁରୁଲର ଭାବେ ଆହତ ହୋଇଛନ୍ତି । ସୁଚନା ଅନୁସାରେ ଗତକାଲି ଖଜୁରୀପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସେନ୍ସିଟାଇଜେସନ ମିଟିଂ ଶେଷ ହେବା ପରେ ସନ୍ଧ୍ୟା ୫ଟା ବେଳେ କନିଷ୍ଠ ଯନ୍ତ୍ରୀ ଲେଙ୍କା ବାହାରକୁ ବାହାରିବା ପରେ ସେହି ଅଞ୍ଚଳର ରଞ୍ଜିତ ସାମଲ ନାମକ ଜଣେ ଲୁଗା ବ୍ୟବସାୟୀ ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସଗୃହ ତାଲିକାରେ ନା କାହିକିଁ କଟିଛି ବୋଲି ଯନ୍ତ୍ରୀଙ୍କୁ ପଚାରିବା ସହିତ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ ପଥରରେ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ କାମୁଡି ଦେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣାପଡ଼ିଛି । ଫଳରେ ଯନ୍ତ୍ରୀ ଲେଙ୍କା ଲହୁଲୁହାଣ ହେବା ସହ ଗୁରୁତର ଭାବେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା । ଏହି ସଂକ୍ରାନ୍ତରେ ଖଜୁରୀପଡା ଥାନାରେ ଯନ୍ତ୍ରୀ ଲେଙ୍କା ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଖଜୁରୀପଡା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଖଜୁରୀପଡା ବିଡିଓ ଅନୁପମା ଘୋଷ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

Leave a Reply

Your email address will not be published. Required fields are marked *