ଫିରିଙ୍ଗିଆ ଥାନା ବାଲିଗଟା ଗାଁରେ ପୋଲିସ ନାମରେ ଡକାୟତି, ୮ ଡକାୟତ ଗିରଫ : ୪ ଦେଶୀ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ଜୀବନ୍ତ ଗୁଳି ସହ ପୋଲିସ ପୋଷାକ, ବୋଲେରୋ ଜବତ

Spread the love

କନ୍ଧମାଳ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଗତ ଗୁରୁବାର ବାଲିଗଟା ଅଞ୍ଚଳରେ ପୋଲିସ ପୋଷାକ ସହ ପୋଲିସ ପରିଚୟ ଦେଇ ରାତି ୧୧ଟା ବେଳେ ଡକାୟତି କରୁଥିବା ବେଳେ ଗାଁ ଲୋକଙ୍କ ଦ୍ଵାରା ଧରା ପଡି ନିର୍ଧୁମ ଛେଚା ଖାଇବା ପରେ ସକାଳେ ଫିରିଙ୍ଗିଆ ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ। ତେବେ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରି ୨ ଜଣଙ୍କୁ ଛାଡ଼ିଦେଇ ଜଙ୍ଗଲରେ ପଶିଥିଲେ ଉତ୍ୟକ୍ତ ଗାଁ ଲୋକେ। ରାତି ତମାମ ଜଙ୍ଗଲକୁ ଘେରି ରହିଥିଲେ। ତେବେ ସକାଳେ ଫିରିଙ୍ଗିଆ ପୋଲିସକୁ ଖବର ଦେବା ପରେ ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ କବଳରୁ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୭ ତାରିଖ ସନ୍ଧ୍ୟା ସୁଦ୍ଧା ପୁଣି ଜଙ୍ଗଲରୁ ୪ ଜଣକୁ ଗାଁ ଲୋକଙ୍କ ସାହାଯ୍ୟରେ ଧରିଥିଲେ। ଜଙ୍ଗଲରେ ୭ ରୁ ୮ ଜଣ ଡକାୟତ ଲୁଚି ରହିଥିବା ବେଳେ ୮ ତାରିଖ ପୁଣି ୨ ଜଣଙ୍କୁ ଜଙ୍ଗଲରୁ ଲୋକଙ୍କ ସାହାଯ୍ୟରେ ଧରି ଫିରିଙ୍ଗିଆ ଥାନାକୁ ଆଣିଥିଲେ। ୩ ଦିନ ଭିତରେ ୮ ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ନେଇ, ଫିରିଙ୍ଗିଆ ଥାନାରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ଓ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ବାହାର ଜିଲ୍ଲାର କିଛି ପେସାଦାର କୁଖ୍ୟାତ ଡକାୟତ ରହିଥିବା ବେଳେ ସେମାନଙ୍କ ନାମରେ ଜିଲ୍ଲା ସମେତ ଜିଲ୍ଲା ବାହାରେ ମଧ୍ୟ ବିଭିନ୍ନ ଚୋରି ଡକାୟତି ଓ ଅପରାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି। କନ୍ଧମାଳ ଜିଲ୍ଲା ଓ ଫିରିଙ୍ଗିଆ ବ୍ଲକରୁ ମଧ୍ୟ କିଛି ଡକାୟତ ଏହି ଗ୍ଯାଙ୍ଗରେ ସାମିଲ ଥିବା ସୂଚନା ମିଳିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ କଟକ ଜିଲ୍ଲା ଆଠଗଡ଼ ଥାନା ତୈଳ ମାହା ଗାଁର ଅଶୋକ କୁମାର ରାଉତ, ସିପୁଲ କୁମାର କବି, ରାଧା ବଲ୍ଲଭ ପୁର, ମାନଭଞ୍ଜ ପ୍ରଧାନ ସାମସରପୁର ଗାଁ ର ହୋଇଥିବା ବେଳେ ସମସ୍ତେ କଟକ ଜିଲ୍ଲାର ବୋଲି ପୋଲିସ ସୂଚନା ଦେଇଛି। ସେହିପରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବାଲି ଗଟା ଗାଁ ର ଜୋସେଫ ଦିଗାଲ, ଅଙ୍ଗଦ ଦିଗାଲ ବୋଲି ଜଣା ପଡିଛି। ସେହିପରି ଫିରିଙ୍ଗିଆ ଥାନା ସରୁକୋଇ ଗାଁ ର ରଞ୍ଜନ ସାହାଣୀ, କଡୁ ରାହା ଗାଁ ର କୀର୍ତିମ ଦିଗାଲ ଓ ଫୁଲବାଣୀ ଟାଉନ ଥାନା କେନ୍ଦୁ ପଦର ଗାଁ ର ଶଙ୍କର ଦିଗାଲ ବୋଲି ପୋଲିସ ସୂଚନା ଦେଇଛି। ଡକାୟତିରେ ବ୍ୟବହୃତ ପାସେଞ୍ଜର ବୋଲେରୋ, ଡାଲା ବୋଲେରୋ ସହ ୪ ଟି ଦେଶୀ ବନ୍ଧୁକ, ଗୋଟିଏ ମାଉଜର, ୪ ଟି ଜୀବନ୍ତ ଗୁଳି, ପୋଲିସ ପୋଷାକ, ନଗଦ ଟଙ୍କା, ମୋବାଇଲ, ମରଣାସ୍ତ୍ର ସହ ଅନ୍ୟାନ୍ୟ ଜିନିଷ ଜବତ କରିଛି ପୋଲିସ। ଅନ୍ୟ ପଟେ ଫିରିଙ୍ଗିଆ ଥାନାରେ ଏ ସଂକ୍ରାନ୍ତରେ ଏକ ଡକାୟତି ମାମଲା ରୁଜୁ ହୋଇଥିବା ଫିରିଙ୍ଗିଆ ଥାନା ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *