ଡେଙ୍ଗୁ ଓ ମାଲେରିଆ ରୋଗମୁକ୍ତ କେନ୍ଦ୍ରାପଡ଼ା ଆମର ଲକ୍ଷ୍ୟ: ସିଡିଏମ୍‌ଓ

Spread the love

କେନ୍ଦ୍ରାପଡ଼ା : ମୌସୁମୀ ବର୍ଷା କେବଳ ଚାଷ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି କରିନଥାଏ ବରଂ ମଶାର ବଂଶ ବୃଦ୍ଧି ପାଇଁ ସହାୟକ ହୋଇଥାଏ । ତେଣୁ ମଶାର ବଂଶ ବୃଦ୍ଧିକୁ ରୋକି କେନ୍ଦ୍ରାପଡ଼ାକୁ ସମ୍ପୂର୍ଣ୍ଣ ଡେଙ୍ଗୁ ଓ ମାଲେରିଆ ରୋଗରୁ ମୁକ୍ତ କରିବାକୁ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅନୀତା ପଟ୍ଟନାୟକ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ମାଲେରିଆ ଓ ଡେଙ୍ଗୁ ବିରୋଧି ମାସ ପାଳନ ଅବସରରେ ଏହାର ଅଧ୍ୟକ୍ଷତା କରି ଶ୍ରୀମତୀ ପଟ୍ଟନାୟକ ଏଭଳି ମତ ରଖିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ମୀର୍ଜା ବାବର୍ ବେଗ୍ ଡେଙ୍ଗୁ ଓ ମାଲେରିଆ ଉପରେ ଏକ ସାରଗର୍ଭକ ସମ୍ଭାଷଣ ପ୍ରଦାନ କରି କହିଥିଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜିରୋ କାଜୁଆଲିଟିକୁ ଆମେ ଟାର୍ଗେଟ୍ କରିଛୁ । ଉଲ୍ଲେଖଯୋଗ୍ୟ ଯେ ଶୂନ୍ୟ ମାଲେରିଆ ପ୍ରଭାବ ପାଇଁ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ପୁରସ୍କୃତ ହୋଇସାରିଛି ଓ ୨୦୩୦ ସୁଦ୍ଧା ଓଡ଼ିଶାକୁ ମାଲେରିଆ ରୋଗମୁକ୍ତ ରାଜ୍ୟ ଭାବେ ପରିଗଣନା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହି ଶୂନ୍ୟ ମାଲେରିଆ ଓ ଡେଙ୍ଗୁ ପ୍ରଭାବ ଧାରାକୁ ବଜାୟ ରଖିବା ପାଇଁ ଗ୍ରାମାଂଚଳରେ କାର୍ଯ୍ୟ କରୁଥିବା ଗାଁ କଲ୍ୟାଣ ସମିତି, ଏଏନ୍‌ଏମ୍‌, ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହଭାଗିତା ଜରୁରୀ ବୋଲି କହିଥଲେ ଉପସ୍ଥିତ ଅଧିକାରୀମାନେ । ଜିରୋ କାଜୁଆଲିଟି କିମ୍ବା ଶୂନ୍ୟ ପ୍ରଭାବର ଧାରାକୁ ବଳବତର କରି ରଖିବା ପାଇଁ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ମଶାରୀ ଟାଣି ଶୋଇବା, ଦୂଷିତ ଜଳ ଜମା ହେବାକୁ ନଦେବା, ଘରର ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ମଶାର ବଂଶ ବୃଦ୍ଧି ଲୋପ ପାଇବ । ‘ଳରେ ଆମେ ମାଲେରିଆ ଓ ଡେଙ୍ଗୁ ରୋଗରୁ ରକ୍ଷା ପାଇପାରିବା । ମାଲେରିଆ, ଡେଙ୍ଗୁ ସହ ଡାଇରିଆ, ଟିବି ଓ କୁଷ୍ଠରୋଗର ନିରାକରଣ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ନୂତନ ଜିଲ୍ଲା ଚିକିତ୍ସା ଅଧୀକ୍ଷକ ଡା ପ୍ରମୋଦ କୁମାର ପ୍ରହରାଜ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଗୀତାଞ୍ଜଳୀ ଦାସ, ଜିଲ୍ଲା ଆକାଉଂଟ୍ସ୍ ମ୍ୟାନେଜର୍ ସର୍ବେଶ୍ୱର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠରୋଗ) ଡା ପ୍ରଦୀପ କୁମାର ଦାସ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା ପ୍ରଦୀପ କୁମାର ବେହେରା, ପଟ୍ଟାମୁଣ୍ଡାଇର ଅଧୀକ୍ଷକ ଡା ନିରାକାର ପରିଡ଼ା, ପାଟକୁରାର ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନିରଞ୍ଜନ କର, ରାଜନଗରର ଜନସ୍ୱାସ୍ଥ୍ୟ ଅଧିକାରୀ ଡା ରଶ୍ମି ରଞ୍ଜନ ମହାନ୍ତି, ଇନ୍ଦୁପୁରର ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଶ୍ରୀକାନ୍ତ ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ଓ ବ୍ଲକ୍ କାର୍ଯ୍ୟକ୍ରମ ପରିଚାଳକ, ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲିସ୍ତରୀୟ ଏନ୍ଜିଓର ସଦସ୍ୟ ଓ ଚିକିତ୍ସାଳୟର ବହୁ କର୍ମକର୍ତା ଏଥିରେ ଯୋଗ ଦେଇଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀମତୀ ଶାନ୍ତିଲତା ଚାନ୍ଦ୍ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଜୁନ୍ ମାସକୁ ମାଲେରିଆ ବିରୋଧି ମାସ କୁହାଯାଉଥିବା ବେଳେ ଜୁଲାଇ ମାସକୁ ଡେଙ୍ଗୁ ବିରୋଧି ମାସ ଭାବେ ଗ୍ରହଣ କରାଯାଇଛି । ମାଲେରିଆ ରୋଗ ପ୍ରୋଟୋଜୋଆ ଶ୍ରେଣୀର ପ୍ଲାସ୍ମୋଡିୟମ୍ ପାରାସାଇଟ୍ ବା ପରଜୀବୀ ଦ୍ୱାରା ହୋଇଥାଏ । ଏହି ପରିଜୀବୀ ମାନଙ୍କର ଜୀବନଚକ୍ର ଦୁଇଟି ପ୍ରାଣୀ ଶରୀରରେ ସଂପନ୍ନ ହୋଇଥାଏ । ଜୀବନଚକ୍ରର ଗୋଟିଏ ଅଂଶ ମନୁଷ୍ୟ ଶରୀରରେ ଓ ଅନ୍ୟ ଅଂଶଟି ମାଈ ଆନୋଫିଲିସ୍ ମଶା ଦେହରେ ସଂମ୍ପୂର୍ଣ୍ଣ ହୋଇଥାଏ । ଯଦି କୌଣସି ପରିଜୀବୀ ବା ପାଇସାଇଟ୍ ପୀଡ଼ିତ ମଶା ଏକ ସୁସ୍ଥ ଲୋକକୁ ରାତିରେ କାମୁଡ଼େ ତେବେ ସୁସ୍ଥ ଲୋକଟି ରୋଗାକ୍ରାନ୍ତ ହୋଇପଡ଼େ ।

Leave a Reply

Your email address will not be published. Required fields are marked *