ବଲାଣି ଖଣିରେ ସ୍ଥାୟୀ ନିଯୁକ୍ତିରେ ବାହାର ରାଜ୍ୟର ଯୁବକଙ୍କୁ ଭର୍ତି,  ସ୍ଥାନୀୟ ରାଜନୈତିକ ଦଳର ନେତା ଓ ବଲାଣି ଖଣି ବିରୋଧରେ ଆନ୍ଦୋଳନ କରିବାକୁ ପ୍ରଭାବିତ ବାସିନ୍ଦାଙ୍କ ପ୍ରସ୍ତୁତି

Spread the love

ବଲାଣି : ରତ୍ନଗର୍ଭା କେନ୍ଦୁଝର ଖଣି ଓ କାରଖାନା ନିମନ୍ତେ ବିଶ୍ୱ ପରିଚିତ । ତେବେ ଖଣି ଖାଦାନ ଓ କାରଖାନା ଥାଇ ମଧ୍ୟ ଏଠାକାର ବେକାର ଯୁବକ ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ସ୍ଥାନୀୟ ରାଜନୈତିକ ଦଳର ନେତାଙ୍କ ସ୍ଥାଣୁତା ଓ ଅପାରଗ ପ୍ରଶାସନ ଯୋଗୁଁ ଖଣି ଖାଦାନ ଭରା ଜିଲାରେ ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଉଛି । ଜିଲାର ଖଣି ଖାଦାନ ଗୁଡିକରେ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଏଠାକାର ଖଣି ଖାଦାନ ଦ୍ୱାରା ପ୍ରଭାବିତ ସ୍ଥାନୀୟ ବାସିନ୍ଦା ବେକାର ହୋଇ ବସୁଛନ୍ତି । ସ୍ଥାନୀୟ ବାସିନ୍ଦା ନିଜର ହକ୍ ନିମନ୍ତେ ଆନ୍ଦୋଳନକୁ ଓହ୍ଲାଇଲେ କମ୍ପାନୀ କର୍ତୃପକ୍ଷଙ୍କ ହାତ ବାରିସୀ ସାଜି ପୁଲିସ ଗିରଫ ଭୟ ଦେଖାଇ ଲୋକଙ୍କୁ ଭୟଭୀତ କରୁଛି । ତେବେ ଯୋଡ଼ା ବ୍ଲକ ବଲାଣିରେ ରହିଥିବା ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ର ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ଓଡିଶା ଗ୍ରୁପ ଅଫ ମାଇନ୍ସ ର ସବୁଠାରୁ ବଡ଼ ଖଣି ବଲାଣି ଖଣିରେ ବିଗତ କିଛି ଦିନ ଭିତରେ ଅଣ ଅଧିକାରୀ ସ୍ତରରେ ନିଯୁକ୍ତିରେ ବାହାର ରାଜ୍ୟର ଲୋକଙ୍କୁ ଭର୍ତି କରିବାକୁ ନେଇ ବଲାଣି ଅଂଚଳର ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତେଜନା ଦେଖା ଦେଇଛି ।

ପ୍ରାପ୍ତ ସୂଚନା ଅନୁସାରେ, ବିଗତ ଗୋଟିଏ ମାସ ଭିତରେ ଏସ୍‌-୧ ଓ ଏସ୍‌- ୩ ପଦବୀରେ ପର୍ଯ୍ୟାୟ କ୍ରମେ ବଲାଣି ଖଣିରେ ୭୦ରୁ ଉର୍ଦ୍ଧ୍ୱ ନିଯୁକ୍ତି ସରିଥିବା ବେଳେ ଜିଲ୍ଲାରୁ କିମ୍ବା ରାଜ୍ୟରୁ ଗୋଟିଏ ମଧ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଏହି ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଗାମୀ ଦିନ ମାନଙ୍କରେ ୨୦୦ରୁ ଅଧିକ ପଦବୀରେ ଭର୍ତି କରାଯିବ ବୋଲି ସୂଚନା ରହିଛି । କିନ୍ତୁ, ପରିତାପର ବିଷୟ ଯେ ଖଣି ଦ୍ୱାରା ପ୍ରଭାବିତ ଅଂଚଳର ଲୋକେ ଜମି ଜାଗା ହରାଇ ଧୂଳି ଧୂଆଁ ଖାଇ ରୋଗାଗ୍ରସ୍ତ ହେଉଥିବା ବେଳେ ଖଣିରେ ଚତୁର୍ଥ ଶ୍ରେଣୀ ସ୍ଥାୟୀ ନିଯୁକ୍ତିରେ ମଧ୍ୟ ସୁଯୋଗ ପାଉ ନାହାଁନ୍ତି । ତେବେ ଏହାକୁ ନେଇ ଶାସକ ଦଳ ଓ ବିରୋଧୀ ଦଳ କିମ୍ବା ସ୍ଥାନୀୟ ଖଣିର ଶ୍ରମିକ ସଂଗଠନର ନେତୃବୃନ୍ଦ ମୁହଁ ଖୋଲୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହା ବ୍ୟତୀତ ବଲାଣି ଖଣିରେ ସ୍ଥାନୀୟ ଖଣି ପ୍ରଭାବିତ ଅଂଚଳର ୧୫୦୦ରୁ ଉର୍ଦ୍ଧ୍ୱ ଠିକା ଶ୍ରମିକ କମ୍ ଦରମାରେ ସ୍ଥାୟୀ କର୍ମଚାରୀଙ୍କ କାର୍ଯ୍ୟ କରିବା ସହିତ ବିଭିନ୍ନ ବିଭାଗରେ କୁଶଳୀ ହୋଇ ସାରିଥିଲେ ସୁଦ୍ଧା ଉକ୍ତ ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ ବାହାର ରାଜ୍ୟର ଯୁବକଙ୍କୁ ନିଯୁକ୍ତି ଦେଉଥିବାରୁ ଠିକା ଶ୍ରମିକଙ୍କ ମଧ୍ୟରେ ବିରୋଧାଭାସ ଦେଖାଦେଇଛି । ଏ ନେଇ ଉଭୟ ବଲାଣି ଓ ବାଲାଗୋଡ଼ା ତଥା ବଲାଣି ଖଣି ଟାଉନସିପ୍ ର ବେକାର ଯୁବକ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଶାସକ ଦଳର ସ୍ଥାନୀୟ ନେତା ଓ ବିରୋଧୀ ଦଳର ସ୍ଥାନୀୟ ନେତାଙ୍କ ବିରୋଧରେ ପୋଷ୍ଟର ଟାଙ୍ଗି ବିରୋଧ କରିବା ସହିତ ବଲାଣି ଖଣି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *