ଅବ୍ୟବସ୍ଥାରେ ଚମ୍ପୁଆ କୃଷି ଜିଲ୍ଲାସ୍ତରୀୟ କୃଷକ ମେଳା : ଆସିଲେନି ନିମନ୍ତ୍ରିତ ଅତିଥି, ଗରମରେ ସିଝିଲେ ଉପସ୍ଥିତ ଚାଷୀ

Spread the love

ଚମ୍ପୁଆ : ବ୍ୟାପକ ଅବ୍ୟବସ୍ଥା ଭିତରେ ଚମ୍ପୁଆ କୃଷି ଜିଲ୍ଲା ପକ୍ଷରୁ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ କୃଷକ ମେଳା ଆୟୋଜିତ ହୋଇ ଯାଇଛି । ଚମ୍ପୁଆ କୃଷି ଜିଲ୍ଲା ଅଧିକାରୀ ମନୋରଞ୍ଜନ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଥିରେ ଚମ୍ପୁଆ ଉପଖଣ୍ଡର ଚାଷୀମାନଙ୍କୁ ଅଣ ଦେଖା କରାଯାଇ କାର୍ଯ୍ୟକ୍ରମରେ ଚାଷୀଙ୍କ ଉପସ୍ଥିତି ଉପରେ କୌଣସି ଗୁରୁତ୍ୱ ଦିଆଯାଇ ନଥିବାବେଳେ ବିଭିନ୍ନ ବିଭାଗୀୟ କର୍ମଚାରୀ, କୃଷକ ସାଥି ଓ ନିର୍ଦ୍ଧିଷ୍ଟ ସ୍ୱୟଂସହାୟିକା ଗୋଷ୍ଠି ସଦସ୍ୟମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇଥିବା ଅତିଥି ପାଟଣା ବିଧାୟକ ଜଗନ୍ନାଥ ନାଏକ, ସଦର ବିଧାୟକ ମୋହନ ଚରଣ ମାଝୀ, କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାଗରୀକା ସାହୁ କାର୍ଯ୍ୟକ୍ରମକୁ ଆସିନଥିବାବେଳେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ନିର୍ଧାରିତ ସମୟ ଠାରୁ ଦୁଇଘଣ୍ଟା ଡେରିରେ ପହଞ୍ଚିଥିଲେ । ଏଥିରୁ ଅତିଥିମାନଙ୍କର କୃଷକ ମାନଙ୍କ ପ୍ରତି କେତେ ଦରଦ ବେଶ ଅନୁମେୟ । ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ଉପଖଣ୍ଡସ୍ଥ ଚମ୍ପୁଆ ବ୍ଲକ, ଯୋଡ଼ା ବ୍ଲକ ଓ ଝୁମ୍ପୁରା ବ୍ଲକର ଅଗ୍ରଣୀ ଚାଷୀମାନଙ୍କୁ ଉପେକ୍ଷା କରାଯାଇ କିଛି ନିର୍ଦ୍ଧିଷ୍ଟ ଚାଷୀଙ୍କୁ ଡକାଯାଇ କାର୍ଯ୍ୟକ୍ରମଟିକୁ ସଫଳ କରିବା ଲକ୍ଷରେ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟ, ବିଭାଗୀୟ କର୍ମଚାରୀ, କୃଷକ ସାଥି, କୃଷକ ବନ୍ଧୁ, ମନରେଗା ଠିକାଦାର ମାନଙ୍କୁନେଇ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବକୁ ସଫଳ କରିବା ପାଇଁ ଭରପୁର ପ୍ରଚେଷ୍ଟା କରାଯାଇଥିବା ଦେଖିବାକୁ ମିଳିଛି । ଏହି କୃଷକ ମେଳାକୁ ପାଟଣା ବିଧାୟକ, ସଦର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଚମ୍ପୁଆ ବିଧାୟିକାଙ୍କୁ ନିମନ୍ତ୍ରିତ କରାଯାଇଥିଲେ ହେଁ ଅନ୍ୟ ନିମନ୍ତ୍ରିତ ଅତିଥି ମାନେ ଆସି ନ ଥିବା ବେଳେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ନିର୍ଦ୍ଧାରିତ ସମୟରେ ଚମ୍ପୁଆସ୍ଥିତ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ କି ନ ଦେବେ ଦୋ ଦୋ ପାଞ୍ଚ ହୋଇ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଦିନ ୧୨ ଟା ୨୦ ମିନିଟ ସମୟରେ ଯାଇ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ଆସିଥିବା ଲୋକମାନେ ୪୧ ଡିଗ୍ରୀ ଧୁ ଧୁ ଖରାରେ ଟେଣ୍ଟ୍ ତଳେ ବସି ଗରମ ଝାଳରେ ସିଝି ଅତିଷ୍ଠ ହୋଇ ପଡିଥିଲେ । ଫଳରେ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ଷ୍ଟଲ କରିବାକୁ ସୁଯୋଗ ଦିଆଯାଇ ନଥିବାବେଳେ ବିଭାଗୀୟ ଷ୍ଟଲ କରାଯାଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଷ୍ଟଲ ରେ ବଜାରରୁ ସାମଗ୍ରୀ କିଣାଯାଇ ଅଥବା ଅନ୍ୟ ବିଭାଗରୁ ସାମଗ୍ରୀ ଅଣାଯାଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଚେଷ୍ଟା କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି କର୍ଯ୍ୟକ୍ରମରେ କୃଷି, ଉଦ୍ୟାନ, ମତ୍ସ୍ୟ, ପ୍ରାଣୀଧନ, ଉଠା ଜଳସେଚନ, ଆଇଟିଡିଏ, ମୃତିକା ସଂରକ୍ଷଣ, ଆଦି ବିଭାଗ ର କର୍ମଚାରୀମାନେ ଭାଗ ନେଇ ଥିବା ବେଳେ ପ୍ରକୃତ ଚାଷୀ ମାନଙ୍କୁ ଦେଖିବାକୁ ନମିଳିବା ଏହି କାର୍ଯ୍ୟକ୍ରମର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆଜି ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଘଂଟା ବିଳମ୍ୱରେ ଚମ୍ପୁଆ ବିଧାୟିକା ଶ୍ରୀମତି ମୀନାକ୍ଷୀ ମହାନ୍ତ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ, ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳ, ଯୋଡା ବ୍ଲକ ଅଧ୍ୟକ୍ଷ କ୍ୱିନ୍ଦ୍ର ନାଏକ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ମଲ୍ଲିକ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚୁନୁ ହାସଦା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *