ବିଦ୍ୟୁତ ଟାୱାର ନିର୍ମାଣ ବଦଳରେ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ପାଣିର ଗାର : ଜଳ ସମସ୍ୟାରେ କୋହ୍ଲବରପଦା ମୁଣ୍ଡାସାହି ବାସୀ

Spread the love

ବଲାଣି : ଯୋଡ଼ା ବ୍ଲକ କାରଖେଣ୍ଡରା ଗ୍ରାମ ପଞ୍ଚାୟତ କୋଲ୍ହବରପଦା ଗ୍ରାମର ମୁଣ୍ଡା ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି । ଅନ୍ୟପକ୍ଷରେ ବହୁଦେଶୀୟ ଇସ୍ପାତ କମ୍ପାନୀ ପକ୍ଷରୁ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଜଳ ଧାରା ଅଚଳ ହୋଇ ପଡିଛି । ବାରମ୍ବାର ଅଭିଯୋଗ ସତ୍ବେ ଜେଏସଡବ୍ଲ୍ୟୁର ଅଧିକାରୀ ଗ୍ରାମବାସୀଙ୍କ ଅଭିଯୋଗକୁ ଖାତିର କରୁନଥିବା ୬ ନମ୍ବର ୱାର୍ଡର ୱାର୍ଡ ସଭ୍ୟ କୃପା ମୁଣ୍ଡା ଅଭିଯୋଗ କରିଛନ୍ତି । ଉତ୍କଟ ପାନୀୟ ଜଳ ସମସ୍ୟା ଯୋଗୁଁ ଚୁଆ ପାଣି ଉପରେ ନିର୍ଭର କରି ଚଳୁଛନ୍ତି ଗ୍ରାମବାସୀ । ୨ କିଲୋମିଟର ଝରଣା ପାଣି ଗ୍ରାମବାସୀଙ୍କୁ ପାଣି ଯୋଗାଉଛି । କୋଲ୍ହବରପଦା ଗ୍ରାମର ମୁଣ୍ଡା ସାହିରେ ପ୍ରାୟ ୨୦୦ ଲୋକ ରହୁଥିବା ବେଳେ ପାନୀୟ ଜଳ ସମସ୍ୟା ଦୂର ହୋଇପାରି ନାହିଁ । ଏ ନେଇ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, ବର୍ଷେ ପୂର୍ବରୁ ଉକ୍ତ ଗ୍ରାମ ଦେଇ ଅତି ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ନିମନ୍ତେ ଜେଏସଡବ୍ଲ୍ୟୁ ଦ୍ଵାରା ଟାୱାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ । ଏହି ସମୟରେ ଗ୍ରାମବାସୀ ଉକ୍ତ ଟାୱାରକୁ ବିରୋଧ କରିଥିଲେ । ତେବେ ପାନୀୟ ଜଳ ଯୋଗାଇ ଦେବା ପ୍ରତିବଦଳରେ ଟାୱାର ନିର୍ମାଣ ପାଇଁ ରାଜି ହୋଇଥିଲେ ଗ୍ରାମବାସୀ । କମ୍ପାନୀ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ଜଳ ଧାରା ହାତକୁ ନେଇ କରାଯାଇଥିଲେ ସୁଦ୍ଧା ନିର୍ମାଣ ପର ଠାରୁ ଉକ୍ତ ପ୍ରକଳ୍ପ ଅଚଳ ହୋଇପଡିଛି । ଜେଏସଡବ୍ଲ୍ୟୁ ଦ୍ଵାରା ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇବା ପ୍ରହସନ ପାଲଟିଛି । କେବଳ ଟାଙ୍କିରେ ଲିଖିତ ଜେଏସଡବ୍ଲ୍ୟୁ ନାମ ଫଳକ ଶୋଭା ପାଇଥିବା ବେଳେ ଗ୍ରାମବାସୀ ଏହାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ନେଇ ଜେଏସଡବ୍ଲ୍ୟୁ ର ଅଧିକାରୀ ଦୀପଚାନ୍ଦ ବିହାରୀଙ୍କୁ ପଚାରିବାରୁ ଏ ସମ୍ବନ୍ଧରେ କିଛି ଜାଣି ନଥିବା କହିଛନ୍ତି। ତେବେ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *