କେନ୍ଦୁଝର ଜିଲ୍ଲାରେ ଓମ୍ବାଡ୍ସି ପାଣ୍ଠି ସହାୟତାରେ ରାସ୍ତା ସଂଯୋଗୀକରଣ:ତିନୋଟି ବ୍ଳକରେ ୨୨୪.୦୪କି.ମି.ରାସ୍ତା ଓ ୧୯୫.୩୯ମିଟର ସେତୁ

Spread the love

କେନ୍ଦୁଝର : ରାସ୍ତା ହେଉଛି ସାଧାରଣ ଲୋକଙ୍କ ଜୀବନରେଖା । ଗ୍ରାମାଞ୍ଚଳ ଗୁଡ଼ିକୁ ବିକାଶର ମୁଖ୍ୟ ଧାରା ସହିତ ଯୋଡ଼ିବାରେ ଏହା ପ୍ରମୁଖ ମାଧ୍ୟମ ପାଲଟିଛି । ତେଣୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମକୁ ସରକାର ପ୍ରାଥମିକତା ଦେଉଛନ୍ତି । ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାର ଅନେକ ଦୁର୍ଗମ ଗାଁକୁ ଏହି ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ଆଜି ସୁଗମ କରିପାରିଛି ।

ବଣ ପାହାଡ଼ଘେରା ଜିଲ୍ଲା କେନ୍ଦୁଝର । ଏଠାରେ ଭୌଗୋଳିକ ପ୍ରତିବନ୍ଧକ ଥିବା ଅନେକ ଗାଁ ରହିଛି । ଏହିସବୁ ଗାଁକୁ ମୁଖ୍ୟସ୍ରୋତ ସହିତ ଯୋଡ଼ିବା ଲାଗି ପ୍ରଶାସନ ପକ୍ଷରୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଚଂଳ ଉନ୍ନୟନ ନିଗମ ବା ଓମ୍ବାଡସି ପାଣ୍ଠି ସହାୟତାରେ ନୂତନ ସେତୁ ଓ ରାସ୍ତା ନିର୍ମାଣ କରାଯାଉଛି । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ସଶକ୍ତ ହୋଇପାରୁଛି ।

“ଓମ୍ବାଡସି ପାଣ୍ଠି ସହାୟତାରେ କେନ୍ଦୁଝର ଜିଲ୍ଲାରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତା’ଭିତରେ ରାସ୍ତା ସଂଯୋଗୀକରଣ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ । ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଚଂଳରେ ରାସ୍ତା ଏବଂ ସେତୁ ନିର୍ମାଣ ହେବା ଯୋଗୁଁ ଆଜି ଲୋକମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରୁଛନ୍ତି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଧିବାସୀମାନଙ୍କ ଜୀବନ ଧାରଣ ମାନରେ ବିଶେଷ ଉନ୍ନତି ଆଣିବାରେ ସହାୟକ ହୋଇଛି”, କହିଛନ୍ତି କେନ୍ଦୁଝର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ।

କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, ବାଂଶପାଳ ଏବଂ ଝୁମ୍ପୁରା – ଏହି ୩ଟି ବ୍ଲକରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ଚାଲିଛି । ମୋଟ ୨୬୨.୩୨ କିଲୋମିଟର ଭିତରୁ ବର୍ତମାନ ସୁଦ୍ଧା ୨୨୪.୦୪ କିଲୋମିଟରର ନୂତନ ରାସ୍ତା ନିର୍ମାଣ ଶେଷ ହୋଇଛି । ଫଳରେ ୩୪ଟି ଗ୍ରାମପଂଚାୟତର ୧୪ ହଜାରରୁ ଅଧିକ ଲୋକ ବିଶେଷ ଉପକୃତ ହେଉଛନ୍ତି । ବାକି ରାସ୍ତା ନିର୍ମାଣ କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ବାଂଶପାଳ ବ୍ଲକର ନୟାକୋଟ ଗ୍ରାମପଂଚାୟତରେ ବିଭିନ୍ନ ନାଳ ଉପରେ ନିର୍ମାଣ କରାଯାଇଛି ମୋଟ ୧୯୫.୩୯ ମିଟର ଲମ୍ବର ତିନୋଟି ସେତୁ । ଏହା ମୁଖ୍ୟ ରାସ୍ତା ସହିତ ସଂଯୋଗ ହୋଇଥିବାରୁ ୭ଟି ଗାଁର ୩ ହଜାର ୮୦୦ରୁ ଅଧିକ ଲୋକଙ୍କ ଜୀବନ ଧାରାରେ ପରିବର୍ତନ ଆସିପାରିଛି ।

“ଆଗରୁ ଆମ ଗାଁକୁ ଭଲ ରାସ୍ତା ନଥିବାରୁ ଯିବା ଆସିବାରେ ବହୁତ ଅସୁବିଧା ହେଉଥିଲା । ଏବେ ପାହାଡ଼ କାଟି ରାସ୍ତା ହୋଇଛି । ଫଳରେ ଆମେ ସୁବିଧାରେ ଡାକ୍ତରଖାନାକୁ ଯାଇ ପାରୁଛୁ । ଆମ ପିଲାମାନେ ସ୍କୁଲକୁ ଯାଇ ପାରୁଛନ୍ତି । ଗାଡ଼ି ମଟର ଚାଲିବା ଫଳରେ ଆମେ ସହରକୁ ମଧ୍ୟ ଯାଇ ପାରୁଛୁ”, କହନ୍ତି ବାଂଶପାଳ ବ୍ଲକ ଲୁଙ୍ଗାଝର ଗ୍ରାମର ବେଣୁଧର ନାଏକ । “ଆମ ଗାଁକୁ ବିଭିନ୍ନ ନାଳ ଘେରି ରହିଛି । ବର୍ଷା ଦିନ ହେଲେ ଆମେ ଗାଁରୁ ବାହାରକୁ ଯାଇପାରୁ ନଥିଲୁ । ଏବେ ନାଳ ଉପରେ ପୋଲ ତିଆରି ହୋଇଛି । ଆମେ ସୁବିଧାରେ ସବୁଆଡ଼େ ଯାଇ ଆସି ପାରୁଛୁ । ଯିବା ଆସିବାରେ ଆଉ ଆଗଭଳି ଅସୁବିଧା ହେଉନାହିଁ”, କହନ୍ତି ନୟାକୋଟ ଗ୍ରାମପଂଚାୟତର ଅଧିବାସୀ ସୁମତୀ ନାଏକ ।

ଏହି ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ଯୋଗୁଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଦୁର୍ଗମ ଗାଁ ମୁଖ୍ୟ ବଜାର ବା ସହରାଚଂଳ ସହିତ ଯୋଡ଼ି ହୋଇପାରିଛି । ଫଳରେ ସ୍ଥାନୀୟ ଅଧିବାସୀ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସେବା ପାଇ ପାରୁଛନ୍ତି ।

ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳକୁ ରାସ୍ତା ଏବଂ ସେତୁ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଯିବା ଆସିବା ସୁବିଧାଜନକ ହୋଇପାରିଛି । ସାଧାରଣ ପରିବହନ ବ୍ୟବସ୍ଥାରେ ଗାଁକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି । ଫଳରେ ପାଖ ବଜାର ସହ କମ୍ ସମୟ ଭିତରେ ସ୍ଥାନୀୟ ଚାଷୀ ଓ ବ୍ୟବସାୟୀ ସିଧାସଳଖ ଯୋଡ଼ି ହୋଇପାରୁଛନ୍ତି । ଏହି ସଂଯୋଗୀକରଣ କାର୍ଯ୍ୟକ୍ରମ ସେମାନଙ୍କ ଜୀବିକା ପାଇଁ ବ୍ୟାପକ ସୁଯୋଗ ଆଣିଦେଇଛି ।

Leave a Reply

Your email address will not be published. Required fields are marked *