ପଦାରେ ପଡ଼ିଲା ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଛାତରୁ ଗଳୁଛି ପାଣି

Spread the love

ଚମ୍ପୁଆ : ସାଧାରଣ ବର୍ଷାରେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି କ୍ଷ ଯାହାକି ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇ ଦେଇଛି । ନିଜ ଘର ସମ୍ଭାଳି ପାରୁନଥିବା ମୁଖିଆ କ\’ଣ ଗାଁ ସମ୍ଭାଳିବ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାଟା ସ୍ୱାଭାବିକ । ଏମିତି ଏକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ଚମ୍ପୁଆ ବ୍ଲକ ବାସିନ୍ଦାଙ୍କ ମନରେ । ସମଗ୍ର ବ୍ଲକରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ମାଧ୍ୟମରେ କରାଯାଉଥିବାବେଳେ ସେହି କାର୍ଯ୍ୟାଳୟର ଗୃହ ନିର୍ମାଣ ନିମ୍ନମାନର ହେବାଦ୍ୱାରା ଅସରାଏ ବର୍ଷା ନହେଉଣୁ ଛାତରୁ ପାଣି ଗଳୁଛି । ଯାହା ଏବେ ବ୍ଲକ କାର୍ଯ୍ୟକର୍ତାଙ୍କ ସ୍ୱଛତା ଓ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗୋଟିଏ ବ୍ଲକର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସାଧାରଣତଃ ସେହି ବ୍ଲକରେ ଥିବା ବ୍ଲକ ଅଫିସ ବା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଜରିଆରେ ହିଁ କରାଯାଇଥାଏ । କୋଠା ବାଡି ଠାରୁ ଆରମ୍ଭ କରି ରାସ୍ତା ଘାଟ ପର୍ଯ୍ୟନ୍ତ ଛୋଟରୁ ବଡ଼ ସମସ୍ତ କାର୍ଯ୍ୟ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଜରିଆରେ ହିଁ କରାଯାଉଥିବାବେଳେ ସେହି କାର୍ଯ୍ୟଳୟରେ କାର୍ଯ୍ୟରତ ଥିବା ସରକାରୀ ଯନ୍ତ୍ରୀମାନେ ସେହି କାର୍ଯ୍ୟଗୁଡ଼ିକ ଅଟକଳ ଅନୁସାରେ ଠିକ ଭାବରେ କାର୍ଯ୍ୟ ହୋଇଛି କି ନାହିଁ ତାହା ତଦାରଖ କରିବା ପରେ କାର୍ଯ୍ୟର ମାନ ଠିକ ଅଛି ବୋଲି ଅନୁମୋଦନ କରିଥାନ୍ତି । ତେବେ ଅନେକ ସମୟରେ ଚମ୍ପୁଆ ବ୍ଲକ ଅଂଚଳରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକ ନିମ୍ନମାନର ହେଉଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସମସ୍ତେ ତାକୁ ନଜର ଅନ୍ଦାଜ କରି ଆସୁଥିଲେ । କିନ୍ତୁ ଖୋଦ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ଗୃହ ନିର୍ମାଣ ନିମ୍ନମାନର ହେବା କାରଣରୁ ଅସରାଏ ବର୍ଷାରେ ଛାତରୁ ପାଣି ଗଳୁଛି । ଯାହାର ଅବସ୍ଥା ଦେଖିଲେ ଚମ୍ପୁଆ ବ୍ଲକ ଅଂଚଳରେ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଦ୍ୱାରା କରାଯାଉଥିବା ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକର ମାନ କିପରି ହେଉଥିବ ବେଶ ଅନୁମାନ କରାଯାଇ ପାରେ । ଚମ୍ପୁଆ ଅଂଚଳରେ ଅସରାଏ ବର୍ଷା ନହେଉଣୁ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି । ସେହି କାର୍ଯ୍ୟାଳୟର ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଟେବୁଲ ଉପରେ ଛାତରୁ ପାଣି ଗଳୁଥିବା ଯୋଗୁଁ ଅଧିକାରୀ ବାବୁ ଜଣକ ତାଙ୍କ ଟେବୁଲକୁ ଏକ ଅବ୍ୟବହୃତ ପ୍ଲାଷ୍ଟିକ ବ୍ୟାନର ଦ୍ୱାରା ଢାଙ୍କି ରଖିଥିବା ଦେଖିବାକୁ ମିଳିଥିଲା । ବର୍ଷା ହେଲେ ପାଣି ଗଳୁଥିବା ଯୋଗୁଁ ଅଧିକାରୀ ଜଣକ ନିଜ ଚେୟାରରେ ବସି କାମ କରିପାରୁନଥିବାରୁ ଅନ୍ୟତ୍ର ବସି କାମ କରୁଛନ୍ତି । ଏହା ଦେଖିବା ପରେ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟକୁ ନିର୍ମାଣ କରିଥିବା ଠିକାଦାର ଓ ଏହି କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ସଠିକ ଭାବରେ ହୋଇଛି ବୋଲି ଏହି କାର୍ଯ୍ୟକୁ ଅନୁମୋଦନ କରିଥିବା ଯନ୍ତ୍ରୀଙ୍କ ସ୍ୱଚ୍ଛତା ଓ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକି ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି । ଯଦି ଖୋଦ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ଆସ୍ଥା ଏପରି ତେବେ ଏହି କାର୍ଯ୍ୟାଳୟ ଦ୍ୱାରା ନିର୍ମିତ ଅନ୍ୟ କୋଠା ବାଡି ରାସ୍ତା ଘାଟ ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟର ମାନ କ’ଣ ହୋଇଥିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏ ଦିଗରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *