ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବିରେ ଆନ୍ଦୋଳନ ୨ୟ ଦିନରେ : ପୋଲିସ – ଆନ୍ଦୋଳନକାରୀ ଧସ୍ତାଧସ୍ତି

Spread the love

ଖୋର୍ଦ୍ଧା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାବି ନେଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବେଗୁନିଆ ବନ୍ଦ ଆଜି ୨ୟ ଦିନରେ ପହଞ୍ଚିଛି । ଫଳରେ ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ଵରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅବରୋଧ ହଟାଇବାକୁ ନେଇ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଛନ୍ତି ।

ପ୍ରକାଶ ଥାଉକି, ବେଗୁନିଆରେ ଥିବା ବ୍ରିଟିଶ ଅମଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ଦୀର୍ଘ ୫୦ ଦିନ ଧରି ଆନ୍ଦୋଳନ କରିବା ପରେ ସୋମବାର ଠାରୁ ବେଗୁନିଆ ବନ୍ଦ ଡାକରା ଦିଆଯାଇଛି । ପୂର୍ବରୁ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ବିଧାନସଭା କମିଟି ସମସ୍ତେ ଉପଲବ୍ଧି କରି ପ୍ରତିଶ୍ରୁତି ଦେଇଥିଲେ । ୩୦ ବର୍ଷ ଧରି ଏହି ଦାବି ହୋଇଆସୁଥିଲା। ହେଲେ କୌଣସି ସୁଫଳ ନମିଳିବାରୁ ବର୍ତ୍ତମାନ କ୍ରିୟା ଅନୁଷ୍ଠାନ କମିଟି ଚରମ ପଦକ୍ଷେପ ନେଇଛି ବୋଲି କମିଟି କାର୍ଯ୍ୟକାରୀ ସଭାପତି ପ୍ରକାଶ ବଳିଆରସିଂହ କହିଛନ୍ତି।

ଏହି ବନ୍ଦ ଫଳରେ ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ବିଶେଷ କରି ୫୭ନଂ ଜାତୀୟ ରାଜପଥରେ ବନ୍ଦ ପାଳନ ଯୋଗୁ ଖୋର୍ଦ୍ଧା ବଲାଙ୍ଗୀରକୁ ସମସ୍ତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ସକାଳୁ ସକାଳୁ ଝିପି ଝିପି ବର୍ଷା ସତ୍ତ୍ୱେ କମିଟି ସଦସ୍ୟ ଆନ୍ଦୋଳନ ଜାରି ରଖିଛନ୍ତି । ସୋମବାର ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ଏସଡିପିଓ, ତହସିଲଦାର, ବିଡ଼ିଓଙ୍କ ଉପସ୍ଥିତିରେ ଆଲୋଚନା ବିଫଳ ହେବାପରେ ପୁନର୍ବାର ମଙ୍ଗଳବାର ଆନ୍ଦୋଳନ ଜାରି ରହିଛି । ଅବରୋଧ ହଟାଇବା ପାଇଁ ସଦର ଏସଡିପିଓ ଦିଲ୍ଲୀପ ଦାସ, ବେଗୁନିଆ ଥାନାଧିକାରୀ ଲକ୍ଷ୍ମୀଧର ଶଥପଥୀ ପ୍ରମୁଖ ବୁଝାଶୁଝା ସତ୍ତ୍ୱେ ବିଫଳ ହୋଇଥିଲେ । ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଅତିରିକ୍ତ ଏସପି ଏସଏନ ମୁର୍ମୁଙ୍କ ନେତୃତ୍ଵରେ ତିନି ପ୍ଲାର୍ଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଏହି ଆନ୍ଦୋଳନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଲିବ ବୋଲି କ୍ରିୟାନୁଷ୍ଠାନ କମିଟି କୋଷାଧ୍ୟକ୍ଷ ଶିବ ମୁନି କହିଛନ୍ତି ।

Leave a Reply

Your email address will not be published. Required fields are marked *