ଖୁଟଗାଁ ଫାଇଭ-ଟି ରୂପାନ୍ତରଣ ହାଇସ୍କୁଲ ଛାତରୁ ଖସୁଛି କଂକ୍ରିଟ ଖଣ୍ଡ

Spread the love

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଖୁଟଗାଁ ଫାଇଭ-ଟି ରୂପାନ୍ତରଣ ହାଇସ୍କୁଲର ବିଭିନ୍ନ କୋଠରୀରର ଛାତରୁ କଂକ୍ରିଟ ଖଣ୍ଡ ଖସିବା ଏବେ ନିତିଦିନିଆ କଥା ହୋଇଛି । ଆଜି ପୂର୍ବାହ୍ନରେ ସ୍କୁଲ ଚାଲିଥିବା ବେଳେ ଛାତରୁ କଂକ୍ରିଟ ଖଣ୍ଡ ଖସିଛି । ତେବେ ଏଥିରେ କେହି ଆହତ ହୋଇନାହାଁନ୍ତି ।

ହାଇସ୍କୁଲର ବିଭିନ୍ନ କୋଠରୀ ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବା ନେଇ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ଆତଙ୍କ ସୃଷ୍ଟି ହୋଇଛି । କେତେବେଳେ କାହା ମୁଣ୍ଡରେ ସିମେଂଟ କଂକ୍ରିଟ ଖଣ୍ଡ ପଡି ଆଘାତ ଲାଗିବ ସେହି ଚିନ୍ତାରେ ଏବେ ବିଦ୍ୟାଳୟ କର୍ତୃପକ୍ଷ । ଦୀର୍ଘ ବର୍ଷେ ତଳେ ଏହି ବିଦ୍ୟାଳୟକୁ ଫାଇଭ-ଟି ଯୋଜନାରେ ରୂପାନ୍ତରଣ କରାଯାଇଥିଲା । ସ୍ଥାନୀୟ ଠିକାଦାର ମାନଙ୍କୁ ଏହାର ନବିକରଣ ଦାୟିତ୍ଵ ନେଇ ଠିକା ଦିଆଯାଇଥିଲା । ତେବେ କାମ ଚାଲିଥିଲା ବେଳେ ଠିକାଦାର ମାନେ ମନମାନି କରି ନିମ୍ନମାନର କାର୍ଯ୍ୟ କରିଥିଲେ ସୁଦ୍ଧା ଏନେଇ କେହି ମୁହଁ ଖୋଲି ନଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏସବୁ ଦେଖି ନିରବ ରହୁଥିଲେ । ସମସ୍ତଙ୍କ ମନରେ ଭୟ ଫାଇଭ-ଟି କଥା, ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଠିକାଦାର ଅସନ୍ତୁଷ୍ଟ ହେଲେ ରାସ୍ତାରେ ଗୁଣ୍ଡାଙ୍କ ଆକ୍ରମଣ, ସେପଟେ ଏହା ପଛରେ ରହିଥିବା ରାଜନୈତିକ ଶକ୍ତି ମଧ୍ୟ ଅସନ୍ତୁଷ୍ଟ ହୋଇ କ୍ଷତି କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶିକ୍ଷକ ମାନେ ନିରବ ରହିଥିଲେ । ତେବେ ଏହି ଉପଖଣ୍ଡରେ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ତହସିଲଦାରଙ୍କ ସମେତ ଜିଲ୍ଲାରେ ଜଣେ ଟାଣୁଆ ଶିକ୍ଷା ଅଧିକାରୀ ମଧ୍ୟ ରହିଛନ୍ତି । ଜିଲ୍ଲାପାଳ ମଧ୍ୟ ବିଭିନ୍ନ ସମୟରେ ଉପଖଣ୍ଡ ଗସ୍ତରେ ଆସୁଛନ୍ତି । ନିମ୍ନ ମାନର କାର୍ଯ୍ୟକୁ ନେଇ କେହି ତଦାରଖ କଲେ ନାହିଁ କିମ୍ବା ପଦେ କହିଲେ ନାହିଁ, ଏବେ ଫଳ ଭୋଗୁଛନ୍ତି ଛାତ୍ରଛାତ୍ରୀ ଓ ବିଦ୍ୟାଳୟର କର୍ମଚାରୀ । ଏହା କେବଳ ବଣେଇ ଉପଖଣ୍ଡ ଖୁଟଗାଁ ହାଇସ୍କୁଲର ଚିତ୍ର ନୁହେଁ ସମଗ୍ର ଜିଲ୍ଲାରେ ଫାଇଭ୍ -ଟି ଅଧିନରେ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟ ଗୁଡିକର ରୂପାନ୍ତରଣ କାର୍ଯ୍ୟକୁ ନେଇ ପୂର୍ବରୁ ଯେଉଁ ସନ୍ଦେହ ରହିଥିଲା, ସେସବୁ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।

ରାଉରକେଲାର ପ୍ରବେଶ ପଥରେ ରହିଥିବା ପାନପୋଷ ହାଇସ୍କୁଲରେ ମଧ୍ୟ ଦଳୀୟ ଛାତ୍ର ସଂଗଠନର ଠିକାଦାର ବାବୁ ଠିକା କାମ କଲେ, ହେଲେ କେତେବେଳେ ପାଣି ଆସୁନି ତ ଆଉ କେତେବେଳେ ବିଜୁଳି ସମସ୍ୟା, ପାଇଖାନା ସଫା ହୋଇପାରୁନାହିଁ, ଦୁର୍ଗନ୍ଧମୟ ପରିବେଶ ସାଙ୍ଗକୁ ପଙ୍ଖା ଚାଲୁନାହିଁ । ପ୍ରବଳ ଗରମ ଓ ଗୁଳୁଗୁଳିରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଛଟପଟ ହେଉଛନ୍ତି । କାନ୍ଥ ଗୁଡିକରୁ ରଙ୍ଗ ମଧ୍ୟ ଛାଡିଲାଣି । ମାତ୍ର କେଇ ମାସ ପୂର୍ବେ ରୂପାନ୍ତରଣ କାର୍ଯ୍ୟ ହୋଇଥିବା ଏହିସବୁ ବିଦ୍ୟାଳୟର ଅବସ୍ଥା ଯଦି ଏମିତି, ତେବେ ରୂପାନ୍ତରିତ ହୋଇଥିବା ଅନ୍ୟସବୁ ବିଦ୍ୟାଳୟ ଗୁଡିକରେ ହୋଇଥିବା କାର୍ଯ୍ୟର ଅବସ୍ଥା କ’ଣ ଥିବ ତାହା ସହଜରେ ଅନୁମାନ କରାଯାଇପାରେ । ମୁହଁ ଖୋଲିବାକୁ ସମସ୍ତଙ୍କର ଇଚ୍ଛା, ହେଲେ ଭୟ ଫାଇଭ-ଟି କୁ ।

Leave a Reply

Your email address will not be published. Required fields are marked *