ସରକାରଙ୍କ କୋଟିଆ ଚିନ୍ତା। କୋଟିଆକୁ ଯେଭଳି ଆନ୍ଧ୍ର ଆଖି ପକାଇଛି। ପ୍ରଲୋଭନର ପାଲରେ ପକାଇ ଓଡ଼ିଶା ଲୋକଙ୍କ ଉପରେ ନିଜର ଅଧିକାର ଜାହିର କରୁଛି। ତାକୁ ରୋକିବାକୁ ପଡ଼ିବ। ଏଥିଲାଗି ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ ତିଆରି କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରଥମ ବୈଠକ। ସୀମା ବିବାଦକୁ ନେଇ ଗଠିତ ନୂଆ କମିଟିର ପ୍ରଥମ ବୈଠକରେ କୋଟିଆ ବିବାଦର ସମାଧାନ ଓ ବିକାଶକୁ ନେଇ ହୋଇଥିଲା ମାନସମନ୍ଥନ। ଲୋକସେବା ଭବନରେ ନୂଆ କମିଟିର ପ୍ରଥମ ବୈଠକ ବସିଥିଲା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ମାସକ ଭିତରେ କୋଟିଆ ବିକାଶ ଲାଗି ବିଭିନ୍ନ ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିକି ଦେବେ। କୋଟିଆର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ଲାଗି ଯୋଜନା ହେବ। ଗ୍ରାଉଣ୍ଡରେ ସମସ୍ୟାକୁ ଠାବ କରାଯିବ। କୋଟିଆ ଲୋକଙ୍କ ଦ୍ୱାରଦେଶରେ ସବୁସୁବିଧା କେମିତି ପହଞ୍ଚିବ, ଗୁରୁତ୍ୱ ଦିଆଯିବ। କୋଟିଆ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ। ଏହା ସହ ସାଲିସ କରାଯିବନି। କୋଟିଆକୁ ନେଇ ଆଇନଗତ ଲଢ଼େଇ ଠିକ୍ ଭାବେ ପରିଚାଳନା ହେଉନଥିଲା। ପୂର୍ବତନ ସରକାର ଠିକରେ ତଥ୍ୟ ରଖିନଥିଲେ। ସେଥିଲାଗି ଓଡ଼ିଶା କ୍ଷତିଗ୍ରସ୍ତ ହେଲା। ସୁପ୍ରିମକୋର୍ଟରେ ହାରିଥିବା ମାମଲାକୁ ପୁନର୍ଜୀବିତ କରାଯିବ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କୋଟିଆ ବିବାଦ ସମାଧାନ ଲାଗି ହୋଇଥିବା କମିଟିରେ ସ୍ଥାନୀୟ ଲୋକଙ୍କୁ ସାମିଲ୍ କରାଯାଇନି। ଆନ୍ଧ୍ର ସରକାର ସ୍ଥାନୀୟ ଲୋକଙ୍କୁ ନିଜ ଆଡ଼କୁ ନେବାକୁ ନାନା ଯୋଜନା କରୁଛନ୍ତି। ସେଥିଲାଗି ଓଡ଼ିଶା ସରକାର ଏହାର ଭିତ୍ତିଭୂମି ବିକାଶ ଲାଗି ଠୋସ୍ ପଦକ୍ଷେପ ନେବା ଜରୁରୀ। ବିଜେଡି ନେତା ପ୍ରୀତମ ପାଢ଼ୀ କହିଛନ୍ତି, ଏବେ ତ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କୋଟିଆ ପ୍ରସଙ୍ଗରେ କେବଳ ଅଫିସରଙ୍କୁ ବସାଇ ମିଟିଂ ହେଉଛି। ଏହା କେବଳ ପ୍ରହସନ ପାଲଟିଛି। ସ୍ଥାନୀୟ ପ୍ରତିନିଧିଙ୍କୁ ସାମିଲ ନ କଲେ ସୁଫଳ ମିଳିବନି। ସୀମା ବିବାଦରେ କୋଟିଆ ବଳି ପଡ଼ୁଛି। କୋଟିଆ ଓଡ଼ିଶାର ନା ଆନ୍ଧ୍ରର ବୋଲି ଅନେକ ସମୟରେ ଆଶଙ୍କା ଉପୁଜିଛି। ଓଡ଼ିଶାର ହୋଇଥିଲେ ସୁଦ୍ଧା କୋଟିଆ ଉପରେ ଆନ୍ଧ୍ରର ଦାଦାଗିରି ଓ ଲୋକଙ୍କୁ ଲୋଭରେ ପକାଇ ନିଜର କରିବାର ଭେଳିକିକୁ ଏବେ ସରକାର କଡ଼ା ଜବାବ ଦେବା ଦରକାର।


Naxatra News is now on Whatsapp
Join and get latest news update delivered to you via whatsapp
Join Now