ଓଡ଼ିଶା

ଡ଼ଙ୍ଗାରେ ଲାଗିଛି ଜୀବନ ବାଜି

ରାଜକନିକା: ମଣିଷ ଏଠି ପ୍ରତ୍ୟେକ ମୁହୂର୍ତ୍ତରେ କିପରି ମରି ମରି ବଞ୍ଚୁଛି। ଦେଶ ସ୍ୱାଧୀନତାର ୭୫ବର୍ଷ ପରେ ବି ପରାଧୀନ ଭାବରେ ଜୀବନ ଜିଉଁଛନ୍ତି ଲୋକେ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ତ୍ରଲୋକ୍ୟପୁର ପଞ୍ଚାୟତର ଗଙ୍ଗାଧର ପ୍ରସାଦ ଡିଆ। ଆଜି ବି ଏ ଗାଁ ଅବହେଳିତ ଅବସ୍ଥାରେ ରହିଛି । ଏହି ଗାଁର ଲୋକେ ଆଜି ବି ଡଙ୍ଗା, ଡୁଙ୍ଗିରେ ପାରି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳେ। ଯେଉଁଠି ବସବାସ କରନ୍ତି ପ୍ରାୟ ୧୮୦ରୁ ଉର୍ଦ୍ଧ୍ଵ ପରିବାର, ଆଉ ପାଖାପାଖି ଅଢେଇ ହଜାରରୁ ଉର୍ଦ୍ଧ୍ଵ ଲୋକେ । ଏହି ଗାଁକୁ ଯିବାପାଇଁ ହେଲେ ବିପଦପୂର୍ଣ୍ଣ ନଦୀ ପାରି ହେବାକୁ ପଡିବାକୁ ହୋଇଥାଏ, କେତେବେଳେ ନଦୀରେ ବୁଡି ଯିବାର ଭୟ ତ କେତେବେଳେ କୁମ୍ଭୀର ମୁହଁରେ ପ୍ରାଣ ହରାଇବାର ଭୟ ଘାରିଥାଏ।

ମଝିରେ ଗାଁ ଥିବାବେଳେ, ଚାରିପଟେ ବେଢିରହିଛି ଖରସ୍ରୋତା ନଦୀ । ପୋଲଟିଏ ପାଇଁ ଗ୍ରାମବାସୀ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ କେତେବା ନେହୁରା ହେବେ, ନେହୁରା ହୋଇ ଥକି ପଡିଲେଣି । ହେଲେ, ଏବେ ବି ପୋଲ ନିର୍ମାଣ ତ ଦୂରର କଥା, ସେ ବାବଦରେ ନେତାଙ୍କ ଠାରୁ ପ୍ରଶାସନ ଯାଏ କେହି ବି ଦିନଟିଏ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିନାହାଁନ୍ତି । କିନ୍ତୁ ଭୋଟ ସମୟରେ ପୁଳା ପୁଳା ପ୍ରତିଶୃତି ଦେଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଭୋଟ ପାଖେଇ ଆସିଲେ ମାଳ ମାଳ ନେତା ମାଡିଆସନ୍ତି ମେଞ୍ଚା ମେଞ୍ଚା ପ୍ରତିଶୃତି ଭେଟି ନେଇ । ଗାଁରୁ ନଦୀ ପାରି ହୋଇ ସଦର ମହକୁମାରେ ଥିବା ବ୍ଲକ, ତହସିଲ ଓ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ଦପ୍ତରକୁ ଯିବାକୁ ହେଲେ ୧୫ କିଲୋମିଟର ଦୂର ଯିବାକୁପଡେ । ସବୁଠାରୁ ବିଡମ୍ଵନାର ବିଷୟ ଜାତୀୟ ଉଦ୍ୟାନ ଭିତରକନିକାରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବାରୁ ଏବଂ ଏହି ନଦୀ ସହ ବୈତରଣୀ ନଦୀର ସଂଯୋଗ ଥିବା କାରଣରୁ ଏହି ନଦୀରେ କୁମ୍ଭୀରମାନେ ଚଳପ୍ରଚଳ କରିଥାନ୍ତି । ଏମିତିକି କୁମ୍ଭୀର ପାଇଁ ପୂର୍ବରୁ ବହୁ ଧନଜୀବନ ହାନି ଘଟିବା ସହ ଗୋରୁଗାଈ, ଛେଳି, ମେଣ୍ଢା ଭଳି ଅନେକ କୁମ୍ଭୀର ପାଟିରେ ଯାଇଛନ୍ତି ।

ରାତି ହେଉ ବା ଦିନ ଯେଉଁ ସମୟରେ କୌଣସି କାର୍ଯ୍ୟରେ ନିକଟ ଆୟତନ ବଜାର ବା ସଦର ରାଜକନିକାକୁ ଗଲେ ଭୟଭୀତ ଅବସ୍ଥାରେ ପାରି ହେବାକୁ ପଡିଥାଏ । ସ୍କୁଲ, କଲେଜ ଛାତ୍ର-ଛାତ୍ରୀମାନେ ମଧ୍ୟ ସେହି ଡୁଙ୍ଗି ବା ଡଙ୍ଗାରେ ମଧ୍ୟ ବିପଦସଙ୍କୁଳ ଭାବେ ପାରି ହୋଇଥାନ୍ତି । ଗାଁରେ ଏକମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଛାଡିଲେ ଆଉ କୌଣସି ପ୍ରଶାସନିକ କାର୍ଯ୍ୟାଳୟ ନାହିଁ । ଏହି ନଦୀରେ ଅନେକ ଥର ମଧ୍ୟ ଡୁଙ୍ଗି ବା ଡ଼ଙ୍ଗା ମଝିନଦୀରେ ଭାରସାମ୍ୟ ହରାଇ ବୁଡିବା ଦ୍ଵାରା ଧନଜୀବନ ହାନି ଘଟିଥିବା କଥା ଗ୍ରାମବାସୀ କୁହନ୍ତି । ସବୁଠାରୁ ବଡ଼ ଦୁଃଖର କଥା ନଦୀପରି ଗାଁ ହୋଇଥିବାରୁ ଏହି ଗାଁକୁ କେହି ଝିଅ ଦେବାକୁ ରାଜି ହେଉନାହାଁନ୍ତି । ପୋଲ ନ ଥିବା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏହି ଗାଁର ଲୋକେ

ସଂଜୟ କୁମାର ଦାଶ

Leave a Reply

Your email address will not be published.

Back to top button