ଅପରାଧଅର୍ଥନୀତିଓଡ଼ିଶା

LUMEX RESOURCE FRAUD(ନିବେଶକଙ୍କ ଭରସା ଭାଙ୍ଗିବନି ତ ଇଓଡବ୍ଲୁ )

21/04/2023

() ଲୁମେକ୍ସ ମହାଠକେଇ ମାମଲାରେ କେତେଦୂର ଗଲାଣି ତଦନ୍ତ। ଇଓଡବ୍ଲୁ ଏ ଯାଏ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିସାରିଛି ନା ପହଞ୍ଚିବାକୁ ଏ ଯାଏ ବାଟ ପାଉନି। କାରଣ କମିଶନରେଟ ପୁଲିସଠୁ ଇଓଡବ୍ଲୁ ତଦନ୍ତ ଭାର ନେଇକି ମାସେ ବିତିଗଲାଣି। କିନ୍ତୁ ଅଭିଯୁକ୍ତଙ୍କ ବାବଦରେ କୌଣସି ସୂଚନା ନାହିଁ। ନିବେଶକାରୀ କେଉଁ ଭରସାରେ ନ୍ୟାୟ ପାଇବେ ବୋଲି ଆଶା ରଖିବେ। ଏମିତି ତମାମ ପ୍ରଶ୍ନଜାଲରେ ଆପେ ଆପେ ଛନ୍ଦି ହୋଇଗଲାଣି ଇଓଡବ୍ଲୁ। ଲୁମେକ୍ସ ମହାଠକେଇ ମାମଲାରେ କମିଶନରେଟ ପୁଲିସର ପାରିଲାପଣିଆକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ତଦନ୍ତ ଭାର ଇଓଡବ୍ଲୁକୁ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବଡ଼ କଥା ହେଲା, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏହାର ନିଜେ ଅନୁଧ୍ୟାନ କରିବେ ବୋଲି ବିଧିବଦ୍ଧ ବିଜ୍ଞପ୍ତି ବି ପ୍ରକାଶ ପାଇଥିଲା। ହେଲେ ଇଓଡବ୍ଲୁର ଆକ୍ସନ ଏ ଯାଏ ଆଖିଦୃଶିଆ ହୋଇପାରିଲାନି। ୧୭ ମାସ ହେଲା ତଦନ୍ତ ନାଁରେ ନିବେଶକ ନିଶାରାଣୀଙ୍କୁ ଭୂଆଁ ବୁଲାଉଥିବା କମିଶନରେଟ ପୁଲିସର ଶିଥିଳତା ପଛରେ ଅନେକ କାରଣ କୁହାଗଲା। ଅତିରିକ୍ତ ସିପି ଉମାଶଙ୍କର ଦାସ ଅଭିଯୁକ୍ତ ରାଜୀବ ଦାସଙ୍କ ସମ୍ପର୍କୀୟ ହେତୁ ତଦନ୍ତ ଆଗଉନି ବୋଲି ନିଶାରାଣୀ ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଗୃହ ସଚିବ ଓ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାନସଭାରେ ବିରୋଧୀ ଏହାକୁ ନେଇ ସ୍ୱର ଉଠାଇଥିଲେ। ଉମାଶଙ୍କରଙ୍କୁ ବଦଳି, ୧୭ ମାସ ହେଲା ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ ଆକ୍ସନ ପାଇଁ ବି ବାହିନୀପତି ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀଙ୍କୁ। ଏ ସବୁ ପରେ ଇଓଡବ୍ଲୁ ତଦନ୍ତଭାର ହାତକୁ ନେବା ପରେ ଆଶା ଥିଲା ନିବେଶକାରୀ ତ୍ୱରିତ ନ୍ୟାୟ ପାଇବେ। ହେଲେ ସମୟ ଗଡ଼ୁଛି ସିନା। ନା ତଦନ୍ତ ଆଗଉଛି ନା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିଲା ଏ ଯାଏ ଇଓଡବ୍ଲୁ। ଏହାରି ଭିତରେ ଲୁମେକ୍ସ ସହ ଜିଓକେମ୍, ଜିନ୍ଦଲ, ଆଦିତ୍ୟ ବିର୍ଲା ଭଳି ଅନେକ ସଂସ୍ଥା ସହ ବ୍ୟବସାୟିକ କାରବାରର ମିଛ ଓ ଜାଲି ଦସ୍ତାବିଜ୍ ସହ ପ୍ରମାଣ ସାମ୍ନାକୁ ଆସିସାରିଛି। ଡିଏଲଏଫ ସାଇବର ସିଟିରେ ଥିବା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଯେଉଁ ଘରେ ଭଡ଼ା ନେଇ ଲୁମେକ୍ସ ସଂସ୍ଥା ଖୋଲିଥିଲା, ଲୋପାମୁଦ୍ରାଙ୍କ ଦସ୍ତଖତକୁ ଜାଲି କରି ରାଜୀବ ଓ ତାଙ୍କ ସହଯୋଗୀଆରଓସିରେ କମ୍ପାନୀ ପଞ୍ଜୀକରଣ କରିଥିବାର ଗୁମର ବି ଖୋଲିସାରିଲାଣି। କୋର୍ଟ ଅଫିସରଙ୍କ ଫରେନସିକ ଅଡିଟରେ ବି ଏହାର ସ୍ୱୀକାରୋକ୍ତି ଜଳଜଳ କରି ଦିଶୁଛି। ହେଲେ ଇଓଡବ୍ଲୁ ଏ ସବୁ ଦିଗ ପ୍ରତି କାହିଁକି ଆଖି ବୁଜିଦେଉଛି ବୋଲି ଆରୋପ ଆସିଛି। ବାହିନୀପତି କହିଛନ୍ତି, ତଦନ୍ତରେ ଅବହେଳା କରିଥିବା ସମସ୍ତ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଜରୁରୀ। ଇଓଡବ୍ଲୁ ତଦନ୍ତ ଭାର ନେବା ପରଠୁ ବି ସେମିତି କୌଣସି ଆଖିଦୃଶିଆ ଆକ୍ସନ ହୋଇନି। ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କର ଏ ଯାଏ ବଦଳି ହେଲାନି। ନା ରେଡ୍ ହେଉଛି। ନା ସିଜ୍ ହେଉଛି। ନା ଆକାଉଣ୍ଟକୁ ଅଚଳ କରାହେଉଛି। ହାଇକୋର୍ଟଙ୍କ ନିର୍ଦେଶକୁ କମିଶନରେଟ ପୁଲିସ ଅନୁପାଳନ କରିନଥିଲା ବୋଲି ଆରୋପ ଆସିଥିଲା।  ଆଗୁଆ ଜାମିନ ଦୁଇ ଦୁଇ ଥର ଖାରଜ ହୋଇସାରିଛି। ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ପୁଲିସ ସେମାନଙ୍କୁ ଫେରାର ବୋଲି ଦର୍ଶାଇ ନିଜର କାମ ସାରିଦେଇଥିଲା। କିନ୍ତୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ କୌଣସି କସରତ କରିନଥିଲା କମିଶନରେଟ ପୁଲିସ। ଇଓଡବ୍ଲୁ ବି ତଦନ୍ତଭାର ନେଇକି ମାସେ ହେଲାଣି। ଯାହା ତ୍ୱରିତ ଆକ୍ସନ ହେବ ବୋଲି ଆଶା କରାଯାଉଥିଲା, ତାହାର କାଣିଚାଏ ବି ଦେଖାଯାଉନି। ଲାଗୁଛି ଯେମିତି ତଦନ୍ତକାରୀ ସଂସ୍ଥା ଧୃତରାଷ୍ଟ୍ର ସାଜିଛି। ଆଉ ଶାସକ ଦଳ ବିଧାୟକ ଧୃବ ସାହୁ କହୁଛନ୍ତି, ଆଇନ ଉପରେ ଭରସା ରଖନ୍ତୁ। ନିଶ୍ଚୟ ଇଓଡବ୍ଲୁ ଠୋସ୍ ନିଷ୍କର୍ସରେ ପହଞ୍ଚିବ ଓ ଅଭିଯୁକ୍ତ ବନ୍ଧା ହେବେ। କିନ୍ତୁ ବରିଷ୍ଠ ଆଇନଜୀବିଙ୍କ ମତରେ, ଯେତେ ବିଳମ୍ୱ ହେଉଛି, ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ ସମୟ ପାଉଛି। ଏ ସବୁ ଆକଳନ ଭିତରେ ଇଓଡବ୍ଲୁ ଭଳି ଦକ୍ଷ ତଦନ୍ତକାରୀ ସଂସ୍ଥା ଓ ଏହାର ଦକ୍ଷ ଅଫିସର ବୋଥ୍ରା ଓ ତାଙ୍କ ଟିମ୍ ପ୍ରତି ଭରସା ତୁଟୁଛି କି। ତା ନହେଲେ ମାସେ ହେଲା ଏହି ମହାଠକେଇ ମାମଲାରେ ଏ ଯାଏ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ଆସିବା ପଛରେ କାରଣ କଅଣ ବୋଲି ସବୁଠି ଚର୍ଚ୍ଚା। କମିଶନରେଟ ପୁଲିସ ଭଳି ନିବେଶକଙ୍କ ଭରସା ଭାଙ୍ଗିବନି ତ ଇଓଡବ୍ଲୁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଭୁବନେଶ୍ୱରରୁ ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published.

Back to top button