ମହାନଦୀ ଜଳବିବାଦ କେବେ ତୁଟିବ। ଟ୍ରିବ୍ୟୁନାଲରେ ଆଉ କେତେ ଦିନ ଗଡ଼ିବ। ଏଭଳି ଅନିଶ୍ଚିତତା ଓ ଆଶଙ୍କାକୁ ଦେଖି ସରକାର ସବୁଦଳକୁ ବିଶ୍ୱାସକୁ ନେଇ ଏକ କମିଟି ଗଠନ କରିଛନ୍ତି। ମହାନଦୀ ଜଳବିବାଦର ଜଟିଳତା ଓ ଏହା ଓଡ଼ିଶାର ଜୀବନରେଖା ହେତୁ ଏହା ସହ ଜଡ଼ିତ ଭାବପ୍ରବଣତାର ଗୁରୁତ୍ୱକୁ ଉପଲବ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିଲାଗି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟିରେ ୩ ମନ୍ତ୍ରୀ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ସମ୍ପଦ ସ୍ୱାଇଁ ଥିଲା ବେଳେ ବିଜେଡିରୁ ନିରଞ୍ଜନ ପୂଜାରୀ, ବିଜେପିରୁ ଜୟନାରାୟଣ ମିଶ୍ର ଓ କଂଗ୍ରେସରୁ ସୋଫିଆ ଫିର୍ଦ୍ଦୋସ ସ୍ଥାନ ପାଇଛନ୍ତି। ସୋଫିଆ କହିଛନ୍ତି, ଦୀର୍ଘ ୯ ବର୍ଷ ପରେ ଏଭଳି କମିଟି ଗଠନ ହୋଇଛି। ପୂର୍ବ ସରକାର ମହାନଦୀକୁ ନେଇ ଅନେକ ରାଜନୀତି କରୁଥିଲେ। ବିରୋଧୀଙ୍କୁ ବିଶ୍ୱାସକୁ ନ ନେଇ ବ୍ୟୁରୋକ୍ରାଟିକ ଢାଞ୍ଚାରେ ମହାନଦୀ ବିବାଦ ତୁଟାଇବାକୁ ବାହାରିଥିଲେ। କିନ୍ତୁ କୋର୍ଟରେ ନିଜ ପକ୍ଷ ନା ଦୃଢ ଭାବେ ରଖୁଥିଲେ ନା ସମାଧାନ ଦିଗରେ କୌଣସି ଆନ୍ତରିକତା ଦେଖାଉଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅବଶ୍ୟ ଗ୍ରାଉଣ୍ଡ ସ୍ଥିତି ବୁଝିଛନ୍ତି। ନ୍ୟାୟିକ ପ୍ରକ୍ରିୟା ସବୁବେଳେ ବିଳମ୍ୱ ହୁଏ। ଯେହେତୁ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ର ମିଳିତ ଭାବେ ଏହାର ସମାଧାନ କରିବେ। ଆଉ ଏହି କମିଟି ବିବାଦ ସମାଧାନରେ ବେଶ ସହାୟକ ସାଜିବ। ଜୟନାରାୟଣ କହିଛନ୍ତି, ଟ୍ରିବ୍ୟୁନାଲକୁ ଯିବା ହିଁ ଭୁଲ ନିଷ୍ପତ୍ତି ଥିଲା। ଏହାର ରାଜନୈତିକ ସମାଧାନ ଜରୁରୀ। ପ୍ରକ୍ରିୟା ଲମ୍ୱିତ ହେଉଛି। ହେଲେ ସମାଧାନ ନାହିଁ। ଛତିଶଗଡ଼ ଯେମିତି ବ୍ୟାରେଜ୍ କଲା, ଓଡ଼ିଶା ସରକାର ସେମିତି କରିବାର ଥିଲା। ହୀରାକୁଦ ବନ୍ଧର ତଳମୁଣ୍ଡରେ ଆହୁରି ବ୍ୟାରେଜ୍ ନିର୍ମାଣ କରିବା କଥା। ମହାନଦୀ ବଞ୍ଚାଅ ଆନ୍ଦୋଳନ କହିଛି, କ୍ଷମତାକୁ ଆସିବାର ଦେଢ଼ ବର୍ଷ ପରେ ମହାନଦୀ ବିବାଦର ଜଟିଳତାକୁ ସରକାର ବୁଝିଲେ। ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ତୁଳନାରେ ଯେହେତୁ ମହାନଦୀ ଭଳି ସମ୍ୱେଦନଶୀଳ ପ୍ରସଙ୍ଗ ଗୌଣ ହୋଇଚାଲିଛି। ସେତେବେଳେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଆଡ଼ଭୋକେଟ ଜେନେରାଲଙ୍କ ବାକ୍ୟବାଣ ଆରମ୍ଭ ହୁଏ। ଜଳବିବାଦର ସମାଧାନ ଲାଗି ଓଡ଼ିଶା ସହମତିରେ ପହଞ୍ଚିବା ଜରୁରୀ। ହେଲେ ଏ କମିଟି କୌଣସି ସହମତି ଆଣିବାରେ ଫଳପ୍ରଦ ହେବ ବୋଲି ବେଶୀ ଆଶା ନାହିଁ ବୋଲି କହିଛନ୍ତି, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ। ମହାନଦୀ ଜଳବିବାଦର ସମାଧାନ ଲାଗି ଉଚ୍ଚସ୍ତରୀୟ କମିଟି କରିଛନ୍ତି ସରକାର। ଦେଖିବାର କଥା, ଏ କମିଟି ବିବାଦ ତୁଟାଇବାରେ କେତେଦୂର ସହାୟକ ସାଜୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now