ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

Spread the love

ପୁରୀ : ଆସନ୍ତାକାଲି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନ ସିଂହାସନ ଛାଡି ଚତୁର୍ଦ୍ଧାମୂର୍ତି ତିନି ରଥରେ ଜନ୍ମବେଦିକୁ ଯାତ୍ରା କରିବେ । ଆଜି ମହାପ୍ରଭୁ ଭକ୍ତ ମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି । ପରିମାଣିକ ଟିକେଟଧାରୀମାନେ ସକାଳ ୮ଟା ଠାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ପୂର୍ବାହ୍ନ ୯ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିଥିଲେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସୋମବାର ମିଥୁନ ୫ ଦିନ ପ୍ରତିପଦ, ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ । ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ଚକା ଅପସର ହୋଇଥିଲା । ପରେ ସକାଳ ୬ଟା ୧୦ରେ ମଙ୍ଗଳଆଳତୀ ଅନୁଷ୍ଠିତ ହୋଇଥିଲା । ପରେ ପରେ ମଇଲମ, ଅବକାଶ ଓ ଦଶ ଅବତାର ଠାକୁରଙ୍କ ବାହୁଡ଼ା ବିଜେ ହୋଇଥିଲା । ସକାଳ ୮ଟାରେ ତାଟି ଫିଟିବା ପରେ ପରିମାଣିକ ଦର୍ଶନ ଭିତର କାଠ ଠାରେ ଅନୁଷ୍ଠିତ ହୋଇଥିଲା । ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ସହ କୋଠସୁଆଁସିଆ ମାନେ ଚାରମାଳ ବାନ୍ଧିବେ । ଆଜି ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରିଥିବା ଜଣାପଡିଛି । ସିଂହଦ୍ଵାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଉତରଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି ।

Leave a Reply

Your email address will not be published. Required fields are marked *