ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଦେଢମାସ ବିତିଥିଲେ ମଧ୍ୟ ହିସାବ ସାର୍ବଜନୀନ ହେଉନାହିଁ, ସାଧାରଣରେ ତୀବ୍ର ଅସନ୍ତୋଷ

Spread the love

ସାଲେପୁର : ଭବିଷ୍ୟତ ମାଳିକାକାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାଦେବସ୍ନାନ ଯାତ୍ରା, ବାଲିଯାତ୍ରା ମହୋତ୍ସବ ଦେଢମାସ ବିତିଯାଇଥିଲେ ମଧ୍ୟ ପରିଚାଳନା କମିଟି ପକ୍ଷରୁ ଆୟବ୍ୟୟର ହିସାବ ସାର୍ବଜନୀନ କରାଯାଇନଥିବାରୁ ଅଚ୍ୟୁତପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ହେଉଥିବା ବାଲିଯାତ୍ରା ମହୋତ୍ସବ ସରକାରଙ୍କ ତରଫରୁ କଟକ ଉପଜିଲ୍ଲାପାଳ ମ୍ୟାନେଜିଂ ଟ୍ରଷ୍ଟୀ ଥିଲା ବେଳେ ତହସିଲଦାର, ବିଡିଓ ଥିବା ବେଳେ ବାଲିଯାତ୍ରା ମହୋତ୍ସବରେ ୫୦୦ ରୁ ଉର୍ଦ୍ଧ ବ୍ୟବସାୟୀ ୧୦ ବର୍ଗଫୁଟ୍କୁ ଏକ ହଜାର ଟଙ୍କା ହିସାବରେ କେତେ ଟଙ୍କା ବ୍ୟବସାୟୀମାନଙ୍କଠାରୁ ଆଦାୟ କରାଗଲା, ସାଇକେଲ ମୋଟର ଷ୍ଟାଣ୍ଡ, ଭୋଗ ଦୋକାନ, ଫୁଲ ଦୋକାନ, ଦୀପ ଦୋକାନ, ସରକାରୀ ଲିଜ୍ ହୋଇଥିଲେ ମଧ୍ୟ ସେସବୁର ହିସାବ ସାର୍ବଜନୀନ କରାଯାଇ ନାହିଁ । ସୂଚନାମୁତାବକ ଯାତ୍ରା ପୂର୍ବରୁ ପଡିଆ ସମତୁଲ ଓ ସରକାରୀ ଷ୍ଟଲ ପାଇଁ ଯେଉଁ ଅସ୍ଥାୟୀ ଘର ନିର୍ମାଣ କରାଯାଇଥିଲା ସେହି ବ୍ୟକ୍ତିମାନଙ୍କୁ ଅଦ୍ୟାବଧି ଅର୍ଥ ପଇଠ କରାଯାଇନଥିବା ବେଳେ ତହସିଲଦାର କେଉଁ ଉଦ୍ଦେଶ୍ୟରେ ହିସାବ ସର୍ବଜନୀନ କରୁନାହାଁନ୍ତି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରକାଶ ଥାଉ କି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ବାର ମାସରେ ତେର ପର୍ବ ପାଳିତ ହେଉଥିଲା ବେଳେ ପ୍ରତି ପର୍ବପର୍ବାଣୀରେ ବିଶେଷ କରି କୁମାରଉତ୍ସବ, ପୁଷ୍ପାଭିଷେକ ଉତ୍ସବ ଆଦି ଉତ୍ସବରେ ବହୁ ଦୂରଦୂରାନ୍ତରୁ ବ୍ୟବସାୟୀମାନେ ଆସି ନିଜର ପସରା ମେଲାଇଥାଆନ୍ତି । ସେସବୁର ହିସାବ ମଧ୍ୟ ପ୍ରଶାସନ ପକ୍ଷରୁ ଠିକ୍ ସମୟରେ ଦିଆଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଦେବସ୍ନାନ ଯାତ୍ରାର ଆୟବ୍ୟୟର ହିସାବ ନୋଟିସ ବୋର୍ଡରେ ଲଗାଯିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *