ମାଲକାନଗିରି : ମାଲକାନଗିରି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଡାକରାରେ ୧ ତାରିଖରୁ ସମସ୍ତ ଅମଲା ସମୂହ ଛୁଟି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି। ଅମଲାଙ୍କ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଁଚିଛି। ଜିଲ୍ଲା ଓକିଲ ସଂଘ ଅମଲାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଜିଲ୍ଲା ଓକିଲ ସଂଘର ସଭାପତି ଲମ୍ବୋଧର ତୁରୁକୁ, ସମ୍ପାଦକ ନୃସିଂହ ଚରଣ ମହାନ୍ତି, ରାମ ପ୍ରସାଦ ପଟ୍ଟନାୟକ, ଗୋପାଳ ପଣ୍ଡା, ଦିଲୀପ ପରିଛା ପ୍ରମୁଖ ଓକିଲ ସଂଘର ସଦସ୍ୟ ମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିବା ଅମଲା ମାନଙ୍କ ନିକଟକୁ ଯାଇ ସେମାନଙ୍କ ଦାବି ପ୍ରତି ସରକାର ଗୁରୁତ୍ଵ ଦିଅନ୍ତୁ ବୋଲି ଦାବି କରି ସମର୍ଥନ ଜଣାଇଥିଲେ। ଅମଲା ମାନଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଅଚଳ ହୋଇଯାଇଛି। ବିଭିନ୍ନ କାଗଜପତ୍ର କାମ ସବୁ ବନ୍ଦ ହୋଇଯାଇଛି।
ବାଲେଶ୍ଵର ବାହାନଗା ଷ୍ଟେସନ ଠାରେ ଦୁଇଟି ସୁପର ଫାଷ୍ଟ ଟ୍ରେନ ଓ ଗୋଟିଏ ମାଲ ବାହୀ ଟ୍ରେନ ଦୁର୍ଘଟଣାଗସ୍ତ ହୋଇ ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ହେବା ସହିତ ହଜାରେରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିଲେ। ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି କାମନା କରି ଧାରଣାରତ ଅମଲା ମାନେ ପ୍ରଦୀପ ପ୍ରଜ୍ଵଳନ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ୬ ଦିନ ହେଲା ନିଜର ହକ ପାଇଁ ଅମଲାଙ୍କ ସମୂହ ଛୁଟିନେବା ଓ ଗଣ ଧାରଣା ଦେବା ଫଳରେ ସମସ୍ତ ଅଫିସ ଗୁଡିକରେ ଚେୟାର ଖାଲି ପଡ଼ିଛି। ଏକ ରକମର ଅଫିସ ଅଚଳ ହୋଇ କାର୍ଯ୍ୟ ଠପ ହୋଇଯାଇଛି। ଦୂର ଦୁରାନ୍ତରୁ ବିଭିନ୍ନ ଅଫିସ କାମରେ ଆସୁଥିବା ଗ୍ରାମବାସୀ ମାନେ ନିରାଶ ହୋଇ ଫେରି ଯାଉଥିବାର ଦେଖିବାକୁ ମିଳିଛି। ଅମଲାଙ୍କ ପ୍ରତି ସରକାରଙ୍କର ବୈମାତୃକ, ମନୋଭାବ କାଳକ୍ଷେପଣ ନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇ ଧାରଣା ଦେଇଛନ୍ତି।ଅମଲା ମାନଙ୍କ ଦାବି ପୂରଣ ନ ହେଲାପର୍ଯ୍ୟନ୍ତ ଏହି ଗଣଧାରଣା ଓ ସମୂହ ଛୁଟି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମିଳିତ ଅମଲା ମଞ୍ଚର ସଭାପତି ଲକ୍ଷ୍ମୀନାରାୟଣ ସେଠି ଓ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ଶ୍ୟାମସୁନ୍ଦର ନାୟକ ସୂଚନା ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now