Malkangiri

ବିନା କାଗଜପତ୍ରରେ ବେଧଡକ ଚାଲିଛି କେନ୍ଦୁପତ୍ର ଚାଲାଣ

ମାଲକାନଗିରି : ବିନା କାଗଜପତ୍ରରେ ବେଧଡକ ଚାଲିଛି କେନ୍ଦୁପତ୍ର ଚାଲାଣ । ଘରୋଇ ସଂସ୍ଥାକୁ କେନ୍ଦୁପତ୍ର କିଣିବା ପାଇଁ ପଂଚାୟତ ସ୍ତରରେ ଦିଆଯାଇଛି ରସିଦ । କେତେ କେନ୍ଦୁପତ୍ର କିଣୁଛନ୍ତି ଘରୋଇ ସଂସ୍ଥା ତାହାର ହିସାବ ପଂଚାୟତ ପାଖରେ ନାହିଁ । ବେଆଇନ ଭାବରେ ବାହାର ରାଜ୍ୟକୁ ରପ୍ତାନି ହେଉଛି ହଜାର ହଜାର କେନ୍ଦୁପତ୍ର । ବନ ବିଭାଗ ପାଖରେ ଖବର ନାହିଁ କିମ୍ବା ପଂଚାୟତରେ ମିଳୁନି ତଥ୍ୟ ।

   ବର୍ତମାନ ଜିଲ୍ଳାରେ ବସବାସ କରୁଥିବା ଆଦିବାସୀ ଓ ବଙ୍ଗୀୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ଲଘୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବେଶ ଦୁଇ ପଇସା ରୋଜଗାର କରିବାର ସମୟ । ସେଥି ମଧ୍ୟରୁ କେନ୍ଦୁପତ୍ର ହେଉଛି ଅନ୍ୟତମ କେନ୍ଦୁପତ୍ର ତୋଳିବା ପାଇଁ ଆଦିବାସୀ ମାନଙ୍କ ପୁରା ପରିବାର ନିଜର ପିଲା ଛୁଆ ଧରି ସକାଳୁ ସକାଳୁ ବାହାରି ପଡନ୍ତି ନିକଟରେ ଥିବା ଜଙ୍ଗଲକୁ ।ସାଙ୍ଗରେ ଧରି ଥାନ୍ତି ସେହି ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମାଣ୍ଡିଆ ପେଜ ।ନିକଟ ଜଙ୍ଗଲରେ ପହଂଚି ଆରମ୍ଭ କରି ଦିଅନ୍ତି କେନ୍ଦୁପତ୍ର ତୋଳିବା, ମଝିରେ ଭୋକ ଲାଗିଲେ ସାଙ୍ଗରେ ନେଇଥିବା ମାଣ୍ଡିଆ ପେଜରୁ ଦୁଇ ଗ୍ଲାସ ଖାଇ ପୁଣି କେନ୍ଦୁପତ୍ର ତୋଳିବାରେ ଲାଗି ପଡନ୍ତି ପୁରା ପରିବାର । କେନ୍ଦୁପତ୍ର ତୋଳି ମଧ୍ୟାହ୍ନ ସମୟରେ ଘରକୁ ଫେରନ୍ତି ଟିକେ କଣ ଦୁଇଟା ଖାଇ ଦେଇ ଟିକେ ବିଶ୍ରାମ କରିବା ପରେ ଲାଗି ପଡ଼ିଥାନ୍ତି ସଂଗ୍ରହ କରିଥିବା କେନ୍ଦୁପତ୍ର ଗୁଡିକୁ ସଜାଡି ବିଡା ବାନ୍ଧିବା କାର୍ଯ୍ୟରେ । କେନ୍ଦୁପତ୍ର ବିଡା ବାନ୍ଧି ସାରିବା ପରେ ସେଗୁଡିକ ନେଇଥାନ୍ତି ଗାଁ ମୁଣ୍ଡରେ ଥିବା ଅସ୍ଥାୟୀ ପଡିକୁ ।ପୂର୍ବରୁ କେନ୍ଦୁପତ୍ର ଗୁଡିକୁ କେବଳ ସରକାରୀ ସ୍ତରରେ କ୍ରୟ କରାଯାଉଥିଲା । କିନ୍ତୁ, ରାଜ୍ୟ ସରକାର ପଂଚାୟତ ସ୍ତରରେ କେନ୍ଦୁପତ୍ର କ୍ରୟ କରିବା ପାଇଁ ଘରୋଇ ସଂସ୍ଥା ମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି ।ସରକାରଙ୍କ ପକ୍ଷରୁ ଅସ୍ଥାୟୀ ପଡି ମଧ୍ୟ ଅଛି, କିନ୍ତୁ ସରକାରୀ ପଡିରେ କେନ୍ଦୁପତ୍ର ତୋଳାଳୀ ମାନେ ବିକ୍ରୟ କରିଲେ ସେମାନଙ୍କ ପଇସା ସିଧାସଳଖ ତୋଳାଳୀ ମାନଙ୍କ ବ୍ୟାଙ୍କ ଖାତାକୁ ଯାଉଛି । ତାପରେ ସରକାରୀ ସ୍ତରରେ ଯେଉଁମାନେ ଦେଉଛନ୍ତି ବିଭିନ୍ନ ପ୍ରକାର ସରକାରୀ ସୁବିଧା ସୁଯୋଗ ମିଳୁଛି ସତ, କିନ୍ତୁ ଟିକେ ବିଳମ୍ବ ହେଉଛି । କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ନୀତି ଦିନର ତେଲ ଲୁଣର ଖର୍ଚ୍ଚ ପାଇଁ ସରକାର ଘରୋଇ ସଂସ୍ଥା ମାନଙ୍କୁ କ୍ରୟ କରିବା ପାଇଁ ଅନୁମତି ଦେଇଛନ୍ତି । ସରକାର ଘରୋଇ ସଂସ୍ଥା ମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରଖିଛନ୍ତି । ଘରୋଇ ସଂସ୍ଥା ମାନେ ଆବଶ୍ୟକ ନିଜର ତଥ୍ୟ ପ୍ରଦାନ କରି ପଂଚାୟତ କାର୍ଯ୍ୟାଳୟରେ ରସିଦ କାଟି କେନ୍ଦୁପତ୍ର କ୍ରୟ କରିପାରିବେ । ସେଗୁଡିକ କ୍ରୟ କରି ସରିବା ପରେ କେନ୍ଦୁପତ୍ର ଗୁଡିକୁ ବସ୍ତା କରି ପଂଚାୟତ ଗୋଦାମ ଗୃହରେ ରଖିବେ । ପରେ ସେହି କେନ୍ଦୁପତ୍ର ବସ୍ତା ଗୁଡିକ ଯେତେବେଳେ ପଂଚାୟତ ବାହାରକୁ ଚାଲାଣ ହେବ ସମ୍ପୃକ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବସ୍ତା ଗୁଡିକ ଯାଂଚ୍ କରିବା ପରେ ବାହାର ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଏକ ନିର୍ଦ୍ଦେଶନାମା ଦେବା ପରେ କେନ୍ଦୁପତ୍ର ବସ୍ତା ଗୁଡିକ ବାହାରକୁ ଯିବାର ଯାହା ବ୍ୟବସ୍ଥା ଅଛି । ତାହା ସହିତ ଘରୋଇ ସଂସ୍ଥା ଦ୍ୱାରା କେତେ ପରିମାଣରେ କେନ୍ଦୁପତ୍ର ତୋଳା ଯାଇଛି ଏକ ହିସାବ ରହିବ ବୋଲି ଯାହା ସରକାରୀ ବ୍ୟବସ୍ଥା ରହିଛି । କିନ୍ତୁ, ଘରୋଇ ସଂସ୍ଥା ଓ ସରକାରୀ ବାବୁ ମାନେ ତାହାକୁ ବେଖାତିର କରି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଖାଲି କ୍ରୟ କରିବା ପାଇଁ ଘରୋଇ ସଂସ୍ଥାଙ୍କ ପାଖରୁ ଆବଶ୍ୟକ କାଗଜପତ୍ର ରଖି ପଂଚାୟତ ବିବିଧ ରସିଦ କାଟି ହାତ ବାନ୍ଧି ବସି ପଡୁଛନ୍ତି । ଘରୋଇ ସଂସ୍ଥା ମାନେ କେତେ କେନ୍ଦୁପତ୍ର କ୍ରୟ କରୁଛନ୍ତି ସେଗୁଡ଼ିକ କେଉଁଠିକି ସେମାନେ ନେଉଛନ୍ତି ତାହାର ହିସାବ ନା ପଂଚାୟତ ଅଧିକାରୀ ମାନେ ଦେଇ ପାରୁଛନ୍ତି ନା କେନ୍ଦୁଲିଫ ଅଧିକାରୀ ମାନେ ଦେଇ ପାରୁଛନ୍ତି । କେନ୍ଦୁପତ୍ର କ୍ରୟ ସଂସ୍ଥା ମାନେ ପଂଚାୟତରେ ଲକ୍ଷାଧିକ ଟଙ୍କା ଅମାନ୍ତ ଆକାରରେ ଜମା କରିବା କଥା, ହେଲେ ତାହା କରୁନଥିବା ବେଳେ ବେଳେ କ୍ରୟ ସଂସ୍ଥା ଗୁଡିକ ତୋଳାଳୀ ମାନଙ୍କୁ ଟଙ୍କା ନଦେଇ ଚାଲି ଯାଉଛନ୍ତି । ସେ ସମୟରେ ପଂଚାୟତ ତରଫରୁ ରଖାଯାଇଥିବା ଅଗ୍ରିମ ଟଙ୍କାରୁ ପ୍ରଦାନ କରିବା ପାଇଁ ନିୟମ ରହିଛି । ହେଲେ ଏହାକୁ କେହି ପାଳନ କରୁନାହାନ୍ତି । ଏପରି ଚିତ୍ର ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି, କାଲିମେଳା ଓ ଏମଭି -୭୯ କେନ୍ଦୁପତ୍ର ବନାଚଂଳରେ । ମାଥିଲି କେନ୍ଦୁପତ୍ର ବନାଚଂଳରେ ସରକାରୀ ସ୍ତରରେ କ୍ରୟ କରିବା ପାଇଁ ୬୭ ଟି ପଡି ରହିଥିବା ବେଳେ ୬୬୬୬ ଜଣ ହିତାଧିକାରୀଙ୍କ ନାମ ପନ୍ଜିକୃତ ହୋଇଛି । ସେହିପରି ଏମଭି -୭ ୯ ବନାଚଂଳରେ ୫୫ ଟି ଫଡ଼ିରେ ୫୪୦୩ ତୋଳାଳୀ ନାମ ପଞ୍ଜିକୃତ କରିଛନ୍ତି । ସମସ୍ତ ହିତାଧିକାରୀ ସରକାରୀ ସୁବିଧା ପାଉଛନ୍ତି ବୋଲି ମାଥିଲି କେନ୍ଦୁପତ୍ର ବନାଚଂଳ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ଏମଭି -୭ ୯ କେନ୍ଦୁପତ୍ର ବନାଚଂଳ ଅଧିକାରୀ ଆଶୁତୋଷ ସିଂ ସୂଚନା ଦେଇଛନ୍ତି । କେନ୍ଦୁପତ୍ର ବନାଚଂଳ ଅଧିକାରୀ ପାଖରେ ଘରୋଇ ସଂସ୍ଥା ଅଂଚଳରେ କେନ୍ଦୁପତ୍ର କ୍ରୟ କରୁଛନ୍ତି । ତାହାର ତଥ୍ୟ ରହୁନାହିଁ, ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ମଧ୍ୟ କୌଣସି ସୂଚନା ଦେଉନାହାନ୍ତି ।

ଏ ବିଷୟରେ କିଛି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ଗୋଟିଏ କଥା କହିଥିଲେ ଆମେ ଘରୋଇ ସଂସ୍ଥା ମାନଙ୍କ ପାଖରୁ ଆବଶ୍ୟକ କାଗଜପତ୍ର ରଖି ପଂଚାୟତର ବିବିଧ ରସିଦ କାଟି ଦେଉଛୁ । ବାକି ଘରୋଇ ସଂସ୍ଥା ମାନେ କେତେ କେନ୍ଦୁପତ୍ର କ୍ରୟ କରୁଛନ୍ତି ତାହାର ହିସାବ ଆମ ପାଖରେ ନାହିଁ । ସେମାନଙ୍କୁ ନେବାପାଇଁ ଜିଲ୍ଲା ସ୍ତରରେ ଡିପିଓ ନିର୍ଦେଶ ଦେଇଛନ୍ତି, ଆମକୁ ଅନ୍ୟ କିଛି ନିୟମ କାନୁନ ଦେଇ ନାହାଁନ୍ତି କି ସେ ବିଷୟରେ ଅଧିକାରୀ ମାନେ ଜାଣି ନାହାଁନ୍ତି । ଏଠି ସାଧାରଣରେ ଗୋଟିଏ ପ୍ରଶ୍ନ ଉଠିଛି ପଂଚାୟତ ସ୍ତରରେ କେନ୍ଦୁପତ୍ର ଚାଲାଣ ବ୍ୟବସ୍ଥା ଜିଲ୍ଲା ମୁଖ୍ୟାଳୟରେ ବସି କିପରି ଜାଣିବେ ପଂଚାୟତରେ କେତେ କେନ୍ଦୁପତ୍ର କ୍ରୟ ହେଉଛି । କେଉଁ ହିସାବରେ ଘରୋଇ ସଂସ୍ଥା ମାନେ ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ରାଜସ୍ୱ ଫାଙ୍କି ବେଧଡକ କେନ୍ଦୁପତ୍ର ଚାଲାଣ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କାଲିମେଳା ବ୍ଲକରେ କିଛି ପଂଚାୟତରେ ସରପଂଚ ମାନଙ୍କୁ ହାତ କରି ଘରୋଇ ସଂସ୍ଥା ମାନେ ପଂଚାୟତରେ ଚାଳିଶ ହଜାର ଟଙ୍କାର ବିବିଧ ରସିଦ ନ କାଟି ଲକ୍ଷ ଲକ୍ଷ ଟଙ୍କାର କେନ୍ଦୁପତ୍ର କ୍ରୟ କରୁଥିବା ଅଭିଯୋଗ ହେଉଛି । ବିଶେଷ କରି ମାଥିଲି ଓ କାଲିମେଳା ବ୍ଲକର ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ପଂଚାୟତ ଗୁଡିକରେ ଶହ ଶହ କେନ୍ଦୁପତ୍ର ବସ୍ତା ଦିନ ଦ୍ୱିପ୍ରହରରେ ପଡୋଶୀ ଛତିଶଗଡ଼ରୁ ଓଡିଶା ଓ ଓଡିଶାରୁ ଛତିଶଗଡକୁ ଚାଲାଣ ହେଉଛି । ପ୍ରଶାସନ ଯେମିତି ସବୁ ଜାଣି ଆଖିରେ ଅନ୍ଧ ପୁଟୁଳି ବାନ୍ଧି ରହିଛି । ଜିଲ୍ଲାର ବାଲିମେଳା, ମାଲକାନଗିରି, କତାମେଟା, ମାଥିଲି, କାଲିମେଳା ଓ ଏମଭି -୭ ୯ କେନ୍ଦୁପତ୍ର ବନାଚଂଳରେ କୋଟି କୋଟି ଟଙ୍କାର ରାଜ୍ୟ ସରକାର ରାଜସ୍ୱ ହରାଉଥିବା ଅଭିଯୋଗ ହେଉଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button