ଶ୍ରେଣୀ ଗୃହ ଅଭାବରୁ ଚାଉଳ ବସ୍ତା ଉପରେ ବସି ପିଲାଏ ପଢୁଛନ୍ତି ପାଠ

Spread the love

ମାଲକାନଗିରି : ଯେଉଁଠି ବସି ପିଲା ପାଠ ପଢୁଛନ୍ତି ସେଇଠି ହାଣ୍ଡି, ଡେକଚି ସବୁ ରଖାଯାଇଛି । ଏମିତିକି ଚାଉଳ ବସ୍ତା ଉପରେ ବି ପିଲାଏ ବସୁ ଛନ୍ତି । ଯେଉଁଠି ଶ୍ରେଣୀ ଗୃହରେ ବସି ପିଲାମାନେ ପାଠ ପଢିବାର କଥା ସେଇଠି ଚାଉଳ, ଡାଲି ସହିତ ହାଣ୍ଡି, ଡେକଚି କାହିଁକି ରଖାଯାଇଛି ? କିନ୍ତୁ ଘଟଣା ପଛର ସତ ଜାଣିଲେ ଆପଣଙ୍କୁ ବି ଘଟଣା କଣ ଜାଣିବା ଲାଗି ବ୍ୟଗ୍ରତା ହେବ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଟନେଲକ୍ୟାମ୍ପ ପଞ୍ଚାୟତ ସଦରରେ ରହିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସବୁଦିନ ପରି କ୍ଲାସ ରୁମରେ ପାଠପଢା ହେଉଥିଲା । ପିଲା ବି ମନଧ୍ୟାନ ଦେଇ ପାଠ ପଢୁଥିଲେ । ହେଲେ ଯେଉଁ ଘରେ ପିଲାଙ୍କ ପାଠପଢା ଚାଲିଛି ସେ ଘରର ଅବସ୍ଥା ପୂରା ସଙ୍ଗୀନ । ଛାତରୁ ପାଣି ଗଳୁଥିବା ବେଳେ କାନ୍ଥ ଗୁଡ଼ିକରେ ଉଈ ଲାଗିଗଲେଣି । ସ୍କୁଲରେ ଆବଶ୍ୟକୀୟ ପରିମାଣର ଘର ନଥିବା କାରଣରୁ ଗୋଟିଏ କ୍ଲାସ୍ରେ ୫ଟି ଶ୍ରେଣୀର ପିଲା ବସି ପଢୁଛନ୍ତି ।ଇଏ ଆଜି କି କାଲିର ସମସ୍ୟା ନୁହେଁ ବରଂ ମାସ ମାସ ଧରି ଏମିତି ବିପଦସଂକୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି ପିଲା । ପୁଣି ଯେଉଁ ଶ୍ରେଣୀରେ ବସି ପିଲାଙ୍କୁ ପାଠ ପଢା ଯାଉଛି ସେଇଠି ମଧ୍ୟାହ୍ନ ଭୋଜନର ଚାଉଳ ସହିତ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ସବୁ ଭରପୁର କରି ରଖାଯାଇଛି । ତେଣୁ ପିଲାଙ୍କ ପଢିବାରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ସ୍ଥିତି ଏମିତି ହେଲାଣି ଯେ ବସିବାକୁ ଜାଗା ନଥିବାରୁ ଚାଉଳ ବସ୍ତା ଉପରେ ବସି ପିଲାଏ ପଢୁଛନ୍ତି ପାଠ । ସ୍କୁଲ ସମସ୍ୟା ସମ୍ପର୍କରେ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନି । ତେବେ ସମୟ କହିବ କେବେ ପିଲାଙ୍କ ଲାଗି ତିଆରି ହେଉଛି ନୂଆ ଶ୍ରେଣୀ ଗୃହ ।

Leave a Reply

Your email address will not be published. Required fields are marked *