Malkangiri

ଚଢ଼ା ଦରରେ ବିକ୍ରୀ ହେଉଛି ଲାଇସେନ୍ସ ପ୍ରାପ୍ତ ଦୋକାନରେ ବିଦେଶୀ ମଦ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଡିଆ, ପୋଟେରୁ, କାଲିମେଳା, ଏମଭି -୭୯, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ବାଲିମେଳା, ମାଥିଲି, ଏମଭି -୭୨ ଓ ମାଲକାନଗିରି ଠାରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦଦୋକାନ ଗୁଡିକରେ ଗ୍ରାହକ ମାନଙ୍କୁ ଚଢ଼ା ଦରରେ ମଦ ବିକ୍ରୀ କରାଯାଇ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି । ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ଖୋଲା ଖୋଲି ଖାଉଟି ଆଇନର ଉଲଂଘନ ହେଉଥିବା ଅଭିଯୋଗ ହୋଇଛି । ଏଠାରେ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ବିକ୍ରି ହେଉଛି ବିଦେଶୀ ମଦ । ସରକାରଙ୍କ ପ୍ରଣୟନ ଖାଉଟି ଆଇନ ଅନୁଯାୟୀ କୌଣସି ସାମଗ୍ରୀ ସେଥିରେ ଲେଖା ଥିବା ଦର ଠାରୁ ଅଧିକ ଦରରେ ଦୋକାନୀ ବିକ୍ରି କରିପାରିବେ ନାହିଁ । ତେବେ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ବିଦେଶୀ ମଦ ଦୋକାନୀ । ଏହି ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଯେଉଁ ମଦର ଧାର୍ଯ୍ୟ ଦର ୧୫୦ ଟଙ୍କା ରହିଛି, ସେଠାରେ ଲୋକଙ୍କ ଠାରୁ ୧୭୦ ଟଙ୍କା ନିଆଯାଉଛି । ଧାର୍ଯ୍ୟ ଦର ଠାରୁ ୨୦ ଏପରିକି ୪୦ ଟଙ୍କା ଅଧିକ ନିଆଯାଉଥିବା ବେଳେ ଏହାକୁ ବିରୋଧ କଲେ ଦୋକାନୀମାନେ ଲୋକଙ୍କୁ କୁଲିଙ୍ଗ ଚାର୍ଜ, ଇଚ୍ଛା ହେଲେ ନିଅ ନ ହେଲେ ନାହିଁ କହୁଥିବା ଦେଖିବାକୁ ମିଳୁଛି । ଏହାସହ ମଦ ଦୋକାନର ମାଲିକ ଅଧିକ ଦର ନେବା ପାଇଁ କହୁଛନ୍ତି ବୋଲି ମଧ୍ୟ ଦୋକାନରେ କାର୍ଯ୍ୟରତ ବ୍ୟକ୍ତି ମାନେ କହିବା ସହ ଦର ଅଧିକ ନ ଦେଲେ ସାମଗ୍ରୀ ଦେଉନଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଲୋକେ ମଦ ଯେତେ ଚଢା ଦର ହେଲେ ମଧ୍ୟ ଅନ୍ୟ କୌଣସି ଉପାୟ ନପାଇ ବାଧ୍ୟ ହୋଇ କିଣୁଛନ୍ତି । ମଦ ଦୋକାନୀଙ୍କ ଏପରି ଆଇନ ଉଲଂଘନ କାର୍ଯ୍ୟ ତାଙ୍କ ପକେଟକୁ ଅଧିକ କଳାଧନ ଯୋଗାଉ ଥିବା ଚର୍ଚ୍ଚା ହେଉଛି । ଏଥିପ୍ରତି କିପରି ସ୍ଥାନୀୟ ଅବକାରୀ ବିଭାଗ ଦୃଷ୍ଟି ଦେଉନି ତାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାହକ ଏ ନେଇ ବିଲ୍ ମାଗିଲେ ଦୋକାନୀ ଦେଉନଥିବା ଏବଂ ଦୋକାନ ସମ୍ମୁଖରେ ମଦ ଦର ଚାର୍ଟ ଲଗାଇବାର ନିୟମ ଥିବା ବେଳେ ତାହା କରୁନଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗ ପକ୍ଷରୁ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

Related Articles

Leave a Reply

Your email address will not be published.

Back to top button