Malkangiri

ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନଥିବାରୁ ଚାରି ଜଣ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ମାଲକାନଗିରି : ମାଲକାନଗିରି ବ୍ଲକରେ ଉଗ୍ର ରୂପ ନେଇଛି ସରପଞ୍ଚ ଓ ବିଡିଓ ବିବାଦ । ୪ ଜଣ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ । ମାଲକାନଗିରି ସଦର ବ୍ଲକର ଗଙ୍ଗଲା, ବିରଲକ୍ଷ୍ମଣପୁର, ମାର୍କପାଲି, ସିନ୍ଧ୍ରିମାଳା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ନାମରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେପଟେ, ଏହାକୁ ଖଣ୍ଡନ କରିଛନ୍ତି ସରପଞ୍ଚ । ସରପଞ୍ଚ ମାନେ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, କାର୍ଯ୍ୟରତ ଯନ୍ତ୍ରୀଙ୍କୁ ଫଲ୍ସ ବିଲ୍ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ୧୫ତମ ସିଏଫସି ଓ ୫ତମ ଏସଏଫସି ରେ ଆସୁଥିବା ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ ଏବଂ ଅମୃତ ସରୋବର କାର୍ଯ୍ୟରେ ବିଳମ୍ବ ହେଉଛି । ଯାହାକୁ ନେଇ ବିଡିଓ କାରଣ ଦର୍ଶାଅ ନୋଟିସ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ପୂର୍ବରୁ ମାଲକାନଗିରି ବ୍ଲକର ସରପଞ୍ଚ ସଂଘ ବିଡିଓଙ୍କ ବଦଳି ଦାବିରେ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଆଉ ଏହାର ପ୍ରତିଶୋଧ ନେବାପାଇଁ ବିଡିଓ ଅଜୟ କୁମାର ପ୍ରଧାନ ଏଭଳି କରିଥିବା କହିଛନ୍ତି ସରପଞ୍ଚ । ସରପଞ୍ଚ ଓ ବିଡ଼ିଓଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମାଲକାନଗିରି ରାଜନୀତି ସରଗରମ ହୋଇ ପଡିଛି।

Related Articles

Leave a Reply

Your email address will not be published.

Back to top button