ତାଜା ଆମ୍ବ ନେଇ ରାଜଧାନୀରେ ଗଡ଼ିଲା ମ୍ୟାଙ୍ଗୋ ଅନ୍ ହ୍ୱିଲ୍ ଓଡ଼ିଶା ଆମ୍ବ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଏଥର ମଧ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ଆୟୋଜନ କରାଯାଇଛି ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ । ଗୁରୁବାର ପୂର୍ବାହ୍ନରେ ଏସ.ଆଇ.ଆର.ଡି କ୍ୟାମ୍ପସ ସମ୍ମୁଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏହି ଆମ୍ବ ବଜାର ଉଦ୍ଘାଟନ କରିବା ସହ ଓଡ଼ିଶା ଆମ୍ବ ଲୋଗୋର ଉନ୍ମୋଚନ କରିଥିଲେ । ଏଥିସହ ରାଜଧାନୀବାସୀଙ୍କୁ ଚାଷୀ ବଗିଚାର ତାଜା ଆମ୍ବ ଯୋଗାଇ ଦେବା ପାଇଁ ଓରମାସ ଦ୍ୱାରା ପ୍ରସ୍ତୁତ ‘ମ୍ୟାଙ୍ଗୋ ଅନ୍ ହ୍ୱିଲ’କୁ ପତାକା ଦେଖାଇ ସେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓରମାସ ଆମ୍ବ ପସରା ବଜାରରେ ବିକ୍ରି ହେଉଛି ୭ଟି ଜିଲ୍ଲାର ଚାଷୀଙ୍କ ବଗିଚାର ତାଜା ସ୍ୱାଦିଷ୍ଟ ଓଡ଼ିଶା ଆମ୍ବ । ଏଥର ମେଳାରେ ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଚାଷୀମାନଙ୍କ ବଗିଚାର ଗଛ ପାକଳ ଆମ୍ବ ବିକ୍ରି କରାଯାଉଛି ।

ଏଥିସହ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗ୍ରାହକଙ୍କୁ ଏହି ଆମ୍ବ ଯୋଗାଇ ଦେବା ପାଇଁ, ଓରମାସ ତରଫରୁ ସ୍ୱତନ୍ତ୍ର ମୋବାଇଲ ଭ୍ୟାନ ବା ‘ମ୍ୟାଙ୍ଗୋ ଅନ୍ ହ୍ୱିଲ’ର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଘରେ ବସି ଅନ୍ଲାଇନରେ ସ୍କୁପି ଏବଂ ଏଭରଗ୍ରୋ ନାଓ ଜରିଆରେ ମଧ୍ୟ ଓରମାସ ଆମ୍ବ କିଣିବାର ସୁବିଧା କରାଯାଇଛି । ଚଳିତ ବର୍ଷ ମେଳାରେ ଆମ୍ରପଲ୍ଲୀ, ଦଶେରୀ, ବେଗନପଲ୍ଲୀ, ସୁନ୍ଦରୀ, ତୋଟାପୁରୀ, ମଲ୍ଲିକା ଓ ଲେଙ୍ଗଡ଼ା ଭଳି ସ୍ୱାଦିଷ୍ଟ ଆମ୍ବ ବିକ୍ରି କରାଯାଉଛି । ପରିବେଶ ସୁରକ୍ଷା ସହ ପଲିଥିନ ବ୍ୟାଗର ବ୍ୟବହାର ନ କରିବା ପାଇଁ ଓରମାସ ତରଫରୁ ଗାଁ ଆମ୍ବ ପସରା ବଜାରରେ ଗ୍ରାହକମାନେ ଆମ୍ବ ନେବା ପାଇଁ ଝୋଟରୁ ପ୍ରସ୍ତୁତ କପଡ଼ା ବ୍ୟାଗ୍ ଏବଂ କାର୍ଟୁନ ବାକ୍ସ ମଧ୍ୟ ଉପଲବ୍ଧ ରହିଛି ।

ଏଥିସହ, ଜାତୀୟ ବଜାରରେ ଓଡ଼ିଶାର ସ୍ୱାଦିଷ୍ଟ ଆମ୍ବ ଉପଲବ୍ଧ କରାଇବା ପାଇଁ ଓରମାସ, ମଦର ଡାଏରୀ, (ସଫଲ), ନାଫେଡ ଓ ରିଲାଏନସ ସଂସ୍ଥା ସହିତ ସ୍ଥାନୀୟ ଆମ୍ବ ଚାଷୀଙ୍କ ଚୁକ୍ତିନାମା କରି ସେମାନଙ୍କୁ ଓଡ଼ିଶା ଆମ୍ବ ଯୋଗାଇ ଦିଆଯାଉଛି । ମୟୂରଭଞ୍ଜ, ଅନୁଗୋଳ, ସମ୍ବଲପୁର ଓ ରାୟଗଡ଼ା ଆଦି ଜିଲ୍ଲାର ଆମ୍ବ ଏହି ସବୁ ସଂସ୍ଥାଗୁଡ଼ିକୁ ବିକ୍ରି କରାଯାଉଛି । ଏଥିସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ରାଂଚି, ବୋକାରୋ ଏବଂ ରାୟପୁର ଆଦି ମଣ୍ଡିକୁ ମଧ୍ୟ ବହୁ ପରିମାଣର ଆମ୍ବ ବିକ୍ରୟ ପାଇଁ ପଠାଯାଉଛି । ଓରମାସ ତରଫରୁ ଆୟୋଜିତ ଏହି ଗାଁ ଆମ୍ବ ପସରା ମେଳା ଜୁନ୍ ୮-୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସକାଳ ୮ଟାରୁ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଏହି ଷ୍ଟଲ ଖୋଲା ରହିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *