ଏମିତିରେ କୋଭିଡ୍ ଆଳରେ ଗଣମାଧ୍ୟମକୁ ଅନେକ ଜାଗାରେ ପ୍ରବେଶ ମିଳୁନି। ନା ଲୋକସେବା ଭବନ ଯାଇପାରୁଛନ୍ତି ନା ଖାରବେଳ ଭବନ। ବିଧାନସଭା ଗଲେ ବି ରିପୋର୍ଟରେ ଗ୍ୟାଲେରୀକୁ ବି ଅନୁମତି ନାହିଁ। ଆଉ ଆଜି ଶେଷରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନସ୍ଥଳୀକୁ ବି ଛଡ଼ାଗଲାନି। ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଅପମାନିତବୋଧ ହୋଇ ତୀବ୍ର ଅସନ୍ତୋଷ ଝାଡ଼ିଥିଲା ବେଳେ ବିଭିନ୍ନ ରାଜନୈତିକ ଦଳ ବି ଏହାକୁ ନିନ୍ଦା କରିଛନ୍ତି।
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଥିଲେ। ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପ୍ୟାରେଡ୍ ରେ ସାମିଲ ହେବାକୁ ସ୍କୁଲ ଓ କଲେଜ ପିଲାଙ୍କୁ ବି ବାରଣ ଥିଲା। କାରଣ କୋଭିଡ୍ ଭୟ। ହେଲେ କୋଭିଡ୍ ପାଇଁ ଏମିତିରେ ଅନେକ ସରକାରୀ କାର୍ଯ୍ୟାଳୟକୁ ବାରଣ କରାଯାଉଥିବା ଗଣମାଧ୍ୟମକୁ ଏଠି ବି ପ୍ରବେଶ ମିଳିଲାନି।
ଏହାକୁ ନେଇ ଅପମାନବୋଧ ଅନୁଭବ କରିଛନ୍ତି ଗଣମାଧ୍ୟମ ପ୍ରତିନିଧି। ସରକାରଙ୍କ ଏ କିଭଳି ମାନସିକତା ବୋଲି ବର୍ଷିଛନ୍ତି। ଆଉ ଗଣମାଧ୍ୟମ ପ୍ରତିନିଧିଙ୍କ ଅସନ୍ତୋଷକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ। ଏବେ କୋଭିଡ ସ୍ଥିତି ସେତେ ଚିନ୍ତାଜନକ ନଥିଲା ବେଳେ ମିଡିଆକୁ କାହିଁକି ଅଯଥାରେ ବାରଣ କରାଯାଉଛି ବୋଲି କହିଛନ୍ତି। ଚତୁର୍ଥ ସ୍ତମ୍ଭ ପ୍ରତି ଏଭଳି ଆଚରଣ କାହିଁକି। ସ୍ୱାଧୀନତା ଦିବସରେ ଗଣମାଧ୍ୟମର ସ୍ୱାଧୀନତାକୁ ସରକାର ଛଡ଼ାଇ ନେଉଛନ୍ତି। ଗୋଟିଏ ପଟେ ପ୍ରଦର୍ଶନୀ ପଡ଼ିଆକୁ ମିଡିଆକୁ ବାରଣ କରିଦେଲେ ସରକାର। କିନ୍ତୁ ବିଜେଡି ଅଫିସରେ ଆୟୋଜିତ ସ୍ୱାଧୀନତା ଦିବସରେ ଶାସକ ଦଳ ତ ପୁଣି ମିଡିଆକୁ ନିମନ୍ତ୍ରଣ କରିଥିଲା।
ଏଭଳି ପାତରଅନ୍ତର କାହିଁକି ବୋଲି ବିରୋଧୀ ପଚାରିଛନ୍ତି। ବିଜେପି ଓ କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନର କଭରେଜ ପାଇଁ ମିଡିଆକୁ ବି ଡକାଯାଇଥିଲା। ବିଜେଡି କିନ୍ତୁ ଏହି ପ୍ରଶ୍ନକୁ ବାଆଁରେଇବାକୁ ଚେଷ୍ଟା କରିଛି। କହିବାକୁ ଗଲେ ମିଡିଆ ବାରଣ ପ୍ରସଙ୍ଗକୁ ନେଇ ଏଡ଼ାଇଯାଇଛି। କୋଭିଡ୍ ଆଳରେ ଗଣମାଧ୍ୟମକୁ ସବୁଠି ବାରଣ କେତେଦୂର ଯଥାର୍ଥ, ତାକୁ ନେଇ ଉଠୁଛି ପ୍ରଶ୍ନବାଚୀ।
- ନବକିଶୋର ସାହୁ ଓ ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now