ଦୃଢ ଇଚ୍ଛା ଶକ୍ତି ଓ ସାହାସ ମଣିଷକୁ କେବଳ ବଞ୍ଚିବା ନୁହେଁ ସଫଳତାର ସିଡ଼ି ଚଢିବାରେ ସାହାଯ୍ୟ କରିଥାଏ। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକ ଗୋପାଳପୁର ଗ୍ରାମର ଯୁବ ଇଞ୍ଜିନିୟର ବିଶ୍ଵନାଥ ସ୍ଵାଇଁଙ୍କ କ୍ଷେତ୍ରରେ । ନିଜ ବିବାହରେ ଉପହାର ସ୍ଵରୂପ ପାଇଥିବା ଗୋଟିଏ ଗାଈ ଆଜି ବିଶ୍ଵନାଥଙ୍କ ପାଇଁ ପାଲଟିଛି ରୋଜଗାରର ଉତ୍ସ। ଏବଂ ଦେଇପାରିଛି ସ୍ୱତନ୍ତ୍ର ପରିଚୟ। I.T.I ପାସ କରିବା ପରେ ଭୁବନେଶ୍ଵରରେ ଏକ ପ୍ରାଇଭେଟ ସଂସ୍ଥାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ବିଶ୍ୱନାଥ ୨୦୧୮ ମସିହାରେ ବିବାହ କରିଥିଲେ। କିନ୍ତୁ କୋଭିଡ ସମୟରେ ଚାକିରୀ ହରେଇଥିଲେ । କିନ୍ତୁ ସେ ହାରି ନଥିଲେ। ବଞ୍ଚିବାର ରାହା ସାଜିଥିଲା ଯୌତୁକ ବନ୍ଦାଣରେ ମିଳିଥିବା ଗାଈ । ସେହି ଗୋଟିଏ ଗାଈର କ୍ଷୀର ବିକିବା ସହ ପରେ ସୁନା ଅଳଙ୍କାର ବନ୍ଧା ପକାଇ କିଣିଥିଲେ ଆଉ ୨ଟି ଜର୍ସି ଗାଈ । ଏବେ ୨୫ଟି ରୁ ଉର୍ଦ୍ଧ୍ୱ ଜର୍ସି ଗାଈ ରଖି ପ୍ରତ୍ୟେକ ଦିନ ୧ କୁଇଣ୍ଟାଲ ୨୦ ଲିଟର କ୍ଷୀର omfedକୁ ବିକ୍ରି କରୁଛନ୍ତି । ବାଙ୍କୀ ଅଞ୍ଚଳରେ ତାଙ୍କ ଫାର୍ମ ଟି ଚାନ୍ଦୀଟେରୀ ନାମରେ ପରିଚିତ । ଫାର୍ମ ରେ ୩ ଜଣ କାର୍ଯ୍ୟ କରୁଥିବା ବେଳେ ସବୁ ଖର୍ଚ୍ଚ ଯାଇ ବିଶ୍ଵନାଥ ମାସିକ ୨୫ହଜାର ଟଙ୍କା ଲାଭ ପାଇଥାନ୍ତି। ସେପଟେ ଗାଈ ମାନଙ୍କ ଖାଦ୍ୟ ପାଇଁ ୬ଗୁଣ୍ଠ ଜାଗାରେ ସୁପରନେପିୟର ଘାସ ଚାଷ କରି ଗାଈମାନଙ୍କୁ ଖାଇବାକୁ ଦିଅନ୍ତି । ବିଶ୍ୱନାଥ ଶ୍ରମିକ ମାନଙ୍କ ସହ ମିଶି ଗାଈ ମାନଙ୍କୁ ଗାଧେଇବା, ଗୋବର ସଫା , କ୍ଷୀର ଦୁହିଁବା ଆଦି କରିଥାନ୍ତି। ତାଙ୍କ କର୍ମ ନିଷ୍ଠା କୁ ଦେଖି ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୫ ଲକ୍ଷ ଲୋନ ଯୋଗାଇ ଦିଆଯାଇଛି। ସେହି ଅର୍ଥ କୁ ଗାଈ ମାନଙ୍କ ପାଇଁ ଲାଇଟ, ପଙ୍ଖା ଏବଂ କ୍ଷୀର ଦୁହିଁବା ପାଇଁ ମେସିନ ଉପକରଣ କିଣି ଫାର୍ମ ରେ ବ୍ୟବହାର କରୁଛନ୍ତି ବିଶ୍ଵନାଥ । ଓମଫେଡ଼ ପକ୍ଷରୁ ମଧ୍ୟ କ୍ଷୀରକୁ ଶୀତତାପ ନିୟନ୍ତ୍ରଣ ପାଇଁ ଏକ ମେସିନ ଯୋଗାଇ ଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now