କାହିଁକି ଲମ୍ୱା ଉତ୍ତର ଦିଏ- ଜାଣନ୍ତୁ ଗୃହର ସଭ୍ୟ: ରାଜସ୍ୱ ମନ୍ତ୍ରୀ

ବିଧାନସଭାରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳେ। ଆଜି ବି ଏମିତି କିଛି ଦୃଶ୍ୟର ସାକ୍ଷୀ ରହିଲା ଗୃହ। ପ୍ରଶ୍ନକାଳରେ ଉତ୍ତର ରଖୁଥାଆନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନ ପାଳି ଆସିଥିଲା। ଗଣେଶ୍ୱରଙ୍କ ପୂର୍ବରୁ ଥିବା ପ୍ରଶ୍ନକର୍ତ୍ତା ଦିବ୍ଯଶଙ୍କର ମିଶ୍ରଙ୍କ ପ୍ରଶ୍ନର ଉତ୍ତରକୁ ବେଶ୍ ଲମ୍ୱା ସମୟ ଧରି ଦେଇଥିଲେ ମନ୍ତ୍ରୀ। ମନ୍ତ୍ରୀଙ୍କ ଉତ୍ତର ଦୀର୍ଘ ସହ ତାଙ୍କର ଉଦାରତାକୁ ନେଇ ବି ପ୍ରଶଂସା କରିଥିଲେ ଗଣେଶ୍ୱର। ଏହା ପରେ ପଡ଼ା ଗାଁକୁ ରାଜସ୍ୱ ଗାଁର ମାନ୍ୟତା ସମ୍ପର୍କିତ ମୂଳ ପ୍ରଶ୍ନକୁ ନେଇ ଅତିରିକ୍ତ ପ୍ରଶ୍ନ କରିଥିଲେ ଗଣେଶ୍ୱର। ଜନସଂଖ୍ୟା, ରାଜସ୍ୱ ଗାଁରୁ ଦୂରତା ଆଦି ମାପଦଣ୍ଡ କୋହଳ ସହ ବିବାଦମୁକ୍ତ ପ୍ରସ୍ତାବକୁ ସମୟ ଅନୁସାରେ ଫୈସଲା କଲେ ଭଲ ହୁଅନ୍ତା ବୋଲି ପରାମର୍ଶ ଛଳରେ କହିଥିଲେ। କେବେ ଗଣେଶ୍ୱରଙ୍କ ପ୍ରଶ୍ନ ନ ସରୁଣୁ ଉତ୍ତର ଦେବାକୁ ଆସନରୁ ପ୍ରସ୍ତୁତ ହୋଇସାରିଥିଲେ ମନ୍ତ୍ରୀ ପୂଜାରୀ। ଗଣେଶ୍ୱରଙ୍କୁ ତାଙ୍କର ସମସାମୟିକ ବୋଲି କହି ବୋଧହୁଏ ସେ ଉତ୍ତର ଦେବା ବେଳକୁ ଗଣେଶ୍ୱର ଅନ୍ୟମନସ୍କ ଥିଲେ ବୋଲି କହିଥିଲେ। କାହିଁକି ଲମ୍ୱା ଉତ୍ତର ଦିଏ, ତାହାର କାରଣ ଗୋଟି ଗୋଟି କରି ବୁଝାଇଥିଲେ। ରାଜସ୍ୱ ବିଭାଗର ଦାୟିତ୍ୱ ନେବା ପରେ ଅନେକ କଥା ଜାଣିବାକୁ ସେ ସୁଯୋଗ ପାଇଲେ। ସେ ଚାହିଁଥିଲେ ଧାଡ଼ିକିଆ ଉତ୍ତର ବି ଦେଇପାରନ୍ତେ। ସଦସ୍ୟଙ୍କ ପ୍ରସ୍ତାବ ଗ୍ରହଣ କରିବି, ଅନୁଧ୍ୟାନ କରାଯିବ କହି ଏତକରେ ଯଦି ଉତ୍ତରକୁ ସାରିବାକୁ ଚେଷ୍ଟା କରିବେ, ତାହେଲେ କଅଣ ଭଲ ଲାଗିବ କି ବୋଲି ପାଲଟା ପଚାରିଥିଲେ। ଏହା ସହ ଯୋଡ଼ିଥିଲେ, ସେ ଏତେ ଉଦାର ବି ନୁହଁନ୍ତି ଯେ, କେହି କହିଦେଲେ ୬ଟି ପଡ଼ା ଗାଁକୁ ରାଜସ୍ୱ ଗାଁ କରିଦିଅ କହିବା ମାତ୍ରେ କରିଦେବେ। ହଁ ଯଦି ଗୃହର ସହମତି ପ୍ରକାଶ ପାଇବ, ତାଙ୍କର କରିବାରେ କୁଣ୍ଠାବୋଧ ନାହିଁ। ବିବାଦ ବାଧକ ସାଜୁନି। କିନ୍ତୁ ବିବାଦ ତୁଟାଇବ କିଏ। ବିଧାୟକମାନେ ଦାୟିତ୍ୱ ନିଅନ୍ତୁ। ବିବାଦ ଦେଖିବା ରାଜସ୍ୱ ବିଭାଗର କାମ ନୁହେଁ। କିନ୍ତୁ ରାଜସ୍ୱ ମନ୍ତ୍ରୀ ଭାବେ ସେ ଚାହାନ୍ତିନି, କେଉଁଠି ଅସନ୍ତୋଷ ରହୁ। ଆଗକୁ ବିବାଦ ବଢ଼ୁ। ସେଥିଲାଗି ଚୂଡ଼ାନ୍ତ ନିଷ୍ପତ୍ତି ନେବା ଆଗରୁ ଏ ସବୁ ଦିଗକୁ ତର୍ଜମା କରାଯାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *