ଅପଦସ୍ଥ ହେଲେ ଅର୍ଚ୍ଚନା। ସମସ୍ତଙ୍କ ସାମ୍ନାରେ ଛିଡ଼ା କରି ଟ୍ୟୁସନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଭାବେ ଯୋଗ ଦେବାର ମାସେ ନ ପୁରୁଣୁ। ଦୁଇ ଦୁଇଟି କେଳେଙ୍କାରୀ ଲାଗି ତାଙ୍କ ପାଇଁ ଦୁର୍ନାମ ମୁଣ୍ଡାଇଲାଣି ଅଫିସ। ଆଉ ସରକାର ବି ହରଡ଼ଘଣାରେ ପଡ଼ିଲେଣି। କାଶୀପୁରର ମନ୍ଦିର ଜମିକୁ ରେଜିଷ୍ଟ୍ରେସନ କରିଦେଲେ ତ କେତେବେଳେ କୁଜିମହଲରେ ଥିବା ଗୋଚର ଜମିକୁ ରେଜିଷ୍ଟ୍ରେସନ କରିଦେଲେ। ଏଭଳି ଅଫିସରଙ୍କୁ ଜିଲ୍ଲା ସମୀକ୍ଷା ବୈଠକରେ ଉତ୍ତରଦାୟିତ୍ୱର ପାଠ ପଢ଼ାଇଛନ୍ତି ମନ୍ତ୍ରୀ ପୂଜାରୀ। କାହିଁକି ଏତେ ବଡ଼ ଭୁଲ୍ ହେଲା। କଅଣ କରୁଥିଲେ ଅଫିସର। ସବ-ରେଜିଷ୍ଟ୍ରାର ଚୌକିରେ ବସି ଯେଉଁ ଦାୟିତ୍ୱ ଥିଲା, ତାକୁ କାହିଁକି ସଠିକ ଢଙ୍ଗରେ ନିର୍ବାହ କଲେନି କହି ବର୍ଷିଥିଲେ ମନ୍ତ୍ରୀ। ଅବଶ୍ୟ ଅଫିସରଙ୍କ ମନୋବଳ ଭାଙ୍ଗିବା ଉଦେଶ୍ୟରେ ନୁହେଁ। ବରଂ ଅଫିସର ଭାବେ ଲୋକଙ୍କୁ କେମିତି ସନ୍ତୋଷଜନକ ସେବା ଦେବା ସହ ରେଜିଷ୍ଟ୍ରେସନ କେଳେଙ୍କାରୀକୁ ଧରିବା ଲାଗି ଯେଉଁ ଦାୟିତ୍ୱ ଥାଏ, ତାକୁ କିଭଳି ନିର୍ବାହ କରାଯିବ, ସେ ନେଇ ପରାମର୍ଶ ବି ଦେଇଥିଲେ। ତେବେ ଅର୍ଚ୍ଚନା ଏ ସବୁ ଭୁଲ୍ ଅଜ୍ଞତାବଶତଃ କରିଥିବେ ଏ କଥା ମାନିବାକୁ କେହି ରାଜି ନୁହେଁ। କାରଣ ସବୁ ଦଲିଲ ଟିକିନିଖି ଯାଞ୍ଚ ପରେ ହିଁ ସେଥିରେ ମୋହର ଲଗାଇଥାଆନ୍ତି ବୋଲି ସବୁ ବେଳେ ବଡ଼ିମା ଦେଖାଇ ଆସିଛନ୍ତି ଅର୍ଚ୍ଚନା। କେବଳ ଏତିକି ନୁହେଁ। ଟିକେ ବି ସନ୍ଦେହ ହେଲେ, ତୁରନ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କୁ କ୍ଲାରିଫିକେସନ ବି ମାଗନ୍ତି। କିନ୍ତୁ ଏ ଦୁଇଟି ରେଜିଷ୍ଟ୍ରେସନରେ କେମିତି ଆଖି ବୁଜି ମୋହର ଲଗାଇଦେଲେ, ତାହା ହିଁ ସମସ୍ତଙ୍କୁ ତାଜୁବ କରିଛି। ମନ୍ତ୍ରୀ ବି ପୂର୍ବରୁ ଇଙ୍ଗିତ ଦେଇଛନ୍ତି, ଗୋଟିଏ ପଟେ ସାଧୁତାର ଅଭିନୟ ତ ଅନ୍ୟ ପଟେ ଟଙ୍କା ଲୋଭ ଛାଡିପାରୁନାହାନ୍ତି ଅନେକ ସବ-ରେଜିଷ୍ଟ୍ରାର। ଏ କ୍ୟାଟାଗୋରିରେ ଅର୍ଚ୍ଚନା ଆସୁନାହାନ୍ତି ତ। ଖୋର୍ଦ୍ଧାରେ ଗୁରୁବାର ଅପରାହ୍ନରେ ରାଜସ୍ୱ ଅଧିକାରୀଙ୍କ କାମକୁ ନେଇ ସମୀକ୍ଷା କରିବାକୁ ପହଞ୍ଚିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ଏ ସମୀକ୍ଷା ଚିରାଚରିତ ଢଙ୍ଗରେ ହୋଇନଥିଲା। କେବଳ ମିଟିଂ, ଇଟିଂ ଓ ସିଟିଂରେ ସରିନଥିଲା ମନ୍ତ୍ରୀଙ୍କ ସମୀକ୍ଷା। ଗୋଟି ଗୋଟି କରି କାମର ହିସାବ ନେଇଥିଲେ ମନ୍ତ୍ରୀ। ତଳୁ ଉପର ଯାଏ, ଯାହାର ଯାହା ଦାୟିତ୍ୱ। ସେମାନେ ତାକୁ ଅନୁପାଳନ କରୁଛନ୍ତି ନା ନିଜ ଦାୟିତ୍ୱରୁ ମୁକୁଳିବାକୁ ଆଉ କାହାକୁ ଠେଲିଦେଇ ଚୁପ୍ ବସିପଡ଼ୁଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ। କଅଣ କରୁଛନ୍ତି ରାଜସ୍ୱ ଅଧିକାରୀ। ଗ୍ରାଉଣ୍ଡର ବାସ୍ତବତାକୁ ବୁଝୁଛନ୍ତି କି ନାହିଁ। ଲୋକେ ସେମାନଙ୍କ ସେବା ଓ ବ୍ୟବହାରରେ ସନ୍ତୁଷ୍ଟ ନା ନାହିଁ। ଏସବୁର ଫିଡବ୍ୟାକ ନେବେ ବୋଲି ଚେତାଇ ଦେଇଥିଲେ। ସରକାର ଯୋଜନାକୁ ସରଳୀକରଣ କରି ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ ପ୍ରୟାସରତ। କିନ୍ତୁ ଏଥିରେ ଅଧିକାରୀଙ୍କ ଯେଉଁ ଭୂମିକା ରହିବା କଥା, ତାହା ରହୁନି। ଖୋର୍ଦ୍ଧା ଜିଲ୍ଲା ସିନା ଅନ୍ୟ ଜିଲ୍ଲା ତୁଳନାରେ ଜମି ପଞ୍ଜୀକରଣ, ରାଜସ୍ୱ ଆଦାୟରେ ଅଗ୍ରଣୀ ସତ। କିନ୍ତୁ ଲୋକଙ୍କ ଉପଯୁକ୍ତ ଦଲିଲକୁ ରେଜିଷ୍ଟ୍ରେସନ ନକରି କଥା କଥାକେ କ୍ଲାରିଫିକେସନ ମାଗି ଖୋର୍ଦ୍ଧା ଜିଲ୍ଲାର ସବ-ରେଜିଷ୍ଟ୍ରାରମାନେ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରନ୍ତୁନି କହି ତାଗିଦ କରିଛନ୍ତି ଆଇଜିଆର ସୁବ୍ରତ ଶତପଥୀ। ଏ ସନ୍ଦର୍ଭରେ ଜିଲ୍ଲାର ସମସ୍ତ ଡିଏସଆର ଓ ଏସଆରଙ୍କୁ ଚିଠି କରିଛନ୍ତି ଆଇଜିଆର। ନିଜକୁ ସୁହାଇଲା ଭଳି ଆଇନକୁ ତର୍ଜମା କରିବାକୁ ସବୁ-ରେଜିଷ୍ଟ୍ରାରଙ୍କୁ କିଏ କହିଲା ବୋଲି ପଚାରିଛନ୍ତି ଆଇଜିଆର। ଓଡ଼ିଶା ବିକାଶ ଅଭିଯାନ ଲଗାତାର ଆଇଜିଆରଙ୍କ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲା। ରେଜିଷ୍ଟ୍ରେସନ ଆକ୍ଟ ୨୨-ଏ କୁ ମିସଇଣ୍ଟରପ୍ରିଟେସନ ଓ ମିସଗାଇଡ୍ କରୁଛନ୍ତି ସବ-ରେଜିଷ୍ଟ୍ରାର। ଏଭଳି ସବ-ରେଜିଷ୍ଟ୍ରାରମାନଙ୍କ ପାଇଁ ସୁଶାସନ ଉପରେ ଗଭୀର ପ୍ରଭାବ ପଡ଼ୁଛି ଓ ରାଜସ୍ୱ ବିଭାଗ ଦୁର୍ନାମ ମୁଣ୍ଡାଉଛି। ଭବିଷ୍ୟତରେ କୌଣସି ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ ବେଳେ ଯଦି ଜନତାଙ୍କୁ ହଇରାଣ କରାଯାଏ, ତାହେଲେ ଏହାକୁ ବିଭାଗ କୌଣସିମତେ ହାଲୁକା ଭାବେ ନେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି ଆଇଜିଆର। ଲୋକଙ୍କୁ ସେବା ନ ଦେଇ ଅକାରଣରେ ନ୍ୟାୟ ପାଇବାକୁ ବିଭିନ୍ନ ଫୋରମକୁ ଦୌଡ଼ାଇଲେ ବରଦାସ୍ତ କରାଯିବନି। ଏହା ସହ ବୁଝିପାରିଲୁନି କହି କୌଣସି ଆଇନର ଭୁଲ୍ ତର୍ଜମା କରି ଯଦି ଭବିଷ୍ୟତରେ କୌଣସି ପିଟିସନ ଆଇଜିଆରଙ୍କ ପାଖକୁ ଆସେ, ସବ-ରେଜିଷ୍ଟ୍ରାରଙ୍କ ଉପରେ ଆକ୍ସନ ନିଶ୍ଚିତ ବୋଲି ସ୍ପଷ୍ଟ କରିଦେଇଛନ୍ତି ସୁବ୍ରତ ଶତପଥୀ। କେବଳ ଏତିକି ନୁହେଁ। ଚାଷ ଜମିର ପାର୍ଟ-ପ୍ଲଟ କିଣାବିକା ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି, ଆସନ୍ତା ସପ୍ତାହରେ ନଗର ଉନ୍ନୟନ ବିଭାଗକୁ ମଗାଯାଇଥିବା କ୍ଲାରିଫିକେସନ ଆସିଲେ, ରାଜସ୍ୱ ବିଭାଗ ଏସଓପି ଜାରି କରିବ ବୋଲି କହିଛନ୍ତି ଆଇଜିଆର। ଦଲିଲରେ କେବେ ଘରବାରି କିସମକୁ ପରିବର୍ତ୍ତନ ହୋଇପାରିବନି କହି ଯେଉଁ କିଛି ସବ-ରେଜିଷ୍ଟ୍ରାର ନିଜ ସୁରକ୍ଷା ଲାଗି ଏଭଳି ସିଲ୍ ମାରୁଥିଲେ, ତାହା ବି ବେଆଇନ୍ ବୋଲି କହିଛନ୍ତି ଆଇଜିଆର୍। ଏ ଅଡ଼ୁଆ ବି ତୁଟିଯିବ। ସେବାରେ ଲୋକଙ୍କ ସନ୍ତୁଷ୍ଟି ହିଁ ସରକାରଙ୍କ ପ୍ରତି ବିଶ୍ୱାସର ମୂଳ ଆଧାର। ଏ କଥା ବାରମ୍ୱାର ପଞ୍ଜୀକରଣ ଅଧିକାରୀଙ୍କୁ କହି ଆସୁଛନ୍ତି ମନ୍ତ୍ରୀ, ସଚିବ ଓ ଆଇଜିଆର। କିନ୍ତୁ ଆଇନକୁ ଭୁଲ୍ ତର୍ଜମା କରି କଥା କଥାରେ କ୍ଲାରିଫିକେସନ ମାଗି ସରଳ କଥାକୁ ଜଟିଳ କରୁଥିବା ଅଧିକାରୀଙ୍କୁ ଏହା ବଡ଼ ଛାଟ ବୋଲି ଚର୍ଚ୍ଚା ହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now