ରାଜଧାନୀରୁ ନିଖୋଜ ଛାତ୍ର ଉଦ୍ଧାର

Spread the love

ଭୁବନେଶ୍ୱର : ରାଜଧାନୀରୁ ନିଖୋଜ ଥିବା ସ୍କୁଲ ଛାତ୍ର ୯ ଦିନ ପରେ ଘରକୁ ଫେରିଛନ୍ତି । ନିଖୋଜ ଥିବା ଛାତ୍ର ଯୋଗେଶ ବାଲାଜୀଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ୍ ।  ଯାଜପୁର ଜିଲ୍ଲା ଜେନାପୁର ରେଲୱେ ଷ୍ଟେସନ ନିକଟରୁ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

ଗତ ୬ ତାରିଖରେ ୧୬ ବର୍ଷୀୟ ଯୋଗେଶ ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ସ୍କୁଲକୁ ସାଇକେଲ ଯୋଗେ ଯାଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର ସନ୍ଧାନ ପାଇ ନଥିଲେ । ଏନେଇ ଯୋଗେଶଙ୍କ ବାପା ମୈତ୍ରୀବିହାର ଥାନାରେ ଦ୍ୱାରସ୍ଥ ହୋଇଥିଲେ । ପରେ ଯୋଗେଶଙ୍କ ବାପା ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ୩ ଲକ୍ଷ ଟଙ୍କା ଦେଇ ପୁଅକୁ ନେଇଯିବାକୁ କୁହାଯାଇଥିଲା । ଏହି ବିଷୟରେ ଯୋଗେଶଙ୍କ ପିତାମାତା ମୈତ୍ରୀବିହାର ଥାନାରେ ଜଣାଇଥିଲେ । ଗତକାଲି ମଧ୍ୟ ଯୋଗେଶଙ୍କ ବାପା ମା’ ମୈତ୍ରୀବିହାର ଥାନା ଆଗରେ ଧାରଣା ଦେଇଥିଲେ ।

ତେବେ ଆଜି ଜେନାପୁର ରେଲୱେ ଷ୍ଟେସନ ନିକଟରୁ ଯୋଗେଶଙ୍କୁ ଉଦ୍ଧାର କରିଛି ପୋଲିସ । ଯୋଗେଶଙ୍କୁ କିଏ ଅପହରଣ କରିଥିଲା, ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ ।

Leave a Reply

Your email address will not be published. Required fields are marked *