ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନକୁ ନେଇ ସବୁଠି ନିଆରା କାର୍ଯ୍ୟକ୍ରମ। ତାଙ୍କ ଜନ୍ମଦିନ ଅବସରରେ ବିଜେପି ଆଜିଠୁ ଦେଶବ୍ୟାପୀ ସେବା ପକ୍ଷ ପାଳନ କରିଛି। ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଯାଏ ୧୫ ଦିନ ଧରି ଏହା ଚାଲିବ। କେଉଁଠି ସ୍ୱଛତା ଅଭିଯାନ ତ କେଉଁଠି ବୃକ୍ଷରୋପଣ। ପୁଣି କେଉଁଠି ରକ୍ତଦାନ ଶିବିର ତ କେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣକୁ ନେଇ କାର୍ଯ୍ୟକ୍ରମ। ମୋଦି ଯେଉଁ ପୃଷ୍ଠଭୂମିରୁ ଆସି ଦେଶର ନେତୃତ୍ୱ ନେବା ସହ ରାଷ୍ଟ୍ରର ମର୍ଯାଦା ବଢ଼ାଇଛନ୍ତି, ତାହା ସମସ୍ତ ଭାରତୀୟଙ୍କ ଲାଗି ଗୌରବର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଲା ୧୧ ବର୍ଷ ଧରି ସର୍ବଭାରତୀୟସ୍ତରରେ କଲ୍ୟାଣକାରୀ ଓ ସେବା ପ୍ରଣାଳୀର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ସ୍ୱଛତା, ସ୍ୱଦେଶୀ ସହ ସ୍ୱାବଲମ୍ୱୀ ଉପରେ ଗୁରୁତ୍ୱ ଦେବାକୁ ସାଢ଼େ ୪କୋଟି ଓଡ଼ିଆଙ୍କୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର। ସେପଟେ ଭୁବନେଶ୍ୱରରେ ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଦଳ ପକ୍ଷରୁ ସେବା ପକ୍ଷ ଅନ୍ତର୍ଗତ ସ୍ୱଛତା ଅଭିଯାନରେ ସାମିଲ୍ ହୋଇ ଓଡ଼ିଶାକୁ ସ୍ୱଛ ଓ ସୁନ୍ଦର ରାଜ୍ୟ ଗଠନରେ ସମସ୍ତେ ପ୍ରତିବଦ୍ଧତା ଦେଖାଇବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଗୋଟିଏ ଗଛ ମାଆଙ୍କ ନାଁରେ ଅଭିଯାନରେ ରାଜ୍ୟବ୍ୟାପୀ ୭୫ଲକ୍ଷ ଚାରାରୋପଣ ଅଭିଯାନର ଶୁଭାରମ୍ଭ ବି କରିଛନ୍ତି ମୁଖ୍ୟମନ୍ତ୍ରୀ। ମାଆକୁ ସମ୍ମାନ. ପରିବେଶକୁ ସୁରକ୍ଷା ତଥା ମାଟି ମାଆର ସୁରକ୍ଷା ଲାଗି ଚାରାଟିଏ ଲଗାଇବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସୁସ୍ଥ ନାରୀ, ସଶକ୍ତ ପରିବାର ରାଷ୍ଟ୍ରୀୟ ଅଭିଯାନର ବି ଶୁଭାରମ୍ଭ ହୋଇଛି। ଗୋଟିଏ ଝିଅର ସାମର୍ଥ୍ୟ ସମାଜର ଦିଶାକୁ ସ୍ଥିର କରେ ବୋଲି କହିଆସୁଥିବା ମୋଦିଙ୍କ ଆହ୍ୱାନକୁ ଅନୁପାଳନ ଲାଗି ଏହି ଅଭିଯାନ ଜରିଆରେ ଅପିଲ୍ କରାଯାଇଛି। ମହିଳା ନିରୋଗ ରହିଲେ, ସୁସ୍ଥ ରହିଲେ, ସମାଜ ସୁସ୍ଥ ରହିବ। ଏହାକୁ ସୁନିଶ୍ଚିତ କରିବାକୁ ପଣ କରିଛନ୍ତି ସଭିଏଁ। ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ୍ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ୭୫ତମ ଜନ୍ମଦିନରେ ନିଆରା ଢଙ୍ଗରେ ଶୁଭେଛା ଜଣାଇଛନ୍ତି ଭଣ୍ଡାରିପୋଖରୀର ଭାସ୍କର୍ଯ୍ୟ ଶିଳ୍ପୀ ଗୋପାଳ ଚରଣ ସାମଲ। ୫ ସେଣ୍ଟିମିଟର ଚକ୍ ଖଡ଼ିରେ ମୋଦିଙ୍କ ମୂର୍ତ୍ତି ତିଆରି କରି ଏକ ପେଡ୍ ମାକେ ନାମ ବାର୍ତ୍ତା ଦର୍ଶାଇଛନ୍ତି ଗୋପାଳ। ଏହାକୁ ନିର୍ମାଣ କରିବାକୁ ୩ ଘଣ୍ଟା ଲାଗିଥିଲା। ମୋଦିଙ୍କ ଜନ୍ମଦିନକୁ ଦଳ ସେବା ପକ୍ଷ ଭାବେ ପାଳୁଛି। ଆଉ ମୋଦି ଏହି ସେବା ପକ୍ଷ ଭିତରେ ଓଡ଼ିଶାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ୨୭ରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ମୋଦି।
Naxatra News is now on Whatsapp
Join and get latest news update delivered to you via whatsapp
Join Now