ବିଲ୍ଡରଙ୍କ କବ୍ଜାରେ ମଦରଡ୍ରେନ, ନବରଙ୍ଗପୁର ସହରରେ କୁତ୍ରିମ ବନ୍ୟା  

Spread the love

ରିଅଲଇଷ୍ଟେଟ ମାଲିକଙ୍କ କବ୍ଜାରେ ନବରଙ୍ଗପୁର ସହରର ମଦରଡ୍ରେନ। ବର୍ଷାଋତୁ ର ଆଗମନ ହୋଇଥିବା ବେଳେ ଭବିଷ୍ୟତରେ ବର୍ଷାଜଳ ଠିକ ଭାବେ ନିଷ୍କାସିତ ହୋଇନପାରି ସହରର ଅନେକ ସ୍ଥାନରେ ଡ୍ରେନପାଣି ପଶି ସହରବାସୀ ଅସୁବିଧାରେ ପଡୁଛନ୍ତି। ପୌରପାଳିକା ପ୍ରଶାସନ ପକ୍ଷରୁ ଆଖି ଦୁଷ୍ଟିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ନବରଙ୍ଗପୁର ସହର ମଧ୍ୟଭାଗ ଦେଇ ଯାଉଥିବା ମଦର ଡ୍ରେନକୁ ରିଏଲଇଷ୍ଟେଟ ମାଲିକମାନେ କବ୍ଜାକରି ପ୍ଲଟିଂ କରୁଥିବା ଦେଖିବାକୁ ମିଳୁଥିବାବେଳେ ଆଉ କିଛି ସ୍ଥାନରେ ପ୍ଲଟ ବିକ୍ରିସରି ଘର ତିଆରି ମଧ୍ୟ ସରିଲାଣି। ରିଏଲଇଷ୍ଟେଟ ମାଲିକଙ୍କ ଲଲୁପ ଦୃଷ୍ଟି କାରଣରୁ ପୌର ସଂସ୍ଥାର ନକ୍ସାରେ ଥିବା ମଦର ଡ୍ରେନର ଓସାରର ବର୍ତ୍ତମାନ ବାସ୍ତବ କ୍ଷେତ୍ରରେ ସଙ୍କୁଚିତ ହୋଇଯାଇଛି । ତଥାପି ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିବାର ନା ନେଉନାହିଁ। କେବଳ ଏତିକି ନୁହଁ, ପ୍ରତିବର୍ଷ ବର୍ଷା ଋତୁ ପୂର୍ବରୁ ସହରର ମୁଖ୍ୟାନାଳ ଗୁଡିକ ସଫା କରିବାର ଆବଶ୍ୟକତା ଥିବାବେଳେ ପୌର ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯଦ୍ୱାରା ମଦର ଡ୍ରେନ ମଧ୍ୟରେ ବଡ଼ବଡ଼ ଗଛ ଉଠିକି ରହିଛି। ଯାହାକି ଆଗାମୀ ବର୍ଷାରେ ଡ୍ରେନପାଣି ପ୍ରବାହିତ ହୋଇନପାରି ଲୋକଙ୍କ ଘରେ ପଶିବାର ସମ୍ଭାବନା ରହିଛି। ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷାଦିନେ ନବରଙ୍ଗପୁର ସହରର ଅନେକ ସାହିରେ କୁତ୍ରିମ ବନ୍ୟା ସୃଷ୍ଟିହେବାର ଆଶଙ୍କା ଦେଖାଦେଇଛି ।

ନବରଙ୍ଗପୁର ସହର ମଧ୍ୟରେ ଦୁଇଟି ପ୍ରମୁଖ ମଦର ଡ୍ରେନ ରହିଛି, ନବରଙ୍ଗପୁର ସହରର ମାଝୀଗୁଡା ଠାରୁ ଆରମ୍ଭ ହୋଇଥିବା ଏହି ଦୁଇଟି ମଦର ଡ୍ରେନ, ସହରର ମଧ୍ୟଭାଗ ଦେଇ ୪ ରୁ ୫ କିଲୋମିଟର ବୁଲି ଶେଷରେ ଇନ୍ଦ୍ରାବତୀ ନଦୀରେ ଯାଇ ମିଶୁଛି। ସହରରେ ବସବାସ କରୁଥିବା ଲୋକଙ୍କ ବ୍ୟବହୃତ ପାଣି ଏହି ମୁଖ୍ୟ ନାଳରେ ଆସି ପଡୁଛି। କିନ୍ତୁ ଏହି ନାଳକୁ ସହରର ଅନେକ ସ୍ଥାନରେ ଜମି ମାଫିଆମାନେ ମାଡିବସିଥିବାରୁ ମଦରଡ୍ରେନ ସଙ୍କୁଚିତ ହୋଇ ଛୋଟିଆ ଡ୍ରେନ ହୋଇଗଲାଣି। ପ୍ରତିବର୍ଷ ବର୍ଷା ଋତୁରେ ସହରର ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇନପାରିବାରୁ ମଦରଡ୍ରେନର ପାଣି ମାଡ଼ିଆସି କୁତ୍ରିମ ବନ୍ୟା ଦେଖାଦେଇଥାଏ । ତେବେ ସହରର ଏଭଳି ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏସବୁ ସମସ୍ୟା ପାଇଁ ସମ୍ପୂର୍ଣ୍ଣ ଭାବେ ପୌରପାଳିକା କର୍ତ୍ତୃପକ୍ଷ ଦାୟୀ ବୋଲି କହିଛନ୍ତି ବୁଦ୍ଧିଜୀବୀ। ସେପଟେ ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେବେ ଏହି ବିଷୟରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଭବିଷ୍ୟତରେ ଆରଆଇଙ୍କ ଦ୍ଵାରା ଡିମାରଗେସନ କରାଯାଇ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବର୍ତ୍ତମାନ ବର୍ଷା ଦିନରେ କିଭଳି ସହରରେ ପାଣି ଜମିବ ନାହିଁ ସଠିକ ଭାବେ ଜଳ ନିଷ୍କାସନ ନେଇ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି  ।

ସେପଟେ ନବରଙ୍ଗପୁର ସହରର ଏହି ଦୁଇଟି ମଦରଡ୍ରେନ ଗୁଡ଼ିକୁ ଯଥାଶୀଘ୍ର ଜମି ମାଫିଆଙ୍କ କବ୍ଜାରୁ ପୁନଃରୁଦ୍ଧାର କରାନଗଲେ ଆଗାମୀ ଦିନରେ ପ୍ରତିବର୍ଷ ଭଳି ସହରବାସୀ ନିଶ୍ଚିତ ଭାବେ କୁତ୍ରିମ ବନ୍ୟାର ଶିକାର ହେବେ।

Leave a Reply

Your email address will not be published. Required fields are marked *