କେବଳ ଗଣମାଧ୍ୟମରେ କହିଲେ ଚଳିବନି। ଲିଖିତ ଆକାରରେ ଦେଲେ ସରକାର ବିଚାର କରିବେ। ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବି କରିବାରୁ ଝିଅ ତଥା ପୂର୍ବତନ ବିଧାୟିକା ଦିପାଳୀ ଦାସଙ୍କୁ ଏଭଳି ଢଙ୍ଗରେ ଆହ୍ୱାନ ଦେଇଥିବା ଆଇନମନ୍ତ୍ରୀଙ୍କ ଅପିଲକୁ ଗ୍ରହଣ କଲେ ଦିପାଳୀ। ଏଣିକି ଲେଖିକି ଦେବି ବୋଲି କହିଛନ୍ତି ଦିପାଳୀ। ଏହା ସହ ତଦନ୍ତରେ ବି ସମ୍ପୂର୍ଣ୍ଣ ସହଯୋଗ କରିବେ। ସେପଟେ କାହାର ନାଁ ନ ନେଇ ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବ୍ୟକ୍ତି ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଆକ୍ଷେପ ଲଦିଥିଲେ ସାଂସଦ ପ୍ରଦୀପ ପୁରୋହିତ। କ୍ଷମତା ଲୋଭ ଓ ସମ୍ପତ୍ତି ସୁରକ୍ଷା ଲାଗି ଗଲା ସରକାରରେ ତଦନ୍ତ ଠିକରେ ଚାଲିଛି ବୋଲି କହିଥିଲେ ପରିବାର।
ଆଉ ଦିପାଳୀଙ୍କ ଏଭଳି ଦାବି ପରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ହତ୍ୟାକାଣ୍ଡକୁ ବହୁ ସମୟ ବିତିଯାଇଛି। ସେତେବେଳେ ନବ ଦାସଙ୍କ ପରିବାର ନୀରବ ରହିଲେ। ନେଡିଗୁଡ଼ କହୁଣୀକୁ ବୋହିସାରିବା ପରେ ଚେତା ଉଦୟ ହୋଇଛି। ପରିବାର ଲୋକ ଲିଖିତ ଆକାରରେ ଦେଲେ ସରକାର ଗୁରୁତର ସହ ବିଚାର କରିବେ। ତଦନ୍ତକୁ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି। ତେବେ ଅତୀତ ସରକାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଠିକ୍ ନଥିଲା କି। ତଦନ୍ତକୁ ଦିଗହରା କରାଯାଇଥିଲା କି। ଆଉ କିଛି ଶାସକ ଦଳିଆ ବିଧାୟକ କହିଛନ୍ତି, ସତ ପଦାକୁ ଆଣିବା ଦିଗରେ ସରକାର ଚେଷ୍ଟା କରିବା ଦରକାର। ଅଭିଯୁକ୍ତ ଗୋପାଳ ପଛରେ କିଏ ଥିଲେ, ପଦାକୁ ଆସିବା ଜରୁରୀ। ବିଜେଡି କହିଛି, ସିବିଆଇ ତଦନ୍ତ ହେଲେ ସବୁ କଥା ଜଣାପଡ଼ନ୍ତା। ନବ ଦାସଙ୍କ ପରିବାର ତଦନ୍ତରେ ଅତୀତ ସରକାରର ଭୁଲ୍ ଦର୍ଶାଇଲେ ଯାଇ ଏହି ସର୍ତ୍ତରେ ମୋହନ ସରକାର ସିବିଆଇକୁ ଦେବା ମୁଡ୍ରେ ଅଛନ୍ତି କି। ନା ପ୍ରକୃତ ସତ ଗଲା ସରକାରରେ ଆସିନଥିଲା ବେଳେ ଏବେକାର ସରକାର ସତ ଉଜାଗର କରିବାକୁ ଚାହୁଁଛନ୍ତି। ଏ ତମାମ ପ୍ରଶ୍ନ ଛନ୍ଦିହୋଇଛି ସିବିଆଇ ତଦନ୍ତ ପରିପ୍ରେକ୍ଷୀରେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now