ଓଡ଼ିଶାରାଜନୀତି

ନବ ହତ୍ୟା: ବିଜେପି-ବିଜେଡିର କାଦୁଅ ଫିଙ୍ଗା ଫୋପଡା

() ଦିନ ଗଡିବା ସହ ବଢୁଛି ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦ। ହତ୍ୟା ଷଡଯନ୍ତ୍ର ପଛରେ କିଏ ତାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଏହା ପଛରେ  କେଉଁ ରାଜନୈତିକ ଦଳ ଅଛି ସେ ପ୍ରସଙ୍ଗ ବି ଚର୍ଚ୍ଚାରେ ଯୋଡ଼ି ହୋଇ ରାଜନୈତିକ ପରିବେଶକୁ ଉଷ୍ଣ କରିଛି । ବିଜେପି ବିଜେଡ଼ି ଦଳ କଥା କହୁଥିବା ବେଳେ ଶାସକଦଳ ବିଜେପି ର ଶୀର୍ଷ ନେତୃତ୍ୱଙ୍କ କାରସାଦି ବୋଲି ପାଲଟା ଅଭିଯୋଗ କରିଛି । ତା ସହ ନବୀନଙ୍କ ପରେ ନବ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ଥିବାରୁ ତାଙ୍କୁ ରାସ୍ତାରୁ ହଟାଇବା ଷଡଯନ୍ତ୍ର ବିଜେଡ଼ି ଦଳର କିଛି ଛାମୁଆ ନେତା କରିଥିବା କହିଛି ବିଜେପି । ତେବେ କିଏ ସତ କହୁଛି ଆଉ କିଏ ଗୋଳିଆ ପାଣିର ଫାଇଦା ଉଠାଉଛି

ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ନବ! ନବୀନଙ୍କ ସ୍ଥାନ ନେବା ଆଶା ହିଁ ନବଙ୍କ ପାଇଁ ହେଲା କାଳ! ତଦନ୍ତକୁ ବାଟବଣା କରୁଛି କି ହତ୍ୟାକାଣ୍ଡରେ ବଡବଡିଆଙ୍କ ସଂପୃକ୍ତି? ବିଜେପି ନେତାଙ୍କ ବୟାନକୁ ନେଇ ଏପରି ଚର୍ଚ୍ଚା ଜୋର ଧରିଛି । କାରଣ ୧୦ ଦିନ ବିତିଯାଇଥିଲେ ମଧ୍ୟ ଅନ୍ଧାରରେ ହତ୍ୟା ପଛର କାରଣ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧି। ଏହାରି ଭିତରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାଂଘାତିକ ବୟାନ ସମ୍ନାକୁ ଆସିଛି। ସେ ସିଧାସଳଖ ଭାବେ ଅଭିଯୋଗ ଆଣିଛନ୍ତି ନବୀନଙ୍କ ପରେ ବିଜେଡି କାହାକୁ ମୁଖ୍ୟମନ୍ତ୍ରୀ କରିବ। ସେହି ବିବାଦ ହିଁ ନବଙ୍କ ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ। କାରଣ ଯିଏ ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି ସେ ହିଁ ନବଙ୍କ ହତ୍ୟା କରିଛନ୍ତି। ଏପଟେ ତଦନ୍ତ ପ୍ରକ୍ରିୟା ଦିଗହରା ହେଉଥିବା ନେଇ ବର୍ଷିଛନ୍ତି ସମ୍ୱଲପୁର ବିଧାୟକ । ଗୋପାଳ ସୁଟର ହେଲେ ହ୍ୟାଣ୍ଡେଲର କିଏ ବୋଲି ପ୍ରଶ୍ନ କରିଛନ୍ତି । କଂଗ୍ରେସ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।

ଏପଟେ ନବ ଦାସଙ୍କ ହତ୍ୟା ପଛରେ ବିଜେପି ନେତାଙ୍କ ହାତ ଥିବାର ସାଂଘାତିକ ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସଂଜୟ ବାବୁ। ବିଜେପିର ଶୀର୍ଷ ନେତା ବରଗଡ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥି ହେବାର ସମ୍ଭାବନା ରହିଛି । ନବଙ୍କ ସାଙ୍ଗଠନିକ ଦକ୍ଷତା ତାଙ୍କ ବିଜୟ ରାସ୍ତାର କଣ୍ଟା ହୋଇଥାନ୍ତା ବୋଲି ଏ ବିରାଟ ଷଡ଼ଯନ୍ତ୍ର କରାଯାଇଛି । ସେପଟେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେଡ଼ି ଦଳ ଭିତରୁ ଆସୁଛି ଭିନ୍ନ ମତ । କିଏ ରାଜନୀତି କରାନଯାଉ କହୁଥିବା ବେଳେ ପୁଣି କିଏ ପ୍ରତିପକ୍ଷଙ୍କ ରାଜନୈତିକ ପ୍ରତିଶୋଧର ପରିଣାମ ବୋଲି ଖୋଲା ଖୋଲି କହିଛନ୍ତି । 

ତେବେ ତୃତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡରେ ଗୋପାଳ ଦାସକୁ ନେଇଛି କ୍ରାଇମବ୍ରାଞ୍ଚ । ଏହାସହ ଅବସର ପ୍ରାପ୍ତ ଜଷ୍ଟିସ ଜେପି ଦାସ ଓ ପୋଲିସ ଡିଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ଖୁବ ଶିଘ୍ର ହତ୍ୟାର କାରଣ ପଦାକୁ ଆସିବ ବୋଲି ଆଶା ରଖିଥିବା ବେଳେ ରାଜନୈତିକ ବୟାନ ବାଜି କିନ୍ତୁ ଥମିବାର ନାଁ ନେଉନାହିଁ ।

 ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button