
() ସରିଲା ଗୋପାଳ ଦାସର ରିମାଣ୍ଡ। କିନ୍ତୁ ଏତିକି ଦିନ ଯଥେଷ୍ଟ ହେଲାନି କ୍ରାଇମବ୍ରାଞ୍ଚ ଲାଗି। ସେଥିଲାଗି ଝାରସୁଗୁଡ଼ା ଜେଏମଏଫସିରେ ସାନି ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚର ଆବେଦନ ଉପରେ କୋର୍ଟ ୪ ଦିନ ଲାଗି ଅନୁମତି ଦେଇଛନ୍ତି। ସେପଟେ ତଦନ୍ତର ଦିଗ ଓ ମୋଡ଼କୁ ନେଇ ଅନେକ ସନ୍ଦେହ ଓ ପ୍ରଶ୍ନ ଉଠୁଥିବାରୁ ଜନତାଙ୍କ ଭିତରେ ବିଶ୍ୱାସ ଜନ୍ମାଇବାକୁ ଆଜି ଡିଜି କ୍ୟାମ୍ପ ଅଫିସରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। କଟକରେ ଜଷ୍ଟିସ ଜେପି ଦାସଙ୍କୁ ଭେଟିଛନ୍ତି ଅରୁଣ ବୋଥ୍ରା। ବ୍ରହ୍ମପୁରରେ ବି କ୍ରାଇମବ୍ରାଞ୍ଚ ଟିମ୍ ବି ସମାନ୍ତରାଳ ତନାଘନା ଜାରି ରଖିଛି।
ନବ ଦାସ ହତ୍ୟାକାଣ୍ଡର ଗୁମର ଭେଦ କରିବାକୁ ଆଉ କିଛି ଦିନ ଲାଗିବ। ସେଥିଲାଗି ଝାରସୁଗୁଡ଼ା ଜେଏମଏଫସିରେ ଗୋପାଳର ସାନି ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ୍। ଆଉ କୋର୍ଟ ବି ଅନୁମତି ଦେଇଛନ୍ତି। ସେପଟେ ତଦନ୍ତ ଦିଗକୁ ନେଇ ଅନେକ କୁହେଳିକା ସୃଷ୍ଟି ହେଉଥିବାରୁ ଆଉ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ତଦନ୍ତ ଶୈଳୀକୁ ନେଇ ସନ୍ଦେହ ହେଉଥିବାରୁ ଏହାକୁ କଭରଅପ କରିବାକୁ ଆଜି ଡିଜି କ୍ୟାମ୍ପ ଅଫିସରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଆଇନଶୃଙ୍ଖଳା ଏଡିଜି ଆର.କେ.ଶର୍ମା ଝାରସୁଗୁଡ଼ାରୁ ଫେରି ଡିଜିଙ୍କୁ ଭେଟି ହତ୍ୟାକାଣ୍ଡ ସମ୍ପର୍କରେ ଆଲୋଚନା କରିଛନ୍ତି। ଗୁଇନ୍ଦା ନିର୍ଦେଶକ, ଗୁଇନ୍ଦା ଡିଆଇଜିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଡିଜିପି ଦୁଇଘଣ୍ଟା ଧରି କରିଥିଲେ ବୈଠକ। କଟକରେ ଜଷ୍ଟିସ ଜେପି ଦାସଙ୍କୁ ଭେଟିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ସ୍ପଟକୁ ଯିବେ ବୋଲି କହିଛନ୍ତି ଜଷ୍ଟିସ ଦାସ।
ବ୍ରହ୍ମପୁରରେ ଗୋପାଳର ଆର୍ଥିକ କାରବାର ନେଇ ଛାନଭିନ୍ କରିଛି ଦୁଇ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ମେଡିକାଲ କ୍ୟାମ୍ପସ ଏସବିଆଇ ଶାଖାରେ ଗୋପାଳ ଓ ତାଙ୍କ ସମ୍ପର୍କୀୟଙ୍କ ନେଣଦେଣ ନେଇ ତନାଘନା କରିଛି। ଆଙ୍କୁଲିସ୍ଥିତ ଘରେ ଗୋପାଳଙ୍କ ପତ୍ନୀ ଓ ପଡୋଶୀଙ୍କୁ ବି ପଚରାଉଚୁରା କରିଛି। ବସଷ୍ଟାଣ୍ଡରେ କିଛି କର୍ମଚାରୀଙ୍କୁ ବି ପଚରାଉଚୁରା କରିଛି ଟିମ୍। ସେପଟେ ଲକ୍ଷେ ଟଙ୍କାରେ କାର୍ କିଣିଥିଲେ ଗୋପାଳ। କାର୍ ବିକିଥିବା ମାଲିକ ଅରୁଣ ମୁନ୍ଦ୍ରା ଏ ନେଇ ସୂଚନା ଦେଇଛନ୍ତି। ନଭେମ୍ୱର ୨୫ରୁ ୫୦ହଜାର ଟଙ୍କା ଦେଇ କାର୍ ନେଇଥିଲେ ଗୋପାଳ। ବାକି ୫୦ ହଜାର ଦେଇଥିଲେ ମାଲିକାନା ବଦଳିଥାଆନ୍ତା। କାରଣ ଅରୁଣଙ୍କ କୋଇଲା ବ୍ୟବସାୟ ସହ ପେଟ୍ରୋଲ ପମ୍ପ ଓ ବାଇକ ସୋ ରୁମ୍ ରହିଛି। ଗାଡ଼ିରୁ ମିଳିଥିବା କାଗଜପତ୍ର ବାବଦରେ ସେ ଜାଣିନାହାନ୍ତି।
ଆଉ ତଦନ୍ତକୁ ବିଭ୍ରାନ୍ତ ନ କରି ସଂଗଠିତ ଅପରାଧରେ ଅନେକ ନେତା,ମନ୍ତ୍ରୀଙ୍କ ନାଁ ଆସୁଥିବାରୁ ତଦନ୍ତରେ ସ୍ୱଛତା ରଖାଯାଉ ବୋଲି ବିଭିନ୍ନ ସାମାଜିକ ସଂଗଠନ ଦାବି କରିଛନ୍ତି। ସାଧାରଣରେ ଆଇନ ପ୍ରତି ଥିବା ସମ୍ମାନ ତକ ବଜାୟ ରଖାଯାଉ। ସରକାର ଘଣ୍ଟ ଘୋଡ଼ାଇଲେ ଉପହସିତ ହେବେ।
ନବ ଦାସ ହତ୍ୟା ମାମଲାର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଅବଶ୍ୟ ହାତରେ। ହେଲେ ଏବେ ବି କ୍ରାଇମବ୍ରାଞ୍ଚ ହାତ ଖାଲି ବୋଲି ଚର୍ଚ୍ଚା ହେଉଛି। କାରଣ କାହିଁକି ମାରିଲେ ଗୋପାଳ। ଏହା ପଛର ପୁରା କାରସାଦିର ଗୁମର ଖୋଲିବା ହିଁ ସବୁଠୁ ବଡ଼ ଟାସ୍କ ସାଜିଛି କ୍ରାଇମବ୍ରାଞ୍ଚ ଲାଗି।
ଝାରସୁଗୁଡ଼ାରୁ ସନ୍ତୋଷ ମିଶ୍ର, କଟକରୁ ଚିତ୍ତରଞ୍ଜନ ସାମନ୍ତରାୟ, ଭୁବନେଶ୍ୱରରୁ ସ୍ୱରୂପା ମହାପାତ୍ରଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ