ଓଡ଼ିଶାରାଜନୀତି

ବିଜେପିକୁ କଣ୍ଟ୍ରୋଲ କରୁଛନ୍ତି ନବୀନ!

()  ପାଙ୍ଗି ଓ ପାତ୍ର। ଏ ଦୁହେଁ ପଛରେ ଲାଗିଥିଲେ। ସବୁବେଳେ ପ୍ରତିବନ୍ଧକ ସାଜୁଥିଲେ। ଦଳରେ କାମ କରାଇଦେଉନଥିଲେ। ଦକ୍ଷିଣ ଓଡ଼ିଶାର ଏହି ଦୁଇ ନେତା ପଇସା ଖର୍ଚ୍ଚ କରି ହରାଇଦେଇଥିଲେ ପୁଅକୁ। ଆଉ ବାପାଙ୍କୁ ଦଳ ସବୁବେଳେ ଅଣଦେଖା କରି ଆସୁଥିଲା। ଦଳରେ ଥାଇ ନଥିଲା ଭଳି। କିଛି ଏଭଳି ସଙ୍ଗୀନ ଆରୋପ ଲଦି ବିଜେପିକୁ ବାଏ ବାଏ କରିଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର। ଆଉ ଓଡ଼ିଶାରେ ବିଆରଏସର ମଙ୍ଗ ଧରିବା ବାଟରେ ବାପ-ପୁଅ।

ବିଜେପିକୁ କଣ୍ଟ୍ରୋଲ କରୁଛନ୍ତି ନବୀନ। ନବୀନ ହେଉଛନ୍ତି ଅଲ୍‌ପାର୍ଟି ପ୍ରେସିଡେଣ୍ଟ। ବିଜେପି କାଗଜ କଲମର ପାର୍ଟି। ବହୁ ଆଶା ନେଇ ସାମିଲ୍ ହୋଇଥିଲୁ। ହେଲେ ଦଳରେ କାମ କରିବାକୁ ମଉକା ମିଳିଲାନି। ଦଳରେ ଥାଇ ନଥିଲା ଭଳି ଲାଗୁଥିଲା। କୌଣସି ବୈଠକ ବାବଦରେ ଦଳ ସବୁବେଳେ ବିଳମ୍ୱରେ ଖବର ଦେଉଥିଲା। ଦକ୍ଷିଣ ଓଡ଼ିଶାର ଦୁଇ ବିଜେପି ନେତାଙ୍କ ଷଡ଼ଯନ୍ତ୍ର ସବୁବେଳେ ପଛରେ ରହିଲା। କିଛି ଏମିତି ଢଙ୍ଗରେ ଭାରି ଗଳାରେ ଓ ଭାବବିହ୍ୱଳ ଢଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ବିଜେପି ସହ ସମ୍ପର୍କ ଛିନ୍ନ କରିଛନ୍ତି। ଦଳର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି ଗମାଙ୍ଗ ବାପ-ପୁଅ।

୨୦୧୯ରେ କୋରାପୁଟ ସାଂସଦ ଭାବେ ଲଢ଼ିବାକୁ ଚାହୁଁଥିଲେ ଶିଶିର। କିନ୍ତୁ ଗୁଣୁପୁର ବିଧାନସଭାରୁ ଲଢ଼ାଇଥିଲା ଦଳ। ହେଲେ ଜୟରାମ ପାଙ୍ଗି ଓ ଭୃଗୁ ବକ୍ସିପାତ୍ର ପଛରେ ପଡ଼ି ହରାଇଦେଇଥିଲେ ବୋଲି ସଙ୍ଗୀନ ଆରୋପ ଲଦିଛନ୍ତି ଶିଶିର। କଂଗ୍ରେସ ଗୁଣୁପୁରରେ ଦ୍ୱିତୀୟ ସ୍ଥାନରେ ରହିଲା ଆଉ ଶିଶିର ତୃତୀୟ ସ୍ଥାନକୁ ଚାଲିଗଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ହେଲେ ଫଳ ଶୂନ୍। ସେଥିଲାଗି ବିଜେପିକୁ ବାଏ ବାଏ କରି ବିଆରଏସ ଲାଗି ଓଡ଼ିଶାରେ ସୁଯୋଗ ଥିବାର ଅନୁଭବ କରି ଓଡ଼ିଶାରେ ସଶକ୍ତ ବିରୋଧୀର ଭୂମିକା ନିର୍ବାହ ପାଇଁ ବିଆରଏସ ଉପଯୁକ୍ତ ବୋଲି କହିଛନ୍ତି ଶିଶିର। ପାଙ୍ଗି ବିଆରଏସରେ ସାମିଲ୍ ହେଲେ ଅସୁବିଧା ନାହିଁ। କିନ୍ତୁ ଅଲଗା ରାଜ୍ୟ ଗଠନ ପ୍ରସ୍ତାବ ସହ ସହମତ ନୁହଁନ୍ତି ଗମାଙ୍ଗ।

ସେପଟେ ଗମାଙ୍ଗ ବାପ-ପୁଅଙ୍କ ଇସ୍ତଫା ଏପିସୋଡ୍ ପରେ ବିଜେପି କହିଛି, ଏଥିରେ କୌଣସି ଫରକ ପଡ଼ିବନି। ଦଳ ତାଙ୍କୁ ପଦପଦବୀ ସହ ଅନେକ ସମ୍ମାନ ଦେଇଛି। ଦୀର୍ଘ ଦିନ ଧରି ଦଳରେ ଥିବା ଲୋକଙ୍କୁ ବି ଏଭଳି ସୁଯୋଗ ମିଳୁନି। ଅଣଦେଖାର ପ୍ରଶ୍ନ ଉଠୁନି। ଶିଶିରଙ୍କୁ ଟିକଟ ଦେବା ସହ ଦଳୀୟ ସମ୍ପାଦକ ଭାବେ ଦାୟିତ୍ୱ ଦେଇଥିଲା ଦଳ। ଆସନ୍ତା ଭବିଷ୍ୟତ ଲାଗି ଶୁଭେଛା ଦେବା ସହ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ବିଜେପି।

ଗମାଙ୍ଗ ବାପ-ପୁଅ ଯେଉଁ ବିଜେପି ନେତାଙ୍କ ଷଡ଼ଯନ୍ତ୍ରର କଥା କହୁଛନ୍ତି, ସେମାନଙ୍କ ଭିତରୁ ଜୟରାମ ପାଙ୍ଗି ବି ବିଆରଏସର ଯୋଗସୂତ୍ରରେ ଅଛନ୍ତି। ଯଦି ପାଙ୍ଗି ବିଆରଏସକୁ ଡେଇଁବେ, ତେବେ ଗମାଙ୍ଗଙ୍କ ପତିଆରା ରହିବ ତ। କାରଣ ବିଜେପିରେ ଥିଲା ବେଳେ ପାଙ୍ଗି ଯଦି ଚକ୍ରାନ୍ତକାରୀ, ତେବେ ବିଆରଏସକୁ ଗଲେ କେମିତି ବନ୍ଧୁ ହେବେ ବୋଲି ଚର୍ଚ୍ଚା ଧରିଛି। ସେଥିଲାଗି ଗମାଙ୍ଗଙ୍କ ରାଜନୀତିକ ଗତିକୁ ନେଇ ଅନେକ ଦ୍ୱନ୍ଦ୍ୱ ଏବେ ବି ଲାଗିରହିଛି।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button