ନବୀନଙ୍କ ଛାଇ ପାଣ୍ଡିଆନ୍- ବିଦ୍ରୋହର ବହ୍ନି ଫରକ୍ ପଡ଼େନା!

ନବୀନ ସୁସ୍ଥ ହୋଇ ଫେରିଲେଣି ହସ୍ପିଟାଲରୁ। ତାଙ୍କୁ ସୌଜନମୂଳକ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରିବାକୁ ନବୀନ ନିବାସ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ଆଜି ମହାମହିମ ରାଜ୍ୟପାଳ ବି ନବୀନ ନିବାସ ଯାଇ ନବୀନଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ବି ଧାଇଁ ଆସିଥିଲେ ସ୍ୱାସ୍ଥ୍ୟ କଥା ବୁଝିବାକୁ। କିନ୍ତୁ ନବୀନଙ୍କ ଛାଇ ହୋଇ ସବୁ ବେଳେ ରହିଆସିଥିବା ପାଣ୍ଡିଆନଙ୍କ ଉପସ୍ଥିତି ସବୁଠି ବାରି ହୋଇପଡ଼ୁଛି। ରାଜନୀତିରେ ସୌଜନ୍ୟତା, ୨୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲ ପାଇବା ଓ ସମ୍ମାନବୋଧ ସବୁ ଆଡ଼ୁ ବାରିହୋଇପଡ଼ୁଛି। ନବୀନ ସବୁବେଳେ ଫିଟ୍ ଆଣ୍ଡ ଫାଇନ୍ ଥାଆନ୍ତୁ ବୋଲି ସମସ୍ତେ ଚାହାନ୍ତି। କିନ୍ତୁ ନବୀନ ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ତାଙ୍କୁ ଦଳୀୟ ନେତାଙ୍କ ସହ ଭେଟ କରାଇନଦେବା। ଜିଦ୍ ଧରୁଥିବା ନେତାଙ୍କୁ ପାଣ୍ଡିଆନଙ୍କ ନାଲିଆଖିକୁ ନେଇ ଚର୍ଚ୍ଚା କିନ୍ତୁ ଆଜିଯାଏ ଥମୁନି। ନବୀନ ଚିକିତ୍ସାଧୀନ ଥିବା ବେଳେ ପାଣ୍ଡିଆନ କୁଆଡ଼େ ରାଜା ସ୍ୱାଇଁଙ୍କୁ ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍ ବୋଲି କହି ଚେତାଇ ଦେଇଥିଲେ। ଆଉ ଏବେ ଏହି ଉକ୍ତିକୁ ନେଇ ଆଠଗଡ଼ରେ ପୁଣି ଥରେ ଦୋହରାଇ ରାଜା ସ୍ୱାଇଁ ପାଣ୍ଡିଆନଙ୍କ ନାଁ ନ ନେଇ ତେରେଛା ବାଣ ମାରିଛନ୍ତି। ସ୍ରୋତ ବିରୁଦ୍ଧରେ ଚାଲିବା ପ୍ରସଙ୍ଗରୁ ନେଇ ବିଧାୟକ ହୋଇ ଖାଲି ଭୋଟ ମାଗିଲେ ଚଳିବନି କହି କଥା ଉଠାଇଛନ୍ତି ରାଜା। ପିସିସି ସଭାପତି ଭକ୍ତ ଦାସ ବି ଗଲା ଶନିବାର କହିଥିଲେ, ଦଳରେ ୫୧ ବିଧାୟକଙ୍କ ଶକ୍ତି ବଳରେ ନବୀନ ରାଜ୍ୟ ସରକାରଙ୍କୁ ଉଠବସ୍ କରିପାରନ୍ତେ।..ଭକ୍ତ ଦାସ.. ନାଁ ନ ନେଇ ରାଜା କହିଛନ୍ତି, ବିଧାୟକ ହୋଇଗଲେ କେବଳ ହେବନି। ବିରୋଧ କରିବା ବି ଜରୁରୀ। ଅର୍ଥାତ୍ ସମଦୂରତ୍ୱର ନାଟକ ଲୋକେ ଧରିଲେଣି। ମୋଟାମୋଟି ଦଳରେ କିଛି ଠିକ୍ ଠାକ୍ ଚାଲିନି ବୋଲି ଇଙ୍ଗିତ କରିଛନ୍ତି ରାଜା। ସେ ଯେଉଁ ଘରେ ଦୀପ ଜଳାଇବାକୁ ବାହାରିଥିଲେ, ସେ ଘର ଆରମ୍ଭରୁ ଅନ୍ଧାରର ହିନ୍ଦୀ ଡାଇଲଗ ବି ଝାଡ଼ିଛନ୍ତି ରାଜା।

ରାଜାଙ୍କ ପୂର୍ବରୁ ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପାଣ୍ଡିଆନଙ୍କ ଉପରେ ବର୍ଷି ସାରିଲେଣି। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ରାଜ୍ୟବାସୀ କି ନେତାଙ୍କୁ ନ ଜଣାଇବା ପାଣ୍ଡିଆନଙ୍କ ବଡ଼ ଭୁଲ୍। ଘରେ ଅସୁସ୍ଥ ହେବା ବେଳେ କାହିଁକି ପାଣ୍ଡିଆନ୍ କାହାକୁ ଜଣାଇଲେନି। ପାଣ୍ଡିଆନ ଦଳୀୟ ନେତାଙ୍କୁ ନବୀନଙ୍କ ସହ ଭେଟ କରାଇନଦେଇ ଏଭଳି ଡାଇଲଗ୍ ମାରିଥିଲେ, ଏହା ତାଙ୍କର ଅହଙ୍କାରର ପରିଚୟ ବୋଲି କହିଥିଲେ ଦେବାଶୀଷ। ପାଣ୍ଡିଆନଙ୍କୁ ନେଇ ଯେମିତି ଜଣକ ପରେ ଜଣେ ତୁଙ୍ଗ ନେତାଙ୍କ ପାଟି ବୋଲ ମାନୁନି। ୨୪ ବିପର୍ଯ୍ୟୟ ପରେ ବିଜେଡି ଭିତରେ ପାଣ୍ଡିଆନ ବିରୋଧୀ ସ୍ୱର ଶାଣିତ ହେଉଥିଲେ ହେଁ ପାଣ୍ଡିଆନଙ୍କ ଉପରେ କିନ୍ତୁ ନବୀନଙ୍କ ଅଖଣ୍ଡ ବିଶ୍ୱାସ। ପାଣ୍ଡିଆନ ଯେମିତି ନବୀନଙ୍କ ସୁନା ପୁଅ। ସେଭଳି ନବୀନଙ୍କ ଆଖି କାନ କହିଲେ ପାଣ୍ଡିଆନଙ୍କୁ ବୁଝାଏ ବୋଲି କୁହନ୍ତି ବିରୋଧୀ। ସେପଟେ ତାଳିପକା ନ୍ୟାୟରେ ଏଭଳି ବିବାଦକୁ ନ ବଢ଼ାଇ କିଏ ଏହା ବ୍ୟକ୍ତିଗତ ମତ ବୋଲି କହି ଏଡ଼ାଇଯାଉଛି ତ କିଏ ଏହାକୁ ପଜିଟିଭ୍ ଢଙ୍ଗରେ ଗ୍ରହଣ କରିବାକୁ କହୁଛି। ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି, ପାର୍ଟି ଫଣ୍ଡ୍ ହଡ଼ପ କରିବାକୁ ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍। କାଳେ କିଏ ନବୀନଙ୍କ କ୍ଲୋଜ୍ ହୋଇଯିବ, ସେଥିଲାଗି ନବନୀଙ୍କ ପାଖ ମଡ଼ାଇ ଦେଉନାହାନ୍ତି ପାଣ୍ଡିଆନ୍। ସେଥିଲାଗି ଯେଉଁମାନେ ନବୀନଙ୍କ ସହ ଥିଲେ, ତାଙ୍କୁ ନବୀନ ନିବାସରୁ ଦୂରେଇ ରଖିଛନ୍ତି ପାଣ୍ଡିଆନ୍। ଯେଉଁଠି ରାଜ୍ୟବାସୀ କି ବିଜେଡିର କେହି ନେତା ପାଣ୍ଡିଆନଙ୍କୁ ଗ୍ରହଣ କରୁନାହାନ୍ତି, ସେଠାରେ ପାଣ୍ଡିଆନ ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରିବା ପଛରେ ସ୍ୱାର୍ଥ କଅଣ, ଜଳଜଳ କରି ଦିଶୁଛି। ବିଜେଡି ପାଣ୍ଠିରେ ହଜାରେ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଉପରେ ପାଣ୍ଡିଆନ୍ ଦମ୍ପତ୍ତିଙ୍କ ନଜର ରହିଛି। ସେଥିଲାଗି କୋଟରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ଲାଗି ଯୋଜନା କରୁଛନ୍ତି ପାଣ୍ଡିଆନ୍ ଦମ୍ପତ୍ତି। ଓଳାଶୁଣୀରେ ବନ୍ଧୁମିଳନ ଆଳରେ ବିଜେଡିର ପୂର୍ବତନ ନେତାଙ୍କ ମେଳି ବି ବିଦ୍ରୋହ ଓ ବିବାଦର ପ୍ଲଟ୍ ଉପରେ ବିଜେଡିକୁ ବିପଦର ସଙ୍କେତ ଦେଉଥିଲା। ତେବେ ନବୀନଙ୍କ ପାଖରେ ପାଣ୍ଡିଆନ ଦମ୍ପତ୍ତିଙ୍କ ଯେତିକି ପ୍ରଭାବ ଅତୁଟ ରହିଛି। ସେ ବିଶ୍ୱାସର ପାଚେରୀକୁ ଭେଦ କରିବା ଅନ୍ୟମାନଙ୍କ ଲାଗି ଦୁରୁହବ୍ୟାପାର ବୋଲି ରାଜନୈତିକ ସମୀକ୍ଷକ ମତ ଦିଅନ୍ତି। ହେଲେ ସମାନ୍ତରାଳ ଭାବେ ନବୀନଙ୍କ ଓ୍ୱାନ ମ୍ୟାନ୍ ସୋ ଭିତରେ ପାଣ୍ଡିଆନଙ୍କ ଛାପ ଉପରେ ଭରସା କରି ଆଉ କେତେଦିନ ବିଜେଡି ଗଡ଼ିବ ବୋଲି ଆଶଙ୍କା ବି କଲେଣି ତୁଙ୍ଗ ନେତାଏ। କାରଣ ନିଇତି ବିଜେଡି ଛାଡ଼ି ବିଜେପି ମୁହାଁ ହେଲେଣି ନେତାଏ ଓ କର୍ମୀ। ଏହା ଧାରାରେ ବ୍ରେକ୍ ନ ଲାଗିଲେ ବିଜେଡିର ଅସ୍ତିତ୍ୱ ସଙ୍କଟରେ ପଡ଼ିଯିବନି ତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *