ନୂଆପଡ଼ା ଉପ-ନିର୍ବାଚନ ପୂର୍ବରୁ ବଡ଼ ଓଲଟପାଲଟ। କୋମନା ଯାଇ ପ୍ରଚାର କରିଛନ୍ତି ନବୀନ। କୋମନାର ତରବୋଡ଼ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କ ଲାଗି ପ୍ରଚାର କରିଛନ୍ତି। ନୂଆପଡ଼ା ସହ ସ୍ନେହାଙ୍ଗୀନିଙ୍କ ଭାବାବେଗ ଜଡ଼ିତ। ନବୀନ କହିଛନ୍ତି, ବେଇମାନିର ଜବାବ ଭୋଟରେ ଦେବା। ଶେଷ ଜୀବନ ଯାଏ ଓଡ଼ିଶାବାସୀଙ୍କ ସେବା କରିବି। ବିଜୁ ବାବୁ ନୂଆପଡ଼ା ଜିଲ୍ଲା ଗଠନ କରିଥିଲେ। ଆଉ ବିଜେଡି ନୂଆପଡ଼ାର ବିକାଶ କରିଛି। ଭୋଟ ଚୋରୀ କରି ବିଜେପି ସରକାର କରିଥିଲେ, ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ସରକାରୀ ଚାକିରୀ ଚୋରି ହେଉଛି। ମୋହନ ସରକାର ପ୍ରଚାର ପ୍ରସାରରେ ହିରୋ, କିନ୍ତୁ କାମରେ ଜିରୋ। ନଭେମ୍ୱର ୧୧ରେ ପ୍ରତିଶୋଧ ନେବା। ବିଜେପି ସରକାର ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର। ବିଏସକେଓ୍ୱାଇ ଭଲ ଥିଲା ନା ଏବେ ଆୟୁଷ୍ମାନ ଭଲ ବୋଲି କଟାକ୍ଷ କରିଛନ୍ତି ନବୀନ। ଏହା ସହ ନବୀନ କହିଛନ୍ତି, ୧୬ ମାସ ହେଲା ରାଜ୍ୟ ସାରା ବିକାଶ ବନ୍ଦ। ନା ମାଗଣା ବିଜୁଳି ମିଳିଲା ନା ବୁଢ଼ାବୁଢୀଙ୍କୁ ବର୍ଦ୍ଧିତ ଭତ୍ତା ମିିଳିଲା। ଚାଷୀ ସାର ପାଉନି କି କଟନିଛଟନି ବନ୍ଦ ହେଉନି। ନାରୀ ଅତ୍ୟାଚାର ସୀମା ଟପିଗଲା। ଲୋକଙ୍କ ଭିତରେ ଥିବା ଏ ସରକାରର ବିଶ୍ୱାସଘାତକତା ଓ ସରକାର ପ୍ରତି କ୍ରୋଧର ପ୍ରତିଫଳନ ୧୧ ତାରିଖରେ ନୂଆପଡ଼ା ବାସୀ ଭୋଟରେ ଦେବାକୁ ଆହ୍ୱାନ କରିଛନ୍ତି ନବୀନ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଟାକ୍ଷ କରି କହିଛନ୍ତି ଯେ, ଦଳୀୟ ସଭାପତି ଭାବେ ପ୍ରଚାରକୁ ଯାଇଥିବା ନବୀନ ନିର୍ବାଚନ ସରିବା ଯାଏଁ ନୂଆପଡ଼ାରେ ରହି ପ୍ରଚାର କରନ୍ତୁ। ନୂଆପଡ଼ା ପାଇଁ ନବୀନ କଅଣ କରିଛନ୍ତି, ତାହାର ହିସାବ ଲୋକଙ୍କୁ ଦିଅନ୍ତୁ। ନବୀନଙ୍କ ଲୋକପ୍ରିୟତା ବଢ଼ିଛି କି କମିଛି, ୨୪ ନିର୍ବାଚନରେ ଲୋକେ ଜବାବ ଦେଇସାରିଛନ୍ତି। ନବୀନଙ୍କ ଲୋକପ୍ରିୟତା ଯଦି ଏତେ, ଲୋକେ ପ୍ରତ୍ୟାଖ୍ୟାନ କଲେ କାହିଁକି। ବିଜେପି ଆଦର୍ଶବାଦ ଲଢ଼େଇରେ ବିଶ୍ୱାସ କରେ, ବ୍ୟକ୍ତିଗତ ଲଢ଼େଇରେ ନୁହେଁ। ଆଇନମନ୍ତ୍ରୀ କହିଛନ୍ତି, ୨୪ ବର୍ଷର ହିସାବ ଦେଲେ ବିଜେଡିର କଥା ଓ କାମରେ କେତେ ତଫାତ୍, ନୂଆପଡ଼ା ଭୋଟର ଜାଣିପାରିବେ। ସେପଟେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନୂଆପଡ଼ା ଗସ୍ତରେ ନବୀନ ଥିଲା ବେଳେ ଏପଟେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେଡିକୁ ବାଏ ବାଏ କରି ପଦ୍ମ ଧରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଅମର ପଟ୍ଟନାୟକ। ଚାକିରୀ ଛାଡ଼ି ରାଜନୀତି କ୍ୟାରିଅରରେ ମାତ୍ର ୮ ବର୍ଷ ହେଲା। ଏବେ ପରିବର୍ତ୍ତନର ସମୟ। ରାଷ୍ଟ୍ର ନିର୍ମାଣ ପାଇଁ ରାଷ୍ଟ୍ରୀୟ ଦଳରେ ସାମିଲ୍ ହେଲି। ଦେଶ ପ୍ରତି ମୋଦିଙ୍କ ସମର୍ପଣ ଓ ପ୍ରତିବଦ୍ଧତା ତାଙ୍କୁ ଆକୃଷ୍ଟ କଲା। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ କାମରେ ନିୟୋଜିତ କରିବେ, ସେ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ବିଜେଡିରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ ଅମର। ଏବେ ସେ ମୁକ୍ତି ପାଇଛନ୍ତି। ରାଷ୍ଟ୍ର ନିର୍ମାଣରେ ଅମରଙ୍କ ସାମିଲ ହେବାର ଲକ୍ଷ୍ୟ ରହିଛି, ସେ ସୁଯୋଗ ଦେବ ବିଜେପି। ବିଜେପିରେ ଅମର ମିଶିବାରୁ ଦଳର ଶକ୍ତି ବଢ଼ିଛି। ବିଜେଡି ପ୍ରେସମିଟ୍ କରି ଲେନିନ ମହାନ୍ତି ଓ ସୁଲତା ଦେଓ ପ୍ରମୁଖ କହିଛନ୍ତି ଯେ, ଅନେକ ଚାପରେ ଅମର ବିଜେପିରେ ସାମିଲ୍ ହେଲେ। କେଉଁ ଅଦୃଶ୍ୟ ଚାପରେ ଅମର ଗଲେ। ଅମର ଯଦି ବିଜେପିକୁ ଯାଇ ଆତ୍ମସମ୍ମାନର ସହ ରହିପାରିବେ, ତାହେଲେ ଶୁଭକାମନା ଜଣାଇବା ସହ ସମାଲୋଚନା କରିଛି ବିଜେଡି। ନୂଆପଡ଼ାରେ ଦଳର ସଶକ୍ତ ନେତା ମୈଦାନରେ ଥିବା ବେଳେ ଅମରଙ୍କ ପଟ୍ଟ ପରିବର୍ତ୍ତନ ଅନେକ କଥା ସୂଚାଉଛି। ନବୀନଙ୍କ ନେତୃତ୍ୱରେ ବିଜେଡି ଏବେ ବି ସୁଦୃଢ଼ ଓ ସଂଗଠିତ ଅଛି। ବିଜେଡିର ଜଣେ ମାତ୍ର ନେତା ନବୀନ। ନବୀନଙ୍କ ନୂଆପଡ଼ା ଗସ୍ତରେ ଭୟଭୀତ ହୋଇପଡ଼ିଲାଣି ବିଜେପି। ଦଳ ଅଟକିବନି। ଲଢ଼ୁଛି ଆଉ ଆଗକୁ ଲଢ଼ୁଥିବ ବିଜେଡି। ଆଦର୍ଶ ଓ ବିଚାରାଧାରା ବଦଳେଇଦେବା ଲୋକଙ୍କଠୁ ଆଉ କଅଣ ଆଶା କରାଯିବ। ନୂଆପଡ଼ା କୋମନାକୁ ଯାଇ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ନବୀନ। ଏପଟେ କିନ୍ତୁ ମିଶ୍ରଣ ପର୍ବରେ ବିଜେଡିରେ ଅମରଙ୍କୁ ମିଶାଇ ବିଜେପି କି ସଂକେତ ଦେଲା। ତାକୁ ନେଇ ରାଜନୈତିକ ମହଲ ଭିତରେ ଚର୍ଚ୍ଚା ହୋଇଛି। ମଙ୍ଗଳବାର ନୂଆପଡ଼ା ଯାଇ ପ୍ରଚାର କରିବେ ଅମର।
Naxatra News is now on Whatsapp
Join and get latest news update delivered to you via whatsapp
Join Now