ଅର୍ଥନୀତିଓଡ଼ିଶା

ଅନୁଗୋଳ ଓ ସୁକିନ୍ଦା ରୋଡ ମଧ୍ୟରେ ନୂଆ ଲାଇନ ଶିଳ୍ପାୟନ ଓ ଅର୍ଥନୀତିକୁ ମଜଭୂତ୍ କରିବ – ଧର୍ମେନ୍ଦ୍ର ପ୍ରଧାନ

ପୁରୀ / ଭୁବନେଶ୍ୱର : ପବିତ୍ର ପୁରୀ ଧାମରୁ ବନ୍ଦେ ଭାରତ ଟ୍ରେନର ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ନୂଆ ଭାରତର ସାମର୍ଥ୍ୟ ଏବଂ ସଂକଳ୍ପର ପ୍ରତୀକ ହେଉଛି ବନ୍ଦେ ଭାରତ । ଏହି ଟ୍ରେନ୍ ଏକବିଂଶ ଶତାବ୍ଦୀରେ ରେଳ କ୍ଷେତ୍ରରେ ଭାରତକୁ ନୂଆ ପରିଚୟ ଦେଇଛି । ରଥଯାତ୍ରା ପୂର୍ବରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଟ୍ରେନ ଆରମ୍ଭ ହେବା ଖୁସିର ବିଷୟ । ଦେଶର ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶା ପାଇଁ ନୂଆ ସମ୍ଭାବନା ଆଣିବ । ଏହି ଟ୍ରେନ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ପର୍ଯ୍ୟଟନ ଓ ଅର୍ଥନୀତିକୁ ଗତି ଦେବା ସହ ଭାରତର ନାଗରିକଙ୍କ ସୁବିଧାକୁ ସୁଦୃଢ଼ କରିବ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦଘାଟିତ ଓ ସମର୍ପିତ ଅନୁଗୋଳ-ସୁକିନ୍ଦା ରୋଡ ମଧ୍ୟରେ ନୂଆ ଲାଇନ ମାଲ ପରିବହନକୁ ସହଜ କରିବ । ଲୋକ ଆକାଂକ୍ଷାକୁ ପୂରଣ ସହ ଶିଳ୍ପୟାନ ଓ ଅର୍ଥନୀତିକୁ ମଜଭୂତ୍ କରିବ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ଅଂଶ ବିଛୁପାଲି-ଝରତରଭା ନୂଆ ରେଳ ଲାଇନର ଉଦଘାଟନ ଯାତ୍ରୀ ସୁବିଧାରେ ସହାୟକ ହେବ । ଏହାବ୍ୟତିତ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃଉନ୍ନତିକରଣର ଶିଳାନ୍ୟାସ,ସମ୍ବଲପୁର-ଟିଟିଲାଗଡ ରେଳପଥର ଦୋହରୀକରଣ, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା- ଜାମଗା ମଧ୍ୟରେ ତୃତୀୟ ଲାଇନ ଏବଂ ଓଡ଼ିଶା ରାଜ୍ୟରେ ରେଳ ନେଟୱାର୍କର ଶତପ୍ରତିଶତ ବିଦ୍ୟୁତିକରଣ ଲୋକଙ୍କ ଆଶା ଆକାଂକ୍ଷାକୂ ପୂରଣ କରିବ ଓ ଦେଶର ରେଳ ଭିତ୍ତିଭୂମି ଏବଂ ଅର୍ଥନୀତି ମଜଭୂତ ହେବ ।

କେନ୍ଦ୍ର ରେଳ ମନ୍ତ୍ରୀ ଆଗାମୀ ଦିନରେ ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ପ୍ରଥମ ବନ୍ଦେ ମେଟ୍ରୋ ଚଳାଚଳ କରିବାର କଳ୍ପନା କରିଥିବା କାରଣରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହାସହ ବନ୍ଦେ ମେଟ୍ରାକୁ କ୍ୟାପିଟାଲ ରିଙ୍ଗ୍ ରୋଡ୍ ଆଲାଇନମେଣ୍ଟ ଆକାରରେ କରି ଢେଙ୍କାନାଳ ସହ ମଧ୍ୟ ଯୋଡିବାକୁ ଯୋଜନା କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ପୁରୀ ହେଉଛି ଆଧ୍ୟାତ୍ମିକ କେନ୍ଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତି ଓ ଅସ୍ମିତାର ପରିଚୟ । ପୁରୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ଏବଂ ସମର୍ପଣ ଭାବ ରହିଛି । ମହାପ୍ରଭୁଙ୍କ ଆଶୀର୍ବାଦରେ ସେ ଦେଶବାସୀଙ୍କ ସେବା କରି ଆସୁଛନ୍ତି । ପୁରୀକୁ ଅନ୍ତର୍ଜାତୀୟ ପରିଚୟ ଦେବା ପାଇଁ ମୋଦି ସରକାର ସବୁ ସହାୟତା ଦେଇଛନ୍ତି । ପୁରୀରେ ଆନ୍ତର୍ଜାତିକ ଏୟାରପୋର୍ଟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସମ୍ମତି ଦେଇଛନ୍ତି ।

ମୋଦିଜୀ ଭାରତର ସନ୍ତୁଳିତ ବିକାଶକୁ ଆଖି ଆଗରେ ରଖି ‘ପୂର୍ବୋଦୟ’ ମିଶନରେ ପୂର୍ବ ଭାରତର ବିକାଶ ଓ ଓଡ଼ିଶା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମୋଦି ସରକାରରେ ରେଳ, ଜାତୀୟ ରାଜପଥ, କୋଷ୍ଟାଲ ହାଇୱେ, ବିମାନବନ୍ଦର, ଇଣ୍ଟରନେଟ୍ ସଂଯୋଗ ସହ ଭାରତବର୍ଷରେ ନୂଆ ଯୁଗ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ଯୋଗୁଁ ବିଗତ ୯ ବର୍ଷରେ ରେଳ ବଜେଟରେ ଓଡ଼ିଶାକୁ ମୋଟ ୫୧,୨୩୭ କୋଟି ଟଙ୍କାର ରେକର୍ଡସଂଖ୍ୟକ ଅନୁଦାନ ମିଳିଛି । ମୋଦି ସରକାରରେ ଓଡ଼ିଶାରୁ ଯେତେ ଅର୍ଥ ରେଳ ବିଭାଗ ପାଉଛି, ତା ଠାରୁ ଅଧିକ ଅନୁଦାନ ଦେଉଛି । ସ୍ୱାଧୀନତା ପରେ ରେଳବାଇ କ୍ଷେତ୍ରରେ ଯେତେ କାମ ଓଡ଼ିଶାରେ ହୋଇନଥିଲା, ସେହି କାମ ମୋଦି ସରକାରରେ ହୋଇଛି । ରେଳ ଷ୍ଟେସନ ଏବଂ ରେଳ ଭିତ୍ତିଭୂମିକୁ ପରିବର୍ତ୍ତନ କରିବାର ସୂତ୍ରଧର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ଆର୍ଥିକ ସହାୟତା, ପଦ୍ମ ପୁରସ୍କାରରେ ଓଡ଼ିଶାର ପ୍ରତିଭାଙ୍କୁ ସମ୍ମାନିତ କରିବା ଏବଂ ମନ କି ବାତରେ ସ୍ୱଚ୍ଛ ଭାରତରେ ନିଜକୁ ସାମିଲ କରିଥିବା ପୁରୀର ରାହୁଲ ମହାରଣା, କେନ୍ଦ୍ରାପଡାର କମଳା ମହାରଣାଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଓଡ଼ିଶାକୁ ଯଥୋଚିତ ସମ୍ମାନ ଦେଇଛନ୍ତି । ପିଏମ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜଳା ଯୋଜନାରେ ଗ୍ୟାସ ସହ ଅନେକ ଜନକଲ୍ୟାଣକାରୀ ଯୋଜନାରେ ଓଡ଼ିଶାକୁ ସହାୟତା ଏବଂ ପୂର୍ବୋଦୟ କଳ୍ପନାରେ ଜାତୀୟ ରାଜପଥ, ରେଳ, ବିମାନବନ୍ଦର ଭିତ୍ତିଭୂମିର ବିକାଶର ଦାୟିତ୍ୱକୁ ପ୍ରାଧାନ୍ୟ ଦେଇ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି ।

ଓଡ଼ିଶାର ଏହି ଐତିହାସିକ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଅନେକ ବ୍ୟକ୍ତିବିଶେଷ ବିଶେଷଙ୍କ ସହବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ଅଂଶଗ୍ରହଣ ଏକ ସ୍ମରଣୀୟ ମୁହୂର୍ତ୍ତ । ମାନ୍ୟବର ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ମାର୍ଗଦର୍ଶନ ସହ ଓଡ଼ିଶାର ବିକାଶ ପାଇଁ ଭାରତ ସରକାର ନେଇଥିବା ଦାୟିତ୍ୱ ଉପରେ ଆଲୋକପାତ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଶ୍ରୀମନ୍ଦିରରେ ଦର୍ଶନ ଓ ରଥଖଳାରେ ପ୍ରଣିପାତ କରିବା ସହ ପୁରୀ ଷ୍ଟେସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ଅବସରରେ ରେଳ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶ୍ରୀ ପ୍ରଧାନ ପୁରୀରୁ କଟକ ପର୍ଯ୍ୟନ୍ତ ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିଥିଲେ ।

Leave a Reply

Your email address will not be published.

Back to top button