ନୂଆବର୍ଷ ବଢାଇପାରେ ବିପଦ

ଭୁବନେଶ୍ବର: ଚୀନର ନୂଆ ଭାରିଏଣ୍ଟକୁ ନେଇ ବଢୁଛି ବିପଦ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏନେଇ ସମୀକ୍ଷା ବୈଠକ ଶେଷ ହୋଇଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ। ଏହାସହ ନୂଆବର୍ଷରେ ଗହଳି ନ କରି ମାସ୍କ ପିନ୍ଧିବାକୁ କୁହାଯାଇଛି । ଏପଟେ ଖୁବ ଶୀଘ୍ର ବନ୍ଦ ରହିଥିବା ଟିକାକରଣ କେନ୍ଦ୍ରକୁ ଖୋଲାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ । ଏହାସହ ବର୍ତ୍ତମାନ ଯାଏଁ ଟୀକାର ପ୍ରଥମ ଡୋଜ ୯୭ ପ୍ରତିଶତ ଲୋକ ନେଇ ସାରିଛନ୍ତି ।

ନୂଆ ବର୍ଷ ବଢାଇପାରେ ବିପଦ । ଗହଳିକୁ ନ ଯିବାକୁ  ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ପଜିଟିଭ ହେଲେ ଜେନମ ସିକ୍ୱେନସିଂକୁ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱ । ଚୀନ ଭାରିଏଣ୍ଟ ଦେଶ ତଥା ରାଜ୍ୟରେ ଚିହ୍ନଟ ପରେ କୋଭିଡ଼ ଭୟ ପୁଣି ଫେରିଛି । ଫଳରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କରିବା ସହ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବାକୁ କହିଛନ୍ତି। ଏପଟେ ରାଜ୍ୟ ସରକାର ମଧ୍ୟ ବୈଠକ କରିବା ସହ ଲୋକଙ୍କୁ ଆଗୁଆ ସତର୍କ କରାଇଛନ୍ତି। ବିଶେଷ କରି ଆଗକୁ ପିକନିକ ଋତୁ ଆସୁଥିବାରୁ ଗହଳିକୁ ନଯିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ । ଏପଟେ ଚୀନର ନୂଆ ଭାରିଏଣ୍ଟ ସଂକ୍ରମଣ କ୍ଷମତା ଅଧିକ ଥିଲେ ମଧ୍ୟ ଭାରତରେ ଏହାର ପ୍ରଭାବ କମ୍‌ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ସେପଟେ ବୁଷ୍ଟର ଡୋଜ ଚୀନର ନୂଆ ଭାରିଏଣ୍ଟକୁ ପ୍ରତିହତ କରିବାରେ ସମର୍ଥ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ । ବନ୍ଦ ହୋଇଥିବା ଟିକାଦାନ କେନ୍ଦ୍ର ଗୁଡ଼ିକୁ ଖୋଲିବା ପାଇଁ ଖୁବ ଶିଘ୍ର ଚିଠି ଲେଖାଯିବ । ସବୁଠାରୁ ବଡକଥା ହେଲା  ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ କୋଟି ୧୪ ଲକ୍ଷ ଟୀକାକରଣ ସରିଛି । ପ୍ରଥମ ଡୋଜ ୯୭ ପ୍ରତିଶତ ସରିଥିବା ବେଳେ ଦ୍ୱିତୀୟ ଡୋଜ ୯୪ ପ୍ରତିଶତ ଓ ପ୍ରିକସନ ଡୋଜ ୪୧ ପ୍ରତିଶତ ଲୋକ ନେଇ ସାରିଛନ୍ତି । ଏବେ ଟିକା ଯୋଗାଣ ବନ୍ଦ ଥିବାରୁ ଟିକା କରଣ ବନ୍ଦ ଅଛି । ଖୁବ ଶୀଘ୍ର ପୁଣି ଟିକା କରଣକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ।

ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାରରୁ ଅଧିକ ଟେଷ୍ଟିଂ ହୋଇଛି । ଏଥିରୁ ଷ୍ପଷ୍ଟ କି ରାଜ୍ୟରେ ସଂକ୍ରମଣ ହାର ବହୁତ କମ୍‌ ରହିଛି । ତେଣୁ ବ୍ୟସ୍ତ ନ ହୋଇ ସତର୍କ ରହିଲେ ଆଗାମି ଦିନର ବିପଦକୁ ମୁକାବିଲା କରାଯାଇପାରିବ ।

ନବ କିଶୋର ସାହୁ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *